ଭୁବନେଶ୍ୱର : ବର୍ଷକୁ ହାରାହାରି ୧୭ହଜାର ପିଲାଙ୍କୁ ଚିହ୍ନଟ କରାଯାଉଛି ଯେଉଁମାନେ କି ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଛନ୍ତି । ୨୦୧୫ ମସିହାରେ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ୍ ଲାଗୁ ହେବାପରେ ୨୦୧୬ରୁ ଏପର୍ଯ୍ୟନ୍ତ ୮୮ହଜାରରୁ ଅଧିକ ପିଲାଙ୍କୁ ଚିହ୍ନଟ କରାଯାଇଛି ।
ଅଠର ବର୍ଷ ବୟସରୁ କମ୍ ବୟସର ପିଲା ଯେଉଁମାନେ ସୁରକ୍ଷା ଓ ଯତ୍ନ ଆବଶ୍ୟକ କରୁଛନ୍ତି ସେମାନଙ୍କୁ ସରକାରୀ କଳ ଚିହ୍ନଟ କରୁଛି । ଏହି ବର୍ଗରେ ପିତାମାତାହୀନ, ରୋଗାକ୍ରାନ୍ତ, ବାଳଶ୍ରମିକ, ବାଳ ଅପରାଧି, ଆଇନ୍ ସହାୟତା ଚାହୁଁଥିବା ଆଦି ପିଲାଙ୍କ ସହିତ ଅତି ଗରିବ ପରିବାରର ପିଲା ବି ରହିଛନ୍ତି । ଚିହ୍ନଟ ପରେ ୮୮ହଜାର ଶିଶୁଙ୍କ ମଧ୍ୟରୁ ପ୍ରାୟ ୨୮ହଜାର ଶିଶୁଙ୍କ ଶିଶୁକଲ୍ୟାଣ କମିଟିର ନିର୍ଦ୍ଦେଶ ମୁତାବକ ନିର୍ଦ୍ଦିଷ୍ଟ ସମୟ ପାଇଁ ଶିଶୁ ଯତ୍ନ ଅନୁଷ୍ଠାନରେ ରହିବାର ବନ୍ଦୋବସ୍ତ କରାଯାଇଛି । ଏହି ଅନୁଷ୍ଠାନଗୁଡିକୁ ଛାତ୍ରାବାସ ଭାବରେ ବ୍ୟବହାର କରାଯାଉନାହିଁ । ବର୍ତ୍ତମାନ ରାଜ୍ୟରେ ୨୩୯ଟି ପଞ୍ଜିକୃତ ଶିଶୁ ଯତ୍ନ ଅନୁଷ୍ଠାନ ପରିଚାଳିତ ହେଉଥିବାବେଳେ ସେଥିରୁ ୨୩୧ଟି ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଏବଂ ୮ଟି ଆଇନ୍ ସହ ଦ୍ୱନ୍ଦରେ ଥିବା ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଛି ।
ଶିଶୁ ସୁରକ୍ଷା ସେବା ଯୋଜନାରେ ୧୨୫ଟି ଅନୁଷ୍ଠାନକୁ ପ୍ରତି ଶିଶୁଙ୍କ ଲାଗି ମାସିକ ୨୧୬୦ ଟଙ୍କା ସରକାର ପ୍ରଦାନ କରୁଛନ୍ତି । ସେହିଭଳି ସ୍ୱଳ୍ପ ଅବଧି ପାଇଁ ଯେଉଁ ଶିଶୁମାନେ ମୁକ୍ତ ଆଶ୍ରୟ କେନ୍ଦ୍ର ରହୁଥିବେ ଓ ବିଭିନ୍ନ ଅନୁଷ୍ଠାନରେ ରହୁଥିବା ଶିଶୁଙ୍କର ବ୍ୟକ୍ତିଗତ ଯତ୍ନ ବିବରଣୀ ପ୍ରସ୍ତୁତ ହୋଇଛି ।
ରାଜ୍ୟ ସରକାର ୫ବର୍ଷ ମଧ୍ୟରେ ୮୮ହଜାରରୁ ଅଧିକ ଶିଶୁଙ୍କୁ ଚିହ୍ନଟ କରିଥିବା ଦର୍ଶାଉଥିବାବେଳେ ରାଜ୍ୟରେ ବାସ୍ତବସଂଖ୍ୟା କିନ୍ତୁ ଏହାଠାରୁ ଢେର ଅଧିକ ବୋଲି ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ଦର୍ଶାଉଛନ୍ତି । ସେମାନଙ୍କ ମତରେ ରାଜ୍ୟରେ କେବଳ ଲକ୍ଷାଧିକ ଶିଶୁ ଶ୍ରମିକ ରହିଛନ୍ତି । ଏହାବାଦ୍ ପିତୃମାତୃହୀନ ପିଲା ଓ ବାଳ ଅପରାଧ ସହ ଜଡିତ ହୋଇ ଆଇନ୍ ସହାୟତା ଚାହୁଁଥିବା ପିଲାଙ୍କ ସଂଖ୍ୟା ବି କିଛି କମ୍ ନୁହେଁ ।
କରୋନା କାଳରେ ସୁରକ୍ଷା ଓ ଯତ୍ନ ଚାହୁଁଥିବା ପିଲାଙ୍କ ସଂଖ୍ୟାରେ ଢେର ବୃଦ୍ଧି ଘଟିଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଅନେକ ପିଲା ବି ସୁରକ୍ଷା ଓ ଯତ୍ନ ଆବଶ୍ୟକ କରୁଛନ୍ତି । ତେଣୁ ତୃଣମୂଳ ସ୍ତରରୁ ଏଭଳି ପିଲାଙ୍କୁ ଚିହ୍ନଟ କରି ଆଇନ୍ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଗଲେ ଅଧିକାଂଶ ଶିଶୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତପ୍ରକାଶ ପାଉଛି ।