Home Election ମତଦାତାଙ୍କୁ ଅଜବ ପ୍ରଶ୍ନ

ମତଦାତାଙ୍କୁ ଅଜବ ପ୍ରଶ୍ନ

ଭୁବନେଶ୍ୱର : କେଉଁ ପ୍ରାର୍ଥୀଙ୍କୁ କିଏ ଭୋଟ ଦେବ ତାହା ଅତ୍ୟନ୍ତ ଗୋପନୀୟ ହୋଇଥିବାବେଳେ ଶେଷ ପର୍ଯ୍ୟାୟ ମତଦାନ ପରେକ କିନ୍ତୁ ଅନେକ ଭୋଟରଙ୍କୁ ଟେଲିଫୋନ୍‍ କଲ ଆସିବା ସହିତ ସେମାନେ କାହାକୁ ଭୋଟ ଦେଇଛନ୍ତି ତାହା ସିଧାସଳଖ ପଚରାଯାଇଛି । ପ୍ରଥମେ ଜଣେ ବ୍ୟକ୍ତି ଫୋନ୍‍ କରି ପଚାରିବା ପରେ ସ୍ୱୟଂକ୍ରିୟ ଭାବେ ଏକାଧିକ ନମ୍ବରରୁ ଏ ନେଇ ଫୋନ୍‍ ଆସୁଥିବା ଜଣାଯାଇଛି ।

ମତଦାତାମାନେ ଭୋଟ କେନ୍ଦ୍ରକୁ ଆସି କେଉଁ ପ୍ରାର୍ଥୀଙ୍କ ସପକ୍ଷରେ ମତଦେବେ ତାହା ଯେଭଳି ଗୋପନୀୟ ରହିବ ସେଥିପାଇଁ ଭାରତର ର୍ନିବାଚନ କମିଶନ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ଇଭିଏମ୍‍ ମେସିନ୍‍ଗୁଡିକୁ ଘେରାଇ ରଖାଯିବା ସହିତ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏହାଠାରୁ ଢେର ଦୂରରେ ରଖାଯାଇଛି ।

ହେଲେ ଭୋଟ ଦେଇ ଘରେ ପହଞ୍ଚିବାମାତ୍ରେ କେତେକ ମତଦାତାଙ୍କ ନିକଟକୁ ଫୋନ୍‍ ଆସୁଛି । ପ୍ରଥମେ ଫୋନ୍‍ କରିଥିବା ବ୍ୟକ୍ତି ମତଦାତାଙ୍କୁ ଭୋଟ ଦେଇଛ କି ନାହିଁ ପଚାରୁଛନ୍ତି । ଯଦି ମତଦାତା ହଁ କରୁଛନ୍ତି ତେବେ ଏହାପରେ ସେ କେଉଁ ନିର୍ବାଚନମଣ୍ଡଳୀରେ ଭୋଟ ଦେଇଛନ୍ତି ତାହା ପଚରାଯାଉଛି । ଏଥି ସହିତ ମତଦାତା ଜଣଙ୍କ ପ୍ରଥମ ଥର ପାଇଁ ଭୋଟ ଦେଉଛନ୍ତି କି ନାହିଁ ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରାଯାଉଛି । ଏସବୁର ଉତ୍ତର ପାଇବାପରେ କେଉଁ ଚିହ୍ନରେ ଭୋଟ ଦେଇଛ ବୋଲି ସିଧାସଳଖ ପ୍ରଶ୍ନ ହେଉଛି । ନିଜର ଭୋଟଦାନ ସଂକ୍ରାନ୍ତରେ ଜଣାଇବାପାଇଁ ଅନିଚ୍ଛା ପ୍ରକାଶ କରି ଯେଉଁମାନେ ଫୋନ୍‍ କାଟି ଦେଉଛନ୍ତି ପରବର୍ତ୍ତୀ ସମୟରେ ସେମାନଙ୍କୁ ନିକଟକୁ ସ୍ୱୟଂକ୍ରିୟ ଟେଲିଫୋନ୍‍ କଲ୍‍ ଆସୁଛି ।

ସ୍ୱୟଂକ୍ରିୟ ଫୋନ୍‍ରେ ଉପରିସ୍ଥ ସମସ୍ତ ସୂଚନା ସହିତ କେଉଁ ଚିହ୍ନରେ ଭୋଟ ଦେଇଛ ତାହା ଜଣାଇବାପାଇଁ ବିଭିନ୍ନ ଚିହ୍ନ ଲାଗି ନମ୍ବର ଦବାଇବାକୁ କୁହାଯାଉଛି । ଯେଉଁମାନେ ଏଥିରେ ରାଜି ହେଉନାହାନ୍ତି ସେମାନେ ଫୋନ୍‍ କାଟି ଦେଉଛନ୍ତି । ତେବେ ଥରେ ଫୋନ୍‍ କାଟିଲା ପରେ ସମାନ ନମ୍ବରରୁ ଆଉ ଦୁଇ ତିନି ଥର ଫୋନ୍‍ କଲ୍‍ ଆସୁଛି ।

ଏଭଳି ପ୍ରଶ୍ନକୁ ଅନେକ ମତଦାତା ନାପସନ୍ଦ କରୁଥିବାବେଳେ ଏଭଳି ଦୁଃସାହସ କିଏ କରୁଛି ତାହା ଜାରିବାପାଇଁ ଉତ୍ସୁକତା ପ୍ରକାଶ କରୁଛନ୍ତି । ହେଲେ ଯେଉଁ ନମ୍ବରରୁ ଫୋନ୍‍ ଆସୁଛି ସେହି ନମ୍ବରରେ ଫୋନ୍‍ ଲଗାଇଲେ ଆଉ ଲାଗୁନାହିଁ । ତେବେ କିଛି ଭୋଟର ଏଭଳି ଫୋନ୍‍ ସାଇବର ଲୁଟେରାଙ୍କର ହୋଇଥାଇ ପାରେ ବୋଲି ଆଶଙ୍କା କରି ଆଦୌ ଫୋନ୍‍ ଉଠାଉ ନାହାନ୍ତି ।

ତେବେ କିଛି ଯୁବ ଭୋଟର କହିଛନ୍ତି ଏଭଳି ଫୋନ୍‍ କଲ ସଂକ୍ରାନ୍ତରେ ପୁଲିସ୍‍ ଓ ନିର୍ବାଚନ ଆୟୋଗ ତଦନ୍ତ କରିବା ଆବଶ୍ୟକ । ମତଦାତାଙ୍କ ଗୋପନୀୟତା ଜାଣିବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଓ ସଂସ୍ଥା ବିରୁଦ୍ଧରେ ସେମାନେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । (ତଥ୍ୟ)