Home Health ଗୁଟ୍‍ଖା ପାଇଁ ହରାଇଲେଣି ୫୦୦୦ କୋଟି

ଗୁଟ୍‍ଖା ପାଇଁ ହରାଇଲେଣି ୫୦୦୦ କୋଟି

ଭୁବନେଶ୍ୱର : ରାଜ୍ୟରେ ଗୁଟ୍‍ଖା ନିଷେଧ ପରେ ସରକାର ପ୍ରାୟ ୫୦୦୦ କୋଟି ଟଙ୍କାର ରାଜସ୍ୱ ହରାଇଥିବାବେଳେ ଗୁଟ୍‍ଖାର କାରବାର କିନ୍ତୁ ପୂର୍ବଭଳି ବେଧଡକ ଭାବେ ଚାଲିଛି । ଏତେ ପରିମାଣର ରାଜସ୍ୱ ହରାଇଥିଲେ ମଧ୍ୟ ଗୁଟ୍‍ଖା ବାରକାରକୁ ରୋକିବାପାଇଁ କେହି ସେଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି ।

ରାଜ୍ୟରେ ଅଧାରୁ ଅଧିକ ପୁରୁଷ ଗୁଟ୍‍ଖା ଚୋବାଉଥିବାବେଳେ ୩୦ ପ୍ରତିଶତରୁ ଅଧିକ ମହିଳା ଗୁଟ୍‍ଖା ଖାଉଛନ୍ତି । ଏବେ ପିଲାମାନେ ବି ଧିରେ ଧିରେ ଗୁଟ୍‍ଖା ଖାଇବା ଆରମ୍ଭ କରିଛନ୍ତି । କର୍କଟ ରୋଗର ଅନ୍ୟତମ କାରଣ ଗୁଟ୍‍ଖା ହୋଇଥିବାରୁ ଏହାର ଭୟାବହତାକୁ ଦେଖି ରାଜ୍ୟ ସରକାର ୨୦୧୩ ମସିହା ଜାନୁଆରୀ ୩ ତାରିଖରେ ବିଧିବଦ୍ଧ ଭାବେ ରାଜ୍ୟରେ ଗୁଟ୍‍ଖା ନିଷେଧ କରିଥିଲେ ।

ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ରାଜ୍ୟରେ ସମସ୍ତ ପ୍ରକାର ଗୁଟ୍‍ଖାର ଉତ୍ପାଦନ, ମହଜୁଦ ଓ ବିକ୍ରୟ ଉପରେ କଡା କଟକଣା ରହିଛି । ଯଦି କେହି ଏହାକୁ ଉଲ୍ଲଙ୍ଘନ କରିବ ତେବେ ତାଙ୍କ ବିରୁଦ୍ଧରେ କଡା ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହେଲେ ଏହି ନାଲିଆଖି ଏବେ ନାଲିଫିତାତଳେ । ସହର ଠୁ ଗାଁ ଗହଳି ପର୍ଯ୍ୟନ୍ତ ପୂର୍ବଭଳି ଖୋଲାଖୋଲି ଭାବେ ଗୁଟ୍‍ଖା ବିକ୍ରି ହେଉଛି । ଖୋଦ୍‍ ଲୋକସଭା ଭବନ ଆଖପାଖରେ ଥିବା ଦୋକାନରେ ବି ଗୁଟ୍‍ଖା ବିକ୍ରି ଚାଲୁଛି ।

ରାଜ୍ୟ ସରକାର ଗୁଟ୍‍ଖା କଟକଣା ଜାରି ପରେ ବର୍ଷକୁ ପ୍ରାୟ ୫୦୦ କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ଯେହେତୁ ସରକାର ଏହାକୁ ନିଷେଧ କରିଛନ୍ତି, ତେଣୁ ଖୋଲାରେ ବିକ୍ରି ହେଲେ ମଧ୍ୟ ସେଥିରୁ ପଇସାଟିଏର ଟିକସ ଆଦାୟ ହୋଇପାରୁ ନାହିଁ । ତଦନୁଯାୟୀ ଏହି ଏଗାର ବର୍ଷ ଭିତରେ ସରକାର ୫ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ଟିକସ ହରାଇଲେଣି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏଭଳି କଟକଣା ଜାରି କରିଥିବାବେଳେ ପ୍ରଶାସନ କିମ୍ବା ପୁଲିସ୍‍ ଏହାକୁ ଠିକଣା ଭାବେ କାର୍ଯ୍ୟକାରୀ କରୁନାହାନ୍ତି । ଯେତେବେଳେ ସମାଲୋଚନାର ଶିକାର ହେଉଛନ୍ତି ସହରାଞ୍ଚଳରେ କିଛି କିଛି ସ୍ଥାନରେ ଚଢଉ କରି ଗୁଟ୍‍ଖା ହାର ଜବତ କରିବା ସହିତ ତାହାକୁ ଗଣାମାଧ୍ୟମରେ ଛପାଇ ବାହାବା ନେଉଛନ୍ତି । ହେଲେ ବର୍ଷର ଅଧିକାଂଶ ଦିନ ବେଧଡକ କାରବାର ହେଉଛି ।

ସେହିଭଳି ବିଦ୍ୟାଳୟ ଆଖପାଖରେ ଗୁଟ୍‍ଖା ବିକ୍ରି ଉପରେ କଟକଣା ଥିଲେ ତାହାକୁ ବି ଅଣଦେଖା କରାଯାଉଛି । ଫଳରେ ସହର ଠାରୁ ଗାଁ ପର୍ଯ୍ୟନ୍ତ ଛୋଟ ଛୋଟ ପିଲା ଏବେ ଗୁଟ୍‍ଖା ନିଶାରେ ପଡିଛନ୍ତି । ଅତି ସହଜରେ ଓ ହାତ ପାଆନ୍ତାରେ ଗୁଟ୍‍ଖା ମିଳୁଥିବାରୁ ପିଲାମାନେ ଏହାକୁ ଚୋବାଇବାରେ ଲାଗିଛନ୍ତି ଯାହା ଏବେ ଅଭିଭାବକ ଓ ଶିକ୍ଷକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି ।

ଗୁଟ୍‍ଖା ବିଲୋପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀମାନଙ୍କ ମତରେ ଗୋଟିଏ ପଟେ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ୱ ହରାଇବା ଏବଂ ଅନ୍ୟପଟେ ଗୁଟ୍‍ଖା ପ୍ରଭାବରେ ମୁଖଗହ୍ୱର କର୍କଟରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ସରକାର କିନ୍ତୁ ରାଜ୍ୟ ବାହାରୁ ଆସୁଥିବା ଗୁଟ୍‍ଖା ଉପରେ ଯେଭଳି କଟକଣା ଲଗାଇବା କଥା ତାହା କରୁନାହାନ୍ତି । ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଗୁଟ୍‍ଖା ଚୋବାଉଥିବାରୁ ଆଗାମୀ ଦିନରେ ରାଜ୍ୟରେ ଏହା ମହାମାରୀ ସୃଷ୍ଟି କରିବାର ଆଶଙ୍କା ଉପୁଜିଛି । (ତଥ୍ୟ)