Home Election ୨୮ ସାଂସଦ ପ୍ରାର୍ଥୀ କୋଟିପତି

୨୮ ସାଂସଦ ପ୍ରାର୍ଥୀ କୋଟିପତି

ଭୁବନେଶ୍ୱର : ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ୬୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ଏମାନଙ୍କ ମଧ୍ୟରୁ ୨୮ଜଣ ହେଉଛନ୍ତି । ବିଜେଡିର ସମସ୍ତ ୬ଜଣ ଯାକ ପ୍ରାର୍ଥୀ କୋଟିପତି ତାଲିକାରେ ଥିବାବେଳେ ବିଜେପି ଓ ବିଜେଡିର ୪ଜଣ କରି ପ୍ରାର୍ଥୀ କୋଟିପତି ଅଛନ୍ତି । ତେବେ କୋଟିପତି ତାଲିକାରେ ବିଏସ୍‍ପିର ୩ଜଣ ଥିବାବେଳେ ୮ଜଣ ସ୍ୱାଧୀନପ୍ରାର୍ଥୀ ବି କୋଟିପତି ତାଲିକାରେ ରହିଛନ୍ତି ।

ଏଡିଆର ଏବଂ ଓଡିଶା ଇଲେକ୍ସନ ୱାଚ୍‍ ପକ୍ଷରୁ ୬ଟି ଲୋକସଭା ଆସନର ୬୪ଜଣ ପ୍ରାର୍ଥୀ ଦାଖଲ କରିଥିବା ସତ୍ୟପାଠ ଆଧାରରେ ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ବିଜେଡିର କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ହେଉଛନ୍ତି ସବୁଠାରୁ ଧନି । ତାଙ୍କ ସମ୍ପତ୍ତିର ପରିମାଣ ୪୮୨ କୋଟି ଟଙ୍କାରୁ ଅଧିକ ରହିଛି । ତାଙ୍କ ପଛକୁ ରହିଛନ୍ତି ଢେଙ୍କାନାଳର ବିଜେଡି ପ୍ରାର୍ଥୀ ଅବିନାଶ ସାମଲ । ପେଶାରେ ଡାକ୍ତର ଥିବା ଅବିନାଶଙ୍କ ସମ୍ପତ୍ତିର ପରିମାଣ ୩୬କୋଟି ଟଙ୍କାରୁ ଅଧିକ ରହିଛି । ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି କେନ୍ଦୁଝରରୁ ବିଏସ୍‍ପି ପ୍ରାର୍ଥୀ ହୋଇଥିବା ରାମ ପ୍ରସାଦ ହେମ୍ବ୍ରମ । ତାଙ୍କ ସମ୍ପତ୍ତିର ପରିମାଣ ରହିଛି ପାଖାପାଖି ୩୬ କୋଟି ଟଙ୍କା ।

ତେବେ ପୁରୀ ଲୋକସଭା ଆସନରୁ ସ୍ୱାଧୀନ ଭାବେ ଲଢୁଥିବା ଦିଲ୍ଲୀପ କୁମାର ବରାଳଙ୍କ ସମ୍ପତ୍ତିର ପରିମାଣ ମାତ୍ର ୪୦୩୨ ଟଙ୍କା ଥିବାବେଳେ ସେହି ଆସନରୁ ଏସ୍‍ୟୁସିଆଇ ପ୍ରାର୍ଥୀ ହୋଇଥିବା ସୁବାସ ଚନ୍ଦ୍ର ଭୋଇଙ୍କ ସମ୍ପତ୍ତିର ପରିମାଣ ୧୯,୫୦୦ ଟଙ୍କା ଏବଂ ଭୁବନେଶ୍ୱର ଲୋକସଭା ଆସନରୁ ଭାରତୀୟ ବିକାଶ ପରିଷଦ ପ୍ରାର୍ଥୀ ନଟବର ମହାରଣାଙ୍କ ସମ୍ପତ୍ତିର ପରିମାଣ ୨୫ହଜାର ଟଙ୍କା ରହିଛି ।

ସେହିଭଳି ଏହି ୬୪ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୮ଜଣଙ୍କ ନାଁରେ ଅପରାଧିକ ମାମଲା ରହିଥିବାବେଳେ ୧୩ଜଣଙ୍କ ନାଁରେ ଜଘନ୍ୟ ଅପରାଧିକ ମାମଲା ରହିଛି । ଜଣେ ପ୍ରାର୍ଥୀଙ୍କ ନାଁରେ ହତ୍ୟା ମାମଲା ରହିଥିବାବେଳେ ୪ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ଏବଂ ୪ଜଣଙ୍କ ନାଁରେ ମହିଳା ବିରୋଧି ହିଂସା ମାମଲା ରହିଛି । ବିଜେପିର ସମସ୍ତ ୬ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଥିବାବେଳେ କଂଗ୍ରେସର ୩ ଏବଂ ବିଜେଡିର ୨ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି ।

ମୋଟ୍‍ ୬୪ଜଣ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ସର୍ବାଧିକ ୧୬ଜଣ ସ୍ନାତକୋତ୍ତର ହୋଇଥିବାବେଳେ ୧୪ଜଣ ସ୍ନାତକ, ୧୦ଜଣ ସ୍ନାତକ ବୃତ୍ତିଧାରୀ, ୯ଜଣ ମାଟ୍ରିକ ପାଶ୍‍ ଓ ୯ଜଣ ଯୁକ୍ତ ଦୁଇ ପାଶ୍‍ କରିଛନ୍ତି । ୩ଜଣ ପ୍ରାର୍ଥୀ ପିଏଚ୍‍ଡି ହାସଲ କରିଥିବାବେଳେ ଜଣେ ଡିପ୍ଲୋମାଧାରୀ ରହିଛନ୍ତି । ତେବେ ମାତ୍ର ଜଣେ ପ୍ରାର୍ଥୀ ନିଜର ସାକ୍ଷର ବୋଲି ଦର୍ଶାଇଥିବାବେଳେ ଜଣେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୮ମ ପାଶ୍‍ ରହିଛି ।