ଭୁବନେଶ୍ୱର : ରାଜ୍ୟରେ ଆଉ ତିନି ପର୍ଯ୍ୟାୟ ନିର୍ବାଚନ ବାକି ଥିବାବେଳେ ଓଡିଶାକୁ ଏବେ କେନ୍ଦ୍ରୀୟ ନେତାଙ୍କ ସୁଅ ଛୁଟିବାରେ ଲାଗିଛି । ଏହି ତାଲିକାର ଆଗରେ ରହିଛି ବିଜେପି ।
ଓଡିଶାରେ ନିର୍ବାଚନ ପ୍ରଚାର ଲାଗି ବିଜେପିର ଆଗଧାଡିର ନେତା ଯଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଘନ ଘନ ଓଡିଶା ଗସ୍ତ କରିବାରେ ଲାଗିଛନ୍ତି । ଏମାନେ ର୍ନିବାଚନ ସଭା ସହିତ ରୋଡ୍ ସୋ ଜରିଆରେ ଘମାଘୋଟ ପ୍ରଚାର ଚଳାଇଛନ୍ତି । ସେହିଭଳି ବିଜେପି ପ୍ରାର୍ଥୀଙ୍କ ଲାଗି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ବାଚସ୍ପତି ଓମ୍ ବିର୍ଲା ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେସ ସାଏ ପ୍ରମୁଖ ନିର୍ବାଚନ ପ୍ରଚାର କରୁଛନ୍ତି ।
ଓଡିଶାରେ ଜୁନ୍ ୧ ତାରିଖରେ ଶେଷ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ମଇ ୩୦ ତାରିଖରେ ନିର୍ବାଚନ ପ୍ରଚାର ସରିବ । ତେଣୁ ହାତରେ ଆହୁରି ୧୫ଦିନ ଥିବାରୁ ଆଗାମୀ ଦିନରେ ବିଜେପିର ଆହୁରି ଅଧିକ ନେତା ପ୍ରଚାର ପାଇଁ ଆସିବାର ଯୋଜନା ରହିଛି । ଏମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ବିଜେପି ସାଂସଦ ତଥା ଚଳଚିତ୍ର ଅଭିନେତ୍ରୀ ହେମାମାଳିନୀ ରହିଛନ୍ତି । ହେମାଙ୍କର ଓଡିଶାରେ ରୋଡ୍ ସୋ କାର୍ଯ୍ୟକ୍ରମ ରହିଛି । ତେବେ ଦେଶର ବିଭିନ୍ନ ରାଜ୍ୟରେ ଲୋକସଭା ପାଇଁ ମତଦାନ ପର୍ଯ୍ୟାୟ ଆଗୁଆ ସରୁଥିବାରୁ ଅଧିକରୁ ଅଧିକ ବିଜେପି ନେତା ଓଡିଶା ଗସ୍ତ କରିବେ ବୋଲି ସୂଚନା ମିଳିଛି ।
ସେହିଭଳି କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ଦଳର ଷ୍ଟାର ପ୍ରଚାରକ ରାହୁଳ ଗାନ୍ଧୀ ଓଡିଶାକୁ ତାଙ୍କର ଗସ୍ତ ଜାରି ରଖିଛନ୍ତି । ଇତି ମଧ୍ୟରେ ରାହୁଳ ଦୁଇ ଦୁଇ ଥର ଓଡିଶା ଆସି ନିର୍ବାଚନ ପ୍ରଚାର ଚଳାଥିବାବେଳେ ଦଳର ବରିଷ୍ଠ ନେତା ଜୟରାମ ରମେଶ ଓଡିଶାକୁ ଆସିଛନ୍ତି । ତେବେ ଖୁବ୍ଶୀଘ୍ର କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ ଓ ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ଆଗଧାଡିର ନେତା ଓଡିଶାକୁ ନିର୍ବାଚନୀ ପ୍ରଚାରରେ ଆସିବାର ସମ୍ଭାବନା ରହିଛି ।
ଏହି ଦୁଇ ଜାତୀୟ ଦଳର ଲଢେଇ ମୁଖ୍ୟତଃ ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ସହିତ ହେଉଛି । ତେଣୁ ଉଭୟ ବିଜେପି ଓ କଂଗ୍ରେସର ମୁକାବିଲା ପାଇଁ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ନେତା ଭି.କେ. ପାଣ୍ଡିଆନ ପ୍ରଚାରର ମଙ୍ଗ ଧରିଛନ୍ତି । ପାଣ୍ଡିଆନ ଦୈନିକ ଏକାଧିକ ନିର୍ବାଚନୀ ସଭା ଓ ରୋଡ୍ ସୋ କରୁଥିବାବେଳେ ଏବେ ଦଳର ପ୍ରଚାର କାର୍ଯ୍ୟକ୍ରମରେ କିଛି ଓଡିଆ ଚଳଚିତ୍ର ତାରକାଙ୍କୁ ଦେଖିବାକୁ ମିଳୁଛି ।
ଇତି ମଧ୍ୟରେ ମୁମ୍ବାଇ ଚଳଚିତ୍ର ଜଗତର ଜଣେ ଦୁଇଜଣ ତାରକା ଓଡିଶାରେ ପ୍ରଚାର ମଇଦାନକୁ ଓହ୍ଲାଇଥିବାବେଳେ ଆଗାମୀ ଦିନରେ ଚଳଚିତ୍ର ଜଗତର ଆଉ କିଛି ଷ୍ଟାର ଓଡିଶା ଆସିବେ ବୋଲି ସୂଚନା ମିଳୁଛି । ତେବେ ରାଜ୍ୟରେ ଆଗାମୀ ୨୫ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ମତଦାନ ଓ ଜୁନ୍ ୧ରେ ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟ ମତଦାନ ପୂର୍ବରୁ ରାଜ୍ୟରେ ଏକାଧିକ କେନ୍ଦ୍ରୀୟ ନେତା ଓ ଜାତୀୟ ସ୍ତରର ଅଭିନେତାଙ୍କୁ ଦେଖିବାକୁ ମିଳିବାର ସମ୍ଭାବନା ରହିଛି । (ତଥ୍ୟ)