Home Election ଦଳଡିଆଁ ନେତାଙ୍କ ଭିତରୁ ଜିତିବ କିଏ ?

ଦଳଡିଆଁ ନେତାଙ୍କ ଭିତରୁ ଜିତିବ କିଏ ?

ଭୁବନେଶ୍ୱର : ନିର୍ବାଚନ ଫଳାଫଳ ପ୍ରକାଶ ସମୟ ପାଖେଇ ଆସୁଥିବାବେଳେ ଏଥର ବିଭିନ୍ନ ଦଳରୁ ପ୍ରାର୍ଥୀ ହୋଇଥିବା ଅଭିନେତା ଓ ଦଳଡିଆଁ ନେତାଙ୍କ ଭିତରୁ କିଏ ଜିଣିବ ଓ କିଏ ହାରିବ ସେଥିଘେନି ଚର୍ଚ୍ଚା ବଢିବାରେ ଲାଗିଛି ।

ବିଶେଷକରି ନବରଙ୍ଗପୁର, ବ୍ରହ୍ମପୁର, ବରଗଡ, ବଲାଙ୍ଗିର, କଟକ, ଭୁବନେଶ୍ୱର, ବାଲେଶ୍ୱର, କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ବିଭିନ୍ନ ଦଳର ପ୍ରାର୍ଥୀଙ୍କ ସମ୍ପର୍କରେ ଭୋଟରମାନେ ବିଚିତ୍ର ଟିପ୍ପଣୀମାନ ଦେଉଛନ୍ତି ।

ଏଥର ନିର୍ବାଚନରେ କୌଣସି ଅଭିନେତା ଲୋକସଭା ନିର୍ବାଚନ ଲଢୁନାହାନ୍ତି । ବିଜେପିରୁ ଅନ୍ୟୁନ ତିନି ଜଣ ନାମୀ ଦାମୀ ଅଭିନେତା ବିଧାନସଭା ନିର୍ବାଚନ ଲଢୁଥିବାବେଳେ ବିଜେଡିରୁ ଜଣେ ଅଭିନେତ୍ରୀ ବି ପ୍ରାର୍ଥୀ ହୋଇଛନ୍ତି । ବର୍ଷା ପ୍ରିୟଦର୍ଶୀନି ଏଥର ପ୍ରଥମଥର ରାଜନୀତିରେ ପାଦ ଦେଇ ବଡଚଣା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ଜଣାଶୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଦିଗପହଣ୍ଡିରୁ, ଆକାଶ ଦାସ ନାୟକ କୋରେଇରୁ ଏବଂ ଅରିନ୍ଦମ ରାୟ ସାଲେପୁରରୁ ବିଜେପି ଟିକଟରେ ଲଢୁଛନ୍ତି । ପୂର୍ବରୁ ସିଦ୍ଧାନ୍ତ ଓ ଆକାଶ ନିର୍ବାଚନୀ ସଫଳତା ପାଇଥିବାବେଳେ ଅରିନ୍ଦମ ପ୍ରଥମଥର ପାଇଁ ନିର୍ବାଚନ ଲଢୁଛନ୍ତି । ଚଳଚିତ୍ର ପରଦାରେ ଏହି ଚାରିଜଣ ଅଭିନେତା ଓ ଅଭିନେତ୍ରୀ ଦର୍ଶକମାନଙ୍କ ମନ ଜିଣିଥିବାବେଳେ ଏବେ ଭୋଟ ରାଜନୀତିରେ ଭୋଟରମାନଙ୍କ ମନ କେତେ ପରିମାଣରେ ଜିଣି ପାରୁଛନ୍ତି ତାହା ନିର୍ବାଚନ ଫଳାଫଳରୁ ଜଣାପଡିବ ।

ଏଥର ଓଡିଶାରେ ଦଳ ବଦଳ କରି ଯେତେ ପ୍ରାର୍ଥୀ ହୋଇଛନ୍ତି ତାହା ଅତୀତର ସବୁ ରେକର୍ଡ ଭାଙ୍ଗି ଦେଇଛି । ତେଣୁ ନିର୍ବାଚନ ଆରମ୍ଭରୁ ମତଗଣନା ପର୍ଯ୍ୟନ୍ତ ଏହି ଦଳଡିଆଁ ପ୍ରାର୍ଥୀମାନଙ୍କ ପ୍ରଦର୍ଶନ ଘେନି ଆଲୋଚନା ଓ ସମାଲୋଚନା ଲାଗି ରହିଛି । ଦଳ ବଦଳ ରାଜନୀତିର ପ୍ରଭାବ ଭୋଟରମାନଙ୍କ ଉପରେ କେତେ ପଡିବ ସେ ସଂକ୍ରାନ୍ତରେ ଖଡିଆଳ, ଲାଞ୍ଜିଗଡ, ନବରଙ୍ଗପୁର, ବ୍ରହ୍ମପୁର, ବୀରମିତ୍ରପୁର, ବଲାଙ୍ଗିର, ଖଲ୍ଲିକୋଟ, ଆଠମଲ୍ଲିକ, ଘଷିପୁରା, ଆନନ୍ଦପୁର, ହିନ୍ଦୋଳ, କଟକ, ନୟାଗଡ, ଜୟଦେବ, ଖୋରଧା, ବସ୍ତା, ରେମୁଣା, ନୀଳଗିରି, ସୋର, ପାଟକୁରା, କେନ୍ଦ୍ରାପଡା, ପାରାଦୀପ, କାକଟପୁର, ନିମାପଡା, ବରୀ ଓ କୋରେଇ ଆଦି ନିର୍ବାଚନମଣ୍ଡଳୀରେ ଜୋରଦାର ଚର୍ଚ୍ଚା ।

ଏହାଛଡା ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନଙ୍କ ମଧ୍ୟରୁ ୪୦ରୁ ଅଧିକ ଏଥର ପ୍ରାର୍ଥୀ ହୋଇନାହାନ୍ତି । ଏମାନଙ୍କ ମଧ୍ୟରୁ କେତେକଙ୍କ ପୁତ୍ର, ପତ୍ନୀ ଆଦି ନିର୍ବାଚନ ଲଢୁଥିବାରୁ ସେମାନେ ପ୍ରଚାରର ମଙ୍ଗ ଧରିଛନ୍ତି । ଆଉ ଅନ୍ୟୁନ ୧୦ଜଣ ବିଧାୟକ ନିର୍ବାଚନ ମଇଦାନରେ ଥିଲେ ବି ଭିନ୍ନ ଦଳରୁ ଏମିତିକି ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି । ଏମାନଙ୍କ ଛଡା ଆଉ କିଛି ବିଧାୟକ ଟିକଟ କଟିବା ଦୁଃଖରେ ଥିଲେ ବି ବାଧ୍ୟବାଧକତାରେ ଦଳୀୟ ପ୍ରାର୍ଥୀଙ୍କୁ କିଛି ମାତ୍ରାରେ ସମର୍ଥନ ଦେଉଛନ୍ତି । ତେବେ ଟିକଟ ପାଇନଥିବା ଆଉ କେତେକ ବିଧାୟକ ପ୍ରତିଶୋଧ ନେବାପାଇଁ ଖୋଲାଖୋଲି ଭାବେ ନିଜ ଦଳ ବଳ ଧରି ଭିନ୍ନ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ସେମାନଙ୍କ ସଭାମଞ୍ଚରେ ବି ଭାଷଣ ମାରିଛନ୍ତି ।

ଏଭଳି ସ୍ଥିତିରେ ଅନେକ ନିର୍ବାଚନମଣ୍ଡଳୀରେ ଦଳ ବଦଳକାରୀ ନେତାଙ୍କ ସହ ସେମାନଙ୍କ ସବୁ କର୍ମୀ ସାମିଲ ହେଉନାହାନ୍ତି । ଏଥର ନିର୍ବାଚନରେ ଯେତେ ପରିମାଣର ଅର୍ଥ ବ୍ୟୟ ହୋଇଛି ଏବଂ ଖୋଲାଖୋଲି ଭାବେ ନିଶା ସାମଗ୍ରୀ ଓ ଅନ୍ୟାନ୍ୟ ଉପଢୌକନ ବଣ୍ଟା ଚାଲିଛି ତାହା ପୂର୍ବର ସବୁ ରେକର୍ଡ ଭାଙ୍ଗିଦେଇଛି । କେବଳ ଓଡିଶାରେ ନୁହେଁ, ସାରା ଦେଶରେ ଭୋଟ ରାଜନୀତି ପାଇଁ ଏଭଳି କଳା କାରବାର ଚାଲିଛି । ନର୍ବାଚନ କମିଶନଙ୍କ ସୂଚନା ମୁତାବକ ନିର୍ବାଚନ ସମୟରେ ପ୍ରାୟ ୧୦ହଜାର କୋଟି ଟଙ୍କା ଜବତ କରାଯାଇଥିବାବେଳେ ୪୩୯୧ କୋଟି ଟଙ୍କାର ନିଶା ସମଗ୍ରୀ ବି ଧରାପଡିଛି । (ତଥ୍ୟ)