Home Election ନିର୍ବାଚନୀ ଶୋଭାଯାତ୍ରା ପାଇଁ ବାଣ ଖୋଜା

ନିର୍ବାଚନୀ ଶୋଭାଯାତ୍ରା ପାଇଁ ବାଣ ଖୋଜା

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଯାତ୍ରା ଅବସରରେ ବାଣ ବିସ୍ଫୋରଣରେ ଛଅ ଜଣ ମୃତ୍ୟୁବରଣ କରିବା ସହିତ ଅନ୍ୟୁନ ୨୪ଜଣ ଗୁରୁତର ଭାବେ ଚିକିତ୍ସିତ ହେଉଥିବାବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ବିଭିନ୍ନ ପର୍ବ ପର୍ବାଣୀ ପାଇଁ ବ୍ୟାପକ ବାଣ ପ୍ରସ୍ତୁତି ଚାଲିଛି । କେବଳ ସେତିକି ନୁହେଁ, ନିର୍ବାଚନ ପରିପ୍ରେକ୍ଷୀରେ ବିଜୟ ସମ୍ଭାବନା ଥିବା ବହୁ ପ୍ରାର୍ଥୀଙ୍କ ସମର୍ଥକମାନେ ଶୋଭାଯାତ୍ରାରେ ବ୍ୟବହାର କରିବାଲାଗି ମଧ୍ୟ ବାଣ ବରାଦ କରୁଥିବା ଖବର ମିଳିଛି ।

ଏଠାରେ ଉଲ୍ଲେଖନୀୟ ଯେ ଶ୍ରୀକ୍ଷେତ୍ର ଚନ୍ଦନ ଯାତ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ନରେନ୍ଦ୍ର ପୁଷ୍କରିଣୀକୁ ଅଣାଯାଇ ସେଠାରେ ୨୧ଦିନ ଧରି ଚାପ ଖେଳାଯାଇଥାଏ । ଏହି ଅବସରରେ ସ୍ଥାନୀୟ କିଛି ବ୍ୟକ୍ତି ବିନାନୁମତିରେ ବାଣ ଫୁଟାଉଥିବାବେଳେ ସେମାନଙ୍କ ବାଣଗଦାରେ ବିସ୍ଫୋରଣ ଘଟିବାରୁ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଥିଲା । ଏହା ସତ୍ୱେ ବି ବିଭିନ୍ନ ବିବାହ, ବ୍ରତପୋନୟନ ଆଦି ସାମାଜିକ ଉତ୍ସବ ଅବସରରେ ବହୁ ପରିମାଣର ବାଣ ଫୁଟା ଚାଲିଛି ।

ପବିତ୍ର ଶୀତଳଷଷ୍ଠି, ଚମ୍ପକ ଦ୍ୱାଦଶୀ ଆଦି ପର୍ବ ପର୍ବାଣୀ ଅବସରରେ ପୁରୀ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ବାଣ ଫୁଟା ଯାଇଥାଏ । ଏଥିପାଇଁ ମାସ ମାସ ଧରି ବିଭିନ୍ନ ସ୍ଥାନରେ ବାଣ ତିଆରି ଚାଲେ । ଏହାଛଡା ବିଭିନ୍ନ ମେଳଣ ଅବସରରେ ବି ବାଣଫୁଟା ପରମ୍ପରା ଚାଲିଆସିଛି । ଦୀପାବଳୀ ପାଇଁ ବାଣ ଉପରେ ନିୟନ୍ତ୍ରଣ ଜାରି କରାଗଲେ ମଧ୍ୟ ତାହା ବିଶେଷ ଫଳବତୀ ହେଉନାହିଁ । କେବଳ ସେତିକି ନୁହେଁ, ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନର ପ୍ରଚାର ଓ ପ୍ରାର୍ଥୀପତ୍ର ଦାଖଲବେଳେ ବହୁ କ୍ଷେତ୍ରରେ ବାଣ ମରା ହୋଇଛି ।

ବିଶେଷକରି ର୍ନିବାଚନ ଋତୁରେ ପୁଲିସ୍‍ ଓ ପ୍ରଶାସନିକ କର୍ତ୍ତୃପକ୍ଷ ଟ୍ରାଫିକ ଆଇନ୍‍ ଉଲ୍ଲଙ୍ଘନ ସମେତ ବାଣଫୁଟା ଭଳି ଘଟଣାକୁ ଆଇନାନୁଯାୟୀ ନିୟନ୍ତ୍ରଣ କରିବା ପରିବର୍ତ୍ତେ ଆଖିବୁଜି ଦେଇଥାନ୍ତି । ଏମିତିକି ବିଭିନ୍ନ ରାଜନୈତିକଦଳର ଶୋଭାଯାତ୍ରା ଆଦିରେ ବହୁ ନିଶାଡିଙ୍କ ଉତ୍ପାତ ଦେଖିବାକୁ ମିଳୁଥିଲେ ବି ନେତାମାନେ ଏଥିପ୍ରତି ଆଖିବୁଜି ଦିଅନ୍ତି ।

ପୁରୀର ବାଣ ଦୁର୍ଘଟଣା ସାରା ରାଜ୍ୟରେ ଉଦ୍‍ବେଗ ସୃଷ୍ଟି କରିଥିବା ପରିପ୍ରେକ୍ଷୀରେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି । ପୀଡିତମାନଙ୍କ ଚିକିତ୍ସା ଲାଗି ବ୍ୟାପକ ଅର୍ଥ ବ୍ୟୟ କରାଯାଉଥିବାବେଳେ ମୃତକଙ୍କ ପରିବାରକୁ ମଧ୍ୟ ରାଜକୋଷରୁ ସହାୟତା ରାଶି ଦିଆଯାଉଛି । ଅତୀତରେ ବାଣ ଯୋଗୁଁ ବାୟୁ ଓ ଶବ୍ଦ ପ୍ରଦୂଷଣ ଘଟୁଥିବା ପରିପ୍ରେକ୍ଷୀରେ ଦିଲ୍ଲୀରେ ଦୀପାବଳୀ ଅବସରରେ ବାଣ ଉପରେ କଟକଣା ଜାରି କରାଯିବା ପରିପ୍ରେକ୍ଷୀରେ ବାଣ ସପକ୍ଷବାଦୀମାନେ ଉଚ୍ଚତମ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇ ନିରାଶ ହୋଇଛନ୍ତି ।

ଆମ ରାଜ୍ୟରେ ବିଭିନ୍ନ ସମୟରେ ବାଣ ତିଆରି କରୁଥିବାବେଳେ ଏବଂ ବାଣ ମହଜୁଦ ଥିବା ସ୍ଥାନରେ ବିସ୍ଫୋରଣ ଘଟି ବ୍ୟାପକ ଧନଜୀବନ ନଷ୍ଟ ହୋଇଛି । ଏମିତିକି ବାଣଫୁଟାବେଳେ ମଧ୍ୟ ବାରମ୍ବାର ଦୁର୍ଘଟଣାମାନ ଘଟୁଛି । ଏସବୁକୁ ଆଖିଆଗରେ ରଖି ରାଜଧାନୀ ସମେତ ରାଜ୍ୟର ସହରାଞ୍ଚଳମାନଙ୍କରେ ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମାରାତ୍ମକ ଶବ୍ଦ ପ୍ରଦୂଷଣ କରୁଥିବା ଡିଜେ ଏବଂ ଭୟଙ୍କର ବାଣ ବ୍ୟବହାର ଉପରେ କଟକଣା ଜାରି କରାଯାଉଥିଲେ ମଧ୍ୟ ତାହା ଆଇନ୍‍କୁ ଆଖିଠାର ମାରିବା ଭଳି ହେଉଛି । ସମାଜଶାସ୍ତ୍ରୀମାନେ କହୁଛନ୍ତି ଯେ ଅନ୍ତତଃ ପକ୍ଷେ ପୁରୀ ବାଣ ଦୁର୍ଘଟଣାରୁ ଶିକ୍ଷାଲାଭ କରି ଏବର୍ଷ ଶୀତଳଷଷ୍ଠି, ଚମ୍ପକଦ୍ୱାଦଶୀ ସମେତ ଅନ୍ୟାନ୍ୟ ଧାର୍ମିକ, ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ବାଣକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯିବାର ଆବଶ୍ୟକ ରହିଛି । (ତଥ୍ୟ)