Home Election ପୋଷ୍ଟର ଚିରା ଅଭିଯାନ ଆରମ୍ଭ

ପୋଷ୍ଟର ଚିରା ଅଭିଯାନ ଆରମ୍ଭ

ଭୁବନେଶ୍ୱର : ମତଦାନ ତାରିଖ ପାଖେଇ ଆସୁଥିବାବେଳେ ଏବେ ବିଭିନ୍ନ ସ୍ଥାନରେ ପୋଷ୍ଟର ଚିରା ଅଭିଯାନ ଜୋର ଧରିଛି । ରାତି ଅଧିଆ ଭାବେ ପୋଷ୍ଟରକୁ ଚିରିବା, ସମ୍ପୂର୍ଣ୍ଣ କାଢିନେବା ଓ ପୋଷ୍ଟର ମୁହଁରେ ରଙ୍ଗ ବୋଳିବା ଭଳି କାମ ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ବିଧିବଦ୍ଧ ଅଭିଯୋଗ ହୋଇାହିଁ ।

ବିଭିନ୍ନ ରାଜନୈତିକ ଦଳ ଏବେ ସହର ଠାରୁ ଗାଁ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରରେ ମାତିଛନ୍ତି । ଲୋକଙ୍କୁ ନିଜ ପଟକୁ ଆକର୍ଷିତ କରିବାପାଇଁ ରଙ୍ଗ ବେରଙ୍ଗର ପୋଷ୍ଟର, ବ୍ୟାନର, ହୋର୍ଡିଂ ଆଦି ବିଭିନ୍ନ ସ୍ଥାନରେ ଲଗାଉଛନ୍ତି । କେତେକ ପୋଷ୍ଟର ବ୍ୟାନର ରାଜ୍ୟରେ ପ୍ରସ୍ତୁତ ହେଉଥିବାବେଳେ ଆଉ କେତେକ ରାଜ୍ୟ ବାହାରୁ ପ୍ରସ୍ତୁତ ହୋଇ ଆସୁଛି । ଲୋକେ କିଭଳି ଏହାକୁ ସହଜରେ ଦେଖିପାରିବେ ସେଥିପାଇଁ ପ୍ରମୁଖ ସ୍ଥାନଗୁଡିକରେ ଏହା ଲଗାଯାଉଛି ।

ତେବେ ଖୋଦ୍‍ ରାଜଧାନୀର କେତେକ ପ୍ରମୁଖ ସ୍ଥାନରୁ ପୋଷ୍ଟର ହଟିବା ଓ ଫଟୋ ମୁହଁରେ ରଙ୍ଗ ମାରିବା ଭଳି କାର୍ଯ୍ୟ ଚାଲିଛି । ରାତି ଅଧରେ ଦୁର୍ବୃର୍ତ୍ତମାନେ ଏଭଳି କାର୍ଯ୍ୟ କରୁଥିବାରୁ ସହଜରେ ଧରା ପଡୁନାହାନ୍ତି । ତେଣୁ ବର୍ତ୍ତମାନ ସୁଦ୍ଧା ଏ ନେଇ ବିଧିବଦ୍ଧ ଭାବେ କୌଣସି ଅଭିଯୋଗ ହୋଇନାହିଁ । ଏପରିକି ପୋଷ୍ଟର ଲଗାଇଥିବା ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ମଧ୍ୟ ଏ ନେଇ ମୁହଁ ଖୋଲି ନାହାନ୍ତି ।

ଉଲ୍ଲେଖନୀୟ ଯେ ନିର୍ବାଚନ ଘୋଷଣା ପୂର୍ବରୁ ରାଜଧାନୀର ବିଭିନ୍ନ ସ୍ଥାନରେ ରାଜନୈତିକ ପୋଷ୍ଟର ଲାଗିବା ସହିତ କାନ୍ଥାବାଡରେ ବି ଦଳୀୟ ଚିହ୍ନ ଓ ସ୍ଲୋଗାନ ଆଦି ଲେଖାଯାଇଥିଲା । ହେଲେ ଅଭିଯୋଗ ପରେ ମହାନଗର ନିଗମ ପକ୍ଷରୁ ଏଗୁଡିକୁ ତୁରନ୍ତ ହଟାଯାଇଥିଲା । ଏପରିକି ବିଭିନ୍ନ ସ୍ଥାନରେ କାନ୍ଥ ବାଡରେ ଥିବା ଚିତ୍ର ଓ ଲେଖାଗୁଡିକ ଉପରେ ରଙ୍ଗମାରି ତାହାକୁ ଲିଭାଇ ଦିଆଯାଇଥିଲା ।

ବର୍ତ୍ତମାନ ରାଜଧାନୀ ସମେତ ସମଗ୍ର ରାଜ୍ୟରେ ପୋଷ୍ଟର ମରାଯାଉଥିବାବେଳେ କେତେକ ସ୍ଥାନରେ ଏହାକୁ ରାତି ଅଧିଆ ଚିରିବା ଓ ରଙ୍ଗରେ ନିଭାଇଦେବା ଭଳି ବେଆଇନ୍‍ କାର୍ଯ୍ୟ ଚାଲିଛି । ଏହାକୁ କିଏ କରୁଛି ତାହାର କୌଣସି ପ୍ରମାଣ ନଥିବାବେଳେ ଆଗାମୀ ଦିନରେ ଏହା ରାଜନୈତିକ ହିଂସାକାଣ୍ଡର ରୂପ ନେବାର ବି ଆଶଙ୍କା ରହିଛି । ତେଣୁ ସହରାଞ୍ଚଳ ଠାରୁ ଗାଁ ଗଣ୍ଡା ପର୍ଯ୍ୟନ୍ତ ଏହା ଉପରେ ପ୍ରଶାସନ ନଜର ରଖିବା ଜରୁରୀ ହୋଇପଡିଥିବା କୁହାଯାଉଛି ।

ତେବେ ସହରାଞ୍ଚଳର କେଉଁଠି କିଏ କିଭଳି ରାଜନୈତିକ ପୋଷ୍ଟର ଲଗାଇବ ସେ ନେଇ ସ୍ପଷ୍ଟ ସୂଚନା ପ୍ରକାଶିତ ହୋଇନଥିବାରୁ ଏବେ ଯିଏ ଯେଉଁଠି ପାରୁଛି ଛୋଟ ଓ ବଡ ପୋଷ୍ଟର ଲଗାଇବାରେ ଲାଗୁଛି । ଏପରିକି କିଛି ଲୋକଙ୍କ ପାଚେରୀ ଓ ଫାଟକ ଏବେ ରାଜନୈତକ ଦଳଙ୍କ ପୋଷ୍ଟର ମାରିବାର ପ୍ରମୁଖ ସ୍ଥାନ ପାଲଟିଛି । ତେବେ ଅଧିକାଂଶ ସ୍ଥାନରେ ରାଜନୈତିକଦଳଗୁଡିକ ଏହାକୁ ରାତି ଅଧିଆ କରୁଥିବାରୁ ଲୋକେ ପ୍ରତିବାଦ କରିପାରୁ ନାହାନ୍ତି । ବରଂ ନିଜ ହାତରୁ ଅର୍ଥ ଶ୍ରାଦ୍ଧ କରି ଏହାକୁ ହଟାଇବାକୁ ସ୍ଥିର କରୁଛନ୍ତି । (ତଥ୍ୟ)