ଭୁବନେଶ୍ୱର : ପ୍ରଚଣ୍ଡ ତାତିରେ ସାରା ରାଜ୍ୟର ଲୋକେ ଛଟପଟ ହେଉଥିବାବେଳେ ଶ୍ରମିକମାନଙ୍କ ପାଇଁ ଲାଗୁ କଟକଣାକୁ କେହି ମାନୁ ନାହାନ୍ତି । ଧୂ ଧୂ ଖରାରେ ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟ ଜାରି ରହୁଥିବାବେଳେ ଶ୍ରମ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହିଁ ।
କିଛି ଦିନ ଥଣ୍ଡା ପଡିବା ପରେ ଓଡିଶାରେ ପୁଣି ତାତି ବଢିବାରେ ଲାଗିଛି । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଦାହ ଯୋଗୁଁ ଅଂଶୁଘାତକୁ ଦୃଷ୍ଟିରେ ରଖି ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲଗାଯାଇଛି । ବିଶେଷକରି ଖରାବେଳେ ଶ୍ରମିକମାନଙ୍କୁ କାର୍ଯ୍ୟ କରିବାପାଇଁ ବାରଣ ହୋଇଥିଲା । ତେବେ ଏହାକୁ ଏବେ ଅଧିକାଂଶ ସ୍ଥାନରେ କେହି ମାନୁନଥିବା ଦେଖିବାକୁ ମିଳୁଛି ।
ରାଜଧାନୀ ଓ ଏହାର ଆଖପାଖରେ ଏବେ ଜୋରସୋରରେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ସରକାରୀ ଓ ବେସରକାରୀ ସ୍ତରରେ ରାସ୍ତା ନିର୍ମାଣ ଠାରୁ ଆରମ୍ଭ କରି କୋଠାବାଡି ନିର୍ମାଣ ଚାଲିଛି । ଏଥିରେ ମହିଳା ଶ୍ରମିକମାନେ ନିୟୋଜିତ ହେଉଛନ୍ତି । ତେବେ ମୁଣ୍ଡଫଟା ଖରାରେ ଠିକାଦାରମାନେ ସରକାରୀ କଟକଣାକୁ ନମାନି ଏମାନଙ୍କୁ କାମରେ ଲଗାଉଥିବାବେଳେ କୌଣସି ଗୋଟିଏ ହେଲେ ସ୍ଥାନରେ ସରକାରୀ କଳ ଚଢାଉ କରୁଥିବାର ନଜରକୁ ଆସୁନାହିଁ ।
ସେହିଭଳି ଗ୍ରୀଷ୍ମ ପ୍ରବାହ ସମୟରେ ଘରୁ ନବାହାରିବାକୁ ପ୍ରଶାସନ ସତର୍କ ସୂଚନା ଦେବା ସହିତ ସାଙ୍ଗରେ ଆବଶ୍ୟକୀୟ ପାନୀୟଜଳ ନେବାକୁ ପରାମର୍ଶ ଦେଉଛନ୍ତି । ସାଧାରଣ ପରିବହନ କ୍ଷେତ୍ରରେ ନିୟୋଜିତ ଯାନଗୁଡିକୁ ମଧ୍ୟ ପାନୀୟଜଳ ଆଦି ରଖିବାକୁ କୁହାଯାଉଛି । ହେଲେ ଏହାକୁ ବି ଅଧିକାଂଶ କ୍ଷେତ୍ରରେ ଅଣଦେଖା କରାଯାଉଛି । ପରିବହନ ବିଭାଗ ଠାରୁ ଆରମ୍ଭକରି ଏସ୍ଆରସିଙ୍କ ଦପ୍ତର ପର୍ଯ୍ୟନ୍ତ କେହି ଏହାକୁ କଡାକଡିଭାବେ ପାଳନ କରିବାକୁ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି ।
ଖରାଦିନେ ସହରର ବିଭିନ୍ନ ସ୍ଥାନରେ ଯେଉଁସବୁ ଜଳସେବା କେନ୍ଦ୍ର ଖୋଲାଯାଇଥିଲା ସେଥିରୁ ଅଧିକାଂଶ ଉଭାନ ହୋଇଗଲାଣି । ଚାରି/ପାଞ୍ଚ ଖଣ୍ଡ ବାଉଁଶ ଓ ରଙ୍ଗ ବେରଙ୍ଗର ଫ୍ଲେକ୍ସ ଲଗାଇ ତିଆରି ହୋଇଥିବା ଜଳସେବା କେନ୍ଦ୍ର ଭାଙ୍ଗିରୁଜି ଯାଇଥିବାବେଳେ ବିଏମ୍ସି ପକ୍ଷରୁ ଏହାକୁ ମରାମତି କରାଯାଉ ନାହିଁ କିମ୍ବା ସେଠାରେ ଜଳପାତ୍ର ରଖାଯାଉ ନାହିଁ । କିଛି ଦିନ ରାଜଧାନୀରେ ତାପମାତ୍ରା କମ୍ ଯୋଗୁଁ ବେସରକାରୀ ସଂସ୍ଥାଗୁଡିକ ମଧ୍ୟ ପୂର୍ବଭଳି ଜଳଛତ୍ର ଖୋଲୁ ନାହାନ୍ତି । ବର୍ତ୍ତମାନ ପୁଣିଥରେ ଗ୍ରୀଷ୍ମ ପ୍ରବାହ ଲେଉଟିଥିବାରୁ ପଥଚାରୀମାନେ ପାଣି ଟୋପାଏ ପିଇବାକୁ ଡହଳ ବିକଳ ହେଉଛନ୍ତି ।
କେବଳ ମଣିଷ ନୁହନ୍ତି ବୁଲା ପଶୁ ପକ୍ଷୀମାନେ ମଧ୍ୟ ମୁଣ୍ଡଫଟା ଖରାରେ ପାଣି ଟୋପାଏ ପାଉ ନାହାନ୍ତି । ଯେଉଁଠାରେ ଲୋକେ ଦୟା ପରବେଶ ହୋଇ ଘର ବାହାରେ ଜଳପାତ୍ର ରଖୁଛନ୍ତି ସେଠାରୁ କିଛି ପଶୁପକ୍ଷୀ ଶୋଷ ମେଣ୍ଟାଉଥିବାବେଳେ ଅନେକ କିନ୍ତୁ ପାଣି ଟିକେ ପାଇଁ ଡହଳ ବିକଳ ହେଉଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)