Home Health ନିର୍ବାଚନ ପାଇଁ ରକ୍ତ ସଙ୍କଟ

ନିର୍ବାଚନ ପାଇଁ ରକ୍ତ ସଙ୍କଟ

ଭୁବନେଶ୍ୱର : ନିର୍ବାଚନ ପ୍ରଚାର ପାଇଁ ବଡ ବଡ ନେତାଙ୍କ ଆଗମନ ଯୋଗୁଁ ରାଜଧାନୀରେ ରୋଗୀମାନେ ଏବେ ଛଟପଟ ହେଉଛନ୍ତି । ଏହି ବଡ ବଡ ନେତାଙ୍କ ପାଇଁ ରକ୍ତଭଣ୍ଡାରରେ ବିଭିନ୍ନ ଗ୍ରୁପ୍‍ର ରକ୍ତ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଥିବାରୁ ରୋଗୀମାନଙ୍କୁ ସହଜରେ ରକ୍ତ ମିଳୁନାହିଁ ।

ରାଜ୍ୟରେ ଏବେ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, କଂଗ୍ରେସର ଜାତୀୟ ସଭାପତିଙ୍କ ସମେତ ରାହୁଳ ଗାନ୍ଧୀ ପ୍ରମୁଖ ଘନ ଘନ ଓଡିଶା ଗସ୍ତ କରୁଛନ୍ତି । ଏହି ଭିଭିଆଇପିଙ୍କ ଲାଗି ରକ୍ତ ଭଣ୍ଡାରରେ ରକ୍ତ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ରହିଛି । ଜରୁରୀ ଆବଶ୍ୟକତା ସମୟରେ ଏହାକୁ ବ୍ୟବହାର କରାଯାଇ ପାରିବ ।

ତେବେ ଏକାଧିକ ଭିଭିଆଇପି ଆସୁଥିବାରୁ ସେମାନଙ୍କ ପାଇଁ ଭିନ୍ନ ଭିନ୍ନ ଗ୍ରୁପ୍‍ର ରକ୍ତ ସଂରକ୍ଷିତ ରଖିବାକୁ ପଡୁଛି । ଅତି କମ୍‍ରେ ଗୋଟିଏ ଗୋଟିଏ ଗ୍ରୁପ୍‍ର ଅତି କମ୍‍ରେ ୫/୬ଟି ରକ୍ତ ରଖିବାକୁ ପଡୁଛି । ରୋଗୀଙ୍କର ପାଇଁ ଯେତେ ଜରୁରୀ ଥିଲେ ବି ଭିଭିଆଇପିଙ୍କ ପାଇଁ ଥିବା ରକ୍ତରୁ ଦିଆଯାଉନାହିଁ । ଫଳରେ ଖୋଦ୍‍ ରାଜଧାନୀରେ ରୋଗୀଙ୍କ ସମ୍ପର୍କୀୟ ଏବେ ରକ୍ତ ଟୋପାଏ ବିଭିନ୍ନ ରକ୍ତଭଣ୍ଡାରକୁ ଧାଉଁଛନ୍ତି ।

ରକ୍ତ ବଦଳ ପାଇଁ ସାଙ୍ଗରେ ଦାତା ଥିଲେ ମଧ୍ୟ ରକ୍ତଭଣ୍ଡାର ରକ୍ତ ଦେଉନାହିଁ । ଯେଉଁ ଗ୍ରୁପ୍‍ର ରକ୍ତ ନେବେ ସେହି ଗ୍ରୁପ୍‍ର ରକ୍ତଦାତାଙ୍କୁ ଆଣିଲେ ଦିଆଯିବ ବୋଲି କହୁଛନ୍ତି । ତେଣୁ ରୋଗୀଙ୍କ ସମ୍ପର୍କୀମାନେ ଏବେ ଅକଳରେ ପଡୁଛନ୍ତି । ଏପରିକି କେତେକ ସମ୍ପର୍କୀୟ ରୋଗୀଙ୍କ ଛାଡି ଗ୍ରୁପ୍‍ ଅନୁଯାୟ ରକ୍ତଦାତା ଖୋଜିବାରେ ଲାଗିଛନ୍ତି ।

ରକ୍ତଭଣ୍ଡାର କର୍ତ୍ତୃପକ୍ଷଙ୍କ କହିବାକଥା ଯେ ବର୍ତ୍ତମାନ ସାରା ରାଜ୍ୟରେ ରକ୍ତ ସଙ୍କଟ ଦେଖାଦେଇଛି । ଗୋଟିଏ ପଟେ ପ୍ରଚଣ୍ଡ ଖରା ହେଉଥିବାବେଳେ ଅନ୍ୟପଟେ ରକ୍ତ ସଂଗ୍ରହ ଅଭିଯାନ ଧିମେଇ ଯାଇଛି । ପୂର୍ବଭଳି ରକ୍ତଦାନ ଶିବିର ଆୟୋଜନ ହେଉନାହିଁ । ସେହିଭଳି ଯେଉଁସବୁ ସଂସ୍ଥାଗୁଡିକ ରକ୍ତଦାନ ଶିବିର ଆୟୋଜନ କରି ବିପୁଳ ପରିମାଣରେ ରକ୍ତସଂଗ୍ରହ କରୁଥିଲେ ସେମାନେ ଏବେ ଏକ ପ୍ରକାର ନିରବି ଯାଇଛନ୍ତି । ଏହିସବୁ ସଂସ୍ଥାର ସଦସ୍ୟମାନେ ଏବେ ନିର୍ବାଚନରେ ବ୍ୟସ୍ତ ଥିବା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ।

ରକ୍ତ ସଙ୍କଟ ଏଭଳି ସ୍ଥିତିରେ ପହଞ୍ଚିଛି ଯେ ଖୋଦ୍‍ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରରେ ପଞ୍ଜିକୃତ ଥିବା ଥାଲାସେମିଆ ରୋଗୀମାନଙ୍କୁ ରକ୍ତ ଯୋଗାଯାଇ ପାରୁନାହିିଁ । ଯେଉଁମାନଙ୍କର ହିମୋଗ୍ଲୋବିନ ସ୍ତର ଅତି ତଳକୁ ଖସୁଛି ସେମାନଙ୍କୁ ପ୍ରଥମେ ରକ୍ତ ଦିଆଯାଉଛି । ଏଠାରେ ସାତଶହରୁ ଅଧିକ ଥାଲାସେମିଆ ଆକ୍ରାନ୍ତ ଥିବାବେଳେ ସେମାନେ ବି ଏବେ ଭିଭିଆଇପିଙ୍କ ପାଇଁ ରକ୍ତ ପାଇବାକୁ ଛଟପଟ ହେଉଛନ୍ତି । (ତଥ୍ୟ)