Home General ପରିବହନ ପୋର୍ଟାଲ ଅଚଳ

ପରିବହନ ପୋର୍ଟାଲ ଅଚଳ

ଭୁବନେଶ୍ୱର : ପରିବହନ ସେବା ପୋର୍ଟାଲ ସର୍ଭର ଅଚଳ । ଜରୁରୀକାଳୀନ ମରାମତି ପାଇଁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏହା କାମ କରିବ ନାହିଁ ବୋଲି ସୂଚନା ଦିଆଯାଇଥିବାବେଳେ ଏଥିଯୋଗୁଁ ପରିବହନ ଦପ୍ତର କାର୍ଯ୍ୟ ଏକ ପ୍ରକାର ଅଚଳ ସହିତ ଲୋକେ ବି ନାହିଁନଥିବା ସମସ୍ୟା ଭୋଗିଲେଣି ।

ବର୍ତ୍ତମାନ ସମସ୍ତ ପ୍ରକାର ପରିବହନ ସେବା ଅନଲାଇନ୍‍ ଜରିଆରେ ହେଉଛି । ନୂଆ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ଠାରୁ ଆରମ୍ଭକରି ଲାଇସେନ୍ସର ନବୀକରଣ, ଚାଲାଣ କାଟିବା, ଟିକସ ଆଦାୟ, ଫିଟ୍‍ନେସ୍‍ ପ୍ରଦାନ ଆଦି ସମସ୍ତ କାର୍ଯ୍ୟକୁ ଅନ୍‍ଲାଇନ୍‍ ଜରିଆରେ ହେଉଛି । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ‘ପରିବହନ ସେବା’ ପୋର୍ଟାଲ ଜରିଆରେ ସମସ୍ତ କାର୍ଯ୍ୟ ହେଉଥିବାବେଳେ ଏହାର ପ୍ରସ୍ତୁତକାରୀ ହେଉଛି ଏନ୍‍ଆଇସି । ପ୍ରସ୍ତୁତି ସହିତ ଏନ୍‍ଆଇସି ଏହାର ରକ୍ଷଣା ବେକ୍ଷଣ ବି କରୁଛି । ତେବେ ଏହି ପୋର୍ଟାଲ ଗତ କିଛି ଦିନ ହେଲା ବାରମ୍ବାର ଅଚଳ ହେଉଛି ।

ଆଜି ପୋର୍ଟାଲରେ ସ୍ପଷ୍ଟ ସୂଚନା ଦିଆଯାଇଛି ଯେ ଏହା ଆସନ୍ତା ୧୮ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ନାହିଁ । ଜରୁରୀ ମରାମତିପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଏଥିଯୋଗୁଁ ରାଜ୍ୟରେ ଥିବା ଆରଟିଓ ଦପ୍ତରଗୁଡିକ ଏକ ପ୍ରକାର ଅଚଳ ହୋଇଯାଇଛି । ଯେଉଁମାନଙ୍କର ଡ୍ରାଇଭିଂ ଲାଇସେନ୍ସର ଅବଧି ଏହିସମୟରେ ସରିଯାଉଛି ସେମାନେ ଚିନ୍ତାରେ ରହିଛନ୍ତି ।

ତେବେ ଏହି ପୋର୍ଟାଲଟି ଅଚଳ ହେବା କିଛି ନୂଆ କଥା ନୁହେଁ ବୋଲି ପରିବହନ ଅଧିକାରୀମାନେ କହିଛନ୍ତି । ଗତ କିଛି ଦିନ ଧରି ଏହା ଲଗାତାର ଭାବେ ଖରାପ ହେଉଛି । ଏପରିକି ଲୋକେ ଏକାଧିକଥର ନିଜର ତଥ୍ୟ ଦରଜ ସହିତ ଓଟିପି ଦାଖଲ କରୁଥିଲେ ମଧ୍ୟ ତାହା କାମ କରୁନାହିଁ । ଏଥିପାଇଁ ଲୋକେ କେବଳ ହଇରାଣ ହେଉ ନାହାନ୍ତି ଅର୍ଥଶ୍ରାଦ୍ଧ ବି କରୁଛନ୍ତି । ଏ ନେଇ ପରିବହନ ବିଭାଗ ପକ୍ଷରୁ ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ ।

କିଛି ପରିବହନ ଅଧିକାରୀଙ୍କ କହିବା କଥା ଯେ ରାଜ୍ୟରେ ଏକାଧିକ ପରିବହନ କାର୍ଯ୍ୟ ଅନଲାଇନ୍‍ ଜରିଆରେ ହେଉଥିବାବେଳେ ରାଜ୍ୟ ସରକାରଙ୍କର ଏହି ପୋର୍ଟାଲ ଉପରେ କୌଣସି କର୍ତ୍ତୃତ୍ୱ ନାହିଁ । ବାରମ୍ବାର ଏହା ଅଚଳ ହେବା ସହିତ ଲୋକେ ହଇରାଣ ହେଉଥିଲେ ମଧ୍ୟ କିଛି କରାଯାଇ ପାରୁନାହିଁ । ଅତି କମ୍‍ରେ ରାଜ୍ୟ ସରକାରଙ୍କ ହାତକୁ ଓଡିଶା ପାଇଁ ଏହାର ପରିଚାଳନା ଭାର ଆସିଲେ ଏଭଳି ସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ । ଯଦି ସ୍ଥିତିରେ ପରିବର୍ତ୍ତନ ନହୁଏ ତେବେ ଲୋକେ କେବଳ ହଇରାଣ ହରକତ ହେବେନାହିଁ, ରାଜସ୍ୱ ଆଦାୟ ହ୍ରାସ ପାଇବା ସହିତ ଆଗାମୀ ଦିନରେ ଏହାକୁ ନେଇ ମାଲି ମୋକଦ୍ଦମା ବୃଦ୍ଧି ପାଇବ । (ତଥ୍ୟ)