Home Election ନିଶା ନିବାରଣ ଦାବିରେ ଲାଗିଲା ପୋଷ୍ଟର

ନିଶା ନିବାରଣ ଦାବିରେ ଲାଗିଲା ପୋଷ୍ଟର

ଭୁବନେଶ୍ୱର : ‘ମଦ ବନ୍ଦ କରିବ ଯିଏ-ମହିଳାଙ୍କ ଭୋଟ ପାଇବ ସିଏ, ନିଶା ନିବାରଣ କରିବ ଯିଏ-ଜନତାଙ୍କ ଭୋଟ ପାଇବ ସିଏ ।’ ବାଲୁଗାଁରୁ ବାଲିକୁଦା ଏବଂ ଖଣ୍ଡପଡ଼ାରୁ ନୂଆପଡ଼ା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଏଭଳି ପୋଷ୍ଟରମାନ ଲଗାଯାଇଥିବା ଦେଖାଯାଉଛି ।

ମଦମୁକ୍ତ ଓଡ଼ିଶା-ସଶକ୍ତ ଓଡ଼ିଶା ଗଢ଼଼ିବା ଲକ୍ଷ୍ୟରେ ନିଶା ବିରୋଧରେ ଅଭିଯାନ ଚଳାଇ ଆସୁଥିବା ବିଭିନ୍ନ ସଂଗଠନ ରାଜ୍ୟରେ ଚାଲୁଥିବା ନିର୍ବାଚନ ପ୍ରଚାର ପରିପ୍ରେକ୍ଷୀରେ ଏଭଳି ଅଭିଯାନ ଚଳାଇଛନ୍ତି । ସେମାନଙ୍କ ଏହି ଅଭିଯାନ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି ।

ନିଶା ବିରୋଧରେ ଲଗାତର ଲଢ଼େଇ ଜାରି ରଖିବା ସହ ମହିଳାମାନଙ୍କୁ ଏକଜୁଟ କରି ମଦ ରାକ୍ଷସ ବିରୋଧରେ ସଂଗ୍ରାମ ଚଳାଇବା ସଂଗେ ସଂଗେ ଓଡ଼ିଶା ବିଧାନସଭାରେ ୧୯୫୬ ମସିହାରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ କରିଥିବା ଓଡ଼ିଶା ନିଶା ନିବାରଣ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଏମାନେ ଲଗାତର ଭାବେ ଦାବି କରି ଆସୁଛନ୍ତି ।

ନିର୍ବାଚନରେ କଳାଟଙ୍କା ସହିତ ଯେଭଳି ମଦ ସମେତ ଅନ୍ୟାନ୍ୟ ମାରାତ୍ମକ ନିଶା ସାମଗ୍ରୀର ଖୋଲାଖୋଲି ଭାବେ ବିଭିନ୍ନ ଦଳ ବାଣ୍ଟୁଛନ୍ତି ତାହା ଦେଶର ଗଣତନ୍ତ୍ରପ୍ରତି ବିପଦ ବୋଲି ଓଡ଼ିଶା ମଦମୁକ୍ତି ଅଭିଯାନ ଓ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର କର୍ମକର୍ତ୍ତମାନେ ଖୋଲାଖୋଲି ଭାବେ ଅଭିଯୋଗ କରୁଛନ୍ତି । ବିଶେଷ କରି କେତେକ ନିର୍ବାଚନ ମଣ୍ଡଳୀରେ ନିଶା ବେପାରକୁ ପ୍ରୋତ୍ସାହନ ଦେଉଥିବା କିଛି ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବା ଏବଂ ଭୋଟ ହାତେଇବା ପାଇଁ ମଦକୁ ଅନ୍ୟତମ ଆୟୁଧ କରାଯାଉଥିବାରୁ ସେମାନେ ଉଦ୍‍ବେଗ ପ୍ରକାଶ କରୁଛନ୍ତି ।

ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଲୋକମାନଙ୍କୁ ପ୍ରତିଶ୍ରୁତି ନାମରେ ଗ୍ୟାରେଣ୍ଟି ଦିଆଯାଉଥିବା ବେଳେ ସମ୍ପୃକ୍ତ ରାଜନୈତିକ ଦଳମାନେ କେବେସୁଦ୍ଧା ରାଜ୍ୟ ଓ ଦେଶକୁ ନିଶାମୁକ୍ତ କରିବେ ଏବଂ ଲାଇସେନ୍ସପ୍ରାପ୍ତ ଓ ଚୋରା ନିଶା କାରବାରକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବେ ସେଥିନେଇ କେହି ପାଟି ଖୋଲୁନାହାଁନ୍ତି । ବ୍ୟକ୍ତି, ପରିବାର, ସମାଜ, ରାଷ୍ଟ୍ର ଓ ରାଜ୍ୟର ବିପର୍ଯ୍ୟୟ ପାଇଁ ନିଶା ବହୁ ମାତ୍ରାରେ ଦାୟୀ ବୋଲି ଏହି ସଂଗଠନମାନେ ଖୋଲା ଆରୋପ କରୁଛନ୍ତି । ବିଶେଷ କରି ସରକାରୀ ଓ ବେସରକାରୀ ସ୍ତରରେ ଲକ୍ଷଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଯେତେସବୁ ସାମାଜିକ ନିରାପତ୍ତା ଓ ଗରିବ କଲ୍ୟାଣ ଯୋଜନା ଚାଲୁଛି ସେଥିରେ ନିଶା ପ୍ରମୁଖ ବାଧକ ।

କେବଳ ସେତିକି ନୁହେଁ ଅପରାଧବୃଦ୍ଧି ସହିତ ମହିଳା ଓ ଶିଶୁମାନଙ୍କ ନିରାପତ୍ତା ଲାଗି ନିଶା ବି ପ୍ରମୁଖ ପ୍ରଶ୍ନବାଚୀ । ଏହାଛଡ଼ା ଶିକ୍ଷା, ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଅନ୍ୟାନ୍ୟ ସରକାରୀ ଯୋଜନାଗୁଡ଼ିକରୁ ଯେତେ ଫାଇଦା ମିଳିବା କଥା ତାହା ନିଶା ପ୍ରସାରଣ ଯୋଗୁ ହୋଇପାରୁ ନ ଥିବା ଯୋଗୁ ରାଜକୋଷରୁ ଲକ୍ଷ ଲକ୍ଷ କୋଟି ଟଙ୍କା ବରବାଦ ହେଉଥିବା ବେଳେ ଲୋକଙ୍କ ଭ୍ରମିତ କରି ଭୋଟ ଯୋଗାଡ଼ କରିବା ଲାଗି ବିଭିନ୍ନ ରାଜନୈତିକ ଦଳ ପ୍ରତିଯୋଗିତା ଭିତ୍ତିରେ ମଦ ଓ ଅନ୍ୟାନ୍ୟ ନିଶାର ପ୍ରସାରଣ କରୁଛନ୍ତି ବୋଲି ସେମାନେ ଆରୋପ କରିଛନ୍ତି ।

ଏ ପରିପ୍ରେକ୍ଷୀରେ ନିର୍ବାଚନରେ ଅବତୀର୍ଣ୍ଣ ବିଭିନ୍ନ ନିର୍ବାଚନମଣ୍ଡଳୀର ଯେଉଁ ପ୍ରାର୍ଥୀମାନେ ନିଶା ନିବାରଣକୁ ସମର୍ଥନ କରୁଛନ୍ତି ଏବଂ ନିଜେ ନିଶା ସେବନରୁ ଦୂରେଇ ରହିବା ସହିତ ସେମାନଙ୍କ ପ୍ରଚାର ଅଭିଯାନରେ ନିୟୋଜିତ କର୍ମୀମାନଙ୍କୁ ନିଶାମୁକ୍ତ ରଖୁଛନ୍ତି ଏବଂ ସର୍ବୋପରି ଭୋଟରମାନଙ୍କୁ ପ୍ରଭାବିତ କରିବା ଲାଗି କଳାଟଙ୍କା ଓ ମଦ ସମେତ ଅନ୍ୟାନ୍ୟ ନିଶା ବାଣ୍ଟୁ ନାହାଁନ୍ତି କେବଳ ସେଇମାନଙ୍କୁ ହିଁ ଭୋଟ ଦେବାଲାଗି ନିଶା ନିବାରଣ ପାଇଁ ସମର୍ପିତ ଭାବେ କାମ କରୁଥିବା ସଂଗଠନଗୁଡ଼ିକ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।