ଭୁବନେଶ୍ୱର : ରାଜ୍ୟର ଛଅଟି ଲୋକସଭା ସହିତ ୪୨ଟି ବିଧାନସଭା ଆସନ ପାଇଁ ପ୍ରଚାର ଅଭିଯାନ ଆଜି ଶେଷହେବା ପରେ ଜୁନ୍ ୧ତାରିଖରେ ହେବାକୁ ଥିବା ଶେଷ ପର୍ଯ୍ୟାୟ ମତଗ୍ରହଣରେ ଏହି ଆସନଗୁଡିକର ଆଶାୟୀ ପ୍ରାର୍ଥୀମାନଙ୍କ ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ମତଦାତାମାନେ ନିର୍ଣ୍ଣୟ କରିବାକୁ ଯାଉଛନ୍ତି ।
ଓଡିଶାରେ ଶେଷ ପର୍ଯ୍ୟାୟରେ ଏହି ଆସନଗୁଡିକ ଲାଗି ମତଗ୍ରହଣ ହେବାକୁ ଥିବା ପରିପ୍ରେକ୍ଷୀରେ ବିଜେଡି, ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ଦଳର ରାଜନେତାମାନେ ଏଠାରେ ଯେଉଁ ଗହଳି ଲଗାଇଥିଲେ ସେଥିରେ ପରିସମାପ୍ତି ଘଟିଛି । ପ୍ରଚାର ଅଭିଯାନ ଶେଷ ହେବା ସହିତ ନିର୍ବାଚନମଣ୍ଡଳୀ ବାହାରର ନେତାମାନଙ୍କୁ ସ୍ଥାନ ଛାଡିବାକୁ ପଡିଛି । ତେବେ ନିର୍ବାଚନ ପୂର୍ବର ଶେଷ ଦୁଇ ରାତିରେ ପ୍ରଥାନୁଯାୟୀ ‘ଅନ୍ଧାରୀ ବିଜେ’ ର ଯେଉଁ ବ୍ୟବସ୍ଥା ରହିଛି ତାହାକୁ ଗୋଡାଇ ଗୋଡାଇ ସୁରକ୍ଷାକର୍ମୀମାନେ ଧରୁଥିବାରୁ ଟଙ୍କା ବଣ୍ଟାଳିମାନେ ଅସୁବିଧାରେ ପଡୁଛନ୍ତି ।
ଏହି ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଲୋକସଭା କ୍ଷେତ୍ର ଗୁଡିକରେ ଯେଉଁମାନଙ୍କୁ ଭୋଟରମାନେ ପରଖିବାକୁ ଯାଉଛନ୍ତି ସେମାନଙ୍କ ଭିତରେ ରହିଛନ୍ତି କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡା ଓ ଅଂଶୁମାନ ମହାନ୍ତି, ବାଲେଶ୍ୱରରେ ଶ୍ରୀକାନ୍ତ ଜେନା, ପ୍ରତାପ ଷଡଙ୍ଗୀ ଓ ଲେଖାଶ୍ରୀ ସାମନ୍ତସିଂହାର, ମୟୁରଭଞ୍ଜରେ ନବ ଚରଣ ମାଝି ଓ ସୁଦାମ ମାରାଣ୍ଡି, ଭଦ୍ରକରେ ମଞ୍ଜୁଲତା ମଣ୍ଡଳ, ଅନନ୍ତ ପ୍ରସାଦ ସେଠୀ ଓ ଅଭିମନ୍ୟୁ ସେଠୀ, ଯାଜପୁରରେ ଶର୍ମିଷ୍ଠା ସେଠୀ ଓ ରବି ନାରାୟଣ ବେହେରା ଏବଂ ଜଗତ୍ସିଂହପୁରରେ ଡାକ୍ତର ରାଜଶ୍ରୀ ମଲ୍ଲିକ ଓ ବିଭୁ ପ୍ରସାଦ ତରାଇ ପ୍ରମୁଖ ।
ଏହି ୪୨ଟି ବିଧାନସଭା ଆସନ ମଧ୍ୟରୁ ଅନ୍ୟୁନ ୨୦ଟିରେ ବର୍ତ୍ତମାନର ବିଧାୟକମାନଙ୍କୁ ପ୍ରାର୍ଥୀ କରାଯାଇ ନାହିଁ । ଅନ୍ୟ ପକ୍ଷରେ ପାରାଦୀପ୍, ବାଙ୍ଗିରିପୋଷି ଓ ମୋରଡା ଭଳି କେତେକ ସ୍ଥାନରେ ସେମାନଙ୍କ ପତ୍ନୀମାନେ ନିର୍ବାଚନ ଲଢୁଛନ୍ତି । ପାଟକୁରାରେ ପୂର୍ବତନ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର, ମାହାଙ୍ଗାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା ଓ ଭଦ୍ରକରେ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ଏମାନଙ୍କ ଛଡା ବାଚସ୍ପତି ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଅଶ୍ୱିନୀ ପାତ୍ର, ପ୍ରୀତି ରଞ୍ଜନ ଘଡାଇ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ତୁଷାର କାନ୍ତି ବେହେରା ପ୍ରମୁଖ ନିଜ ନିଜ ଦଳରୁ ନିର୍ବାଚନ ଲଢୁଛନ୍ତି । ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ ସାମଲ, ଦେବାଶିଷ ନାୟକ, ଗଣେଶ୍ୱର ବେହେରା ଲଢୁଛନ୍ତି । ଏହି ନିର୍ବାଚନରେ ଅନ୍ୟ ଯେଉଁ ପ୍ରାର୍ଥୀମାନଙ୍କ ଉପରେ ରାଜ୍ୟବାସୀଙ୍କର ନଜର ରହିଛି ସେମାନେ ହେଲେ ବିଜେଡି ନେତା ରବି ଜେନାଙ୍କ ପତ୍ନୀ ସୁବାସିନୀ ଜେନା, ଡାକ୍ତର ଦେବସ୍ମିତା ଶର୍ମା, ସିପ୍ରା ମଲ୍ଲିକ, ଗୀତାଞ୍ଜଳୀ ସେଠୀ, ତେଜେଶ୍ୱର ପରିଡା, ଅମରେନ୍ଦ୍ର ଦାସ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଏବଂ ବିଜେଡିର ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମା’ ସଂଧ୍ୟାରାଣୀ ଦାସ ପ୍ରମୁଖ ।
ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ଶେଷ ହୋଇଥିବା ତିନିଟି ପର୍ଯ୍ୟାୟ ନିର୍ବାଚନରେ ବେଶ୍ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ବିଜେଡି ଓ ବିଜପି ପକ୍ଷରୁ ଘୋଷଣା କରାଯାଇ କିଏ କେଉଁଦିନ ରାଜ୍ୟରେ ସରକାର ଗଢିବ ସେଥିଘେନି ସମୟ ଧାର୍ଯ୍ୟ କରିଥିବାବେଳେ କଂଗ୍ରେସ ବି ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି କହୁଛି । ମୋଟାମୋଟି ଭାବେ ଓଡିଶାରେ ନିର୍ବାଚନ ପ୍ରଚାର କ୍ଷେତ୍ରରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦୁଇ ନମ୍ବର ତାରକା ପ୍ରଚାରକ ଭି.କେ.ପାଣ୍ଡିାନ, ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହାଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିବାବେଳେ କଂଗ୍ରେସରୁ ରାହୁଳ ଗାନ୍ଧୀ ପ୍ରଚାରର ଆକର୍ଷଣ ଥିଲେ । (ତଥ୍ୟ)