ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ଲାଗି ନିର୍ବାଚନରେ କଂଗ୍ରେସ ପୂର୍ବାପେକ୍ଷା ଅଧିକ ଭଲ ପ୍ରଦର୍ଶନ କରିବ ବୋଲି କହୁଥିବା ବେଳେ ଉଭୟ ବିଜେଡି ଓ ବିଜେପି ଏହି ସମସ୍ତ ଲୋକସଭା କ୍ଷେତ୍ରରେ ଜିତିବେ ବୋଲି ଦମ୍ଭୋକ୍ତି କରୁଛନ୍ତି । ୨୮ଟି ବିଧାନସଭା କ୍ଷେତ୍ରରୁ ବିଜେଡି ୨୪ଟିରେ ଜିତିବ ବୋଲି କହୁଥିବା ବେଳେ ବିଜେପି କହୁଛି ୧୮ଟିରେ ଏହାର ପ୍ରାର୍ଥୀମାନେ ଜିତିବେ ବୋଲି । ତେବେ ଜୁନ୍ ୪ ତାରିଖରେ ହେବାକୁ ଥିବା ଭୋଟ ଗଣତି ପରେ କାହାର ଦମ୍ଭ କେତେ ଏବଂ କାହାର ଦାବି କେତେ ସତ ଓ କେତେ ମିଛ ତାହା ପ୍ରମାଣିତ ହେବ ।
ଓଡ଼ିଶାରେ ଆଉ ତିନି ପର୍ଯ୍ୟାୟରେ ଭୋଟ ହେବାକୁ ବାକି ଅଛି । ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ଅନୂନ୍ୟ ୨୦ଟିରେ ଜିତିବ ବୋଲି ତାହାର ପ୍ରବକ୍ତାମାନେ ଆଶା ବ୍ୟକ୍ତ କରୁଥିବା ବେଳେ ବିଜେପିର ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂହ କହୁଛନ୍ତି ଯେ, ତାଙ୍କ ଦଳ ଓଡ଼ିଶାରେ ଅନୂନ୍ୟ ୧୬ଟି ଲୋକସଭା ଆସନ ଦଖଲ କରିବ । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ସଂସଦୀୟ କ୍ଷେତ୍ରରେ ତୁଳନାତ୍ମକ ଭାବେ ଢ଼େର ଭଲ ପ୍ରଦର୍ଶନ କରିବ ବୋଲି ଦଳର ନେତାମାନେ କହୁଛନ୍ତି ।
ବିଧାନସଭା ନିର୍ବାଚନ ନ ସରୁଣୁ ଏହି ୩ ଦଳ ରାଜ୍ୟରେ ସରକାର ଗଢ଼ିବେ ବୋଲି ଦାବି କରୁଛନ୍ତି । କଂଗ୍ରେସ ନେତାମାନେ ଏବେ ବି କହୁଛନ୍ତି ଯେ ସେମାନଙ୍କ ବିଧାୟକ ସଂଖ୍ୟା ଓଡ଼ିଶା ବିଧାନସଭାରେ ୯ରୁ ବଢ଼ି ୯୦ ଟପିବ ଏବଂ ଲୋକେ ବିଜେଡି-ବିଜେପିକୁ ପରିବର୍ତ୍ତନ କରି ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବେ । ବିଜେଡି ଓ ବିଜେପି ପକ୍ଷରୁ ଶପଥ ଗ୍ରହଣ ଉତ୍ସବ ତାରିଖ ଘୋଷଣା ସରିଥିବା ବେଳେ କଂଗ୍ରେସ କିନ୍ତୁ ଏଯାବତ୍ କିଏ ମୁଖ୍ୟମନ୍ତ୍ରୀ ହେବେ ଓ କେଉଁଦିନ କଂଗ୍ରେସ ସରକାର ଗଢ଼ିବ ତାହା ପ୍ରକାଶ କରୁନାହିଁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଓଡ଼ିଶା ଗସ୍ତ ବେଳେ ବିଭିନ୍ନ ସଭା ସମିତିରେ ଭାଷଣ ଦେଇ ଜୁନ୍ ୬ ତାରିଖରେ ବିଜେପି ତାହାର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବ ଏବଂ ସେହିମାସ ୧୦ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ଜନସାଧାରଣ ଯୋଗଦେବାପାଇଁ ସେ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ବିଜେଡିର ୨ ନମ୍ବର ତାରକା ପ୍ରଚାରକ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ଓଡ଼ିଶାରେ ନବୀନ ପଟ୍ଟନାୟକ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଜୁନ୍ ୯ ତାରିଖରେ ଶପଥ ନେବେ ବୋଲି ବିଭିନ୍ନ ନିର୍ବାଚନ ସଭାରେ ଘୋଷଣା କରିବା ସହ ଓଡ଼ିଶାରେ କିଏ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ତାହା ବିଜେପି ଘୋଷଣା କରୁବୋଲି ବାରମ୍ବାର ଖୋଲା ଆହ୍ୱାନ ଦେଉଛନ୍ତି ।
ଓଡ଼ିଶାରେ ଚଳିତ ମାସ ୨୦, ୨୫ ଓ ଜୁନ୍ ୧ ତାରିଖରେ ଆଉ ତିନି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଓଡ଼ିଶା ସମେତ ସମଗ୍ର ଦେଶରେ ଜୁନ୍ ୪ ତାରିଖରେ ଭୋଟ ଗଣତି ହେବ । ରାଜ୍ୟର ତିନି ପ୍ରମୁଖ ଦଳ ସରକାର ଗଢ଼ିବା ପାଇଁ ଆଶା ବାନ୍ଧିଥିବାରୁ ଏବେ ଅନ୍ୟ ଆସନଗୁଡ଼ିକରେ ପ୍ରଚାର ଜୋରଦାର ହେଉଛି । ବିଶେଷ କରି ଆସନ୍ତା ୨୦ ତାରିଖରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା କ୍ଷେତ୍ର ସମେତ ଏହା ଅନ୍ତର୍ଗତ ୩୫ଟି ଯାକ ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବାକୁ ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ୁଥିବା ଉଭୟ କଣ୍ଟାବାଞ୍ଝି ଓ ହିଞ୍ଜିଳି ବିଧାନସଭା କ୍ଷେତ୍ର ପାଇଁ ମଇ ୨୦ରେ ଭୋଟ ହେବ । ଏଥିରେ ବିଭିନ୍ନ ଦଳର ଯେଉଁ ଜଣାଶୁଣା ପ୍ରାର୍ଥୀମାନଙ୍କ ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ମତଦାତାମାନେ ନିର୍ଣ୍ଣୟ କରିବେ ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ଜୁଏଲ ଓରାମ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସାଂସଦ ଅଚ୍ୟୁତ ସାମନ୍ତ, ହକି ତାରକା ଦିଲ୍ଲୀପ ତିର୍କିୀ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ସାଂସଦ ସଙ୍ଗୀତା ସିଂହଦେଓ, ନରସିଂହ ମିଶ୍ରଙ୍କ ପୁଅ ମନୋଜ ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ରୋହିତ ପୂଜାରୀ, ବିଧାୟିକା କୁସୁମୁ ଟେଟେ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ଟୁକୁନି ସାହୁ ଓ ସାରଦା ନାୟକ, ପୂର୍ବତନମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ରିତା ସାହୁ, ମନ୍ତ୍ରୀ ବିକ୍ରମ କଶେରୀ ଆରୁଖ ପ୍ରମୁଖ । ଏମାନଙ୍କ ଛଡ଼ା ବହୁ ମନ୍ତ୍ରୀ, ବିଧାୟକ ଓ ଭିନ୍ନଭିନ୍ନ ଦଳର ଅନେକ ପ୍ରମୁଖ ନେତା ମଧ୍ୟ ନିର୍ବାଚନ ରଣାଙ୍ଗନରେ କର ବା ମର ସ୍ଥିତିରେ ଲଢ଼େଇ କରୁଥିବା ବେଳେ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରୀୟ ନେତାମାନଙ୍କର ଓଡ଼ିଶାକୁ ସୁଅ ଛୁଟୁଛି । ତେବେ ବିଜେଡିର ପ୍ରଚାର ମଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟତମ ତାରକା ପ୍ରଚାରକ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ଧରିଛନ୍ତି । ଏମାନଙ୍କ ଉପରେ ଭରସା କରି ପ୍ରାର୍ଥୀମାନେ ନିର୍ବାଚନୀ ବୈତରଣୀ ପାରିହେବାକୁ ଆଶା ରଖିଛନ୍ତି । (ତଥ୍ୟ)