ଭୁବନେଶ୍ୱର : ଚାରି ଲୋକସଭା ଓ ତାହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ଲାଗି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ୧୧ ଜଣ ସାଂସଦ ପ୍ରାର୍ଥୀ ଓ ୭୫ ଜଣ ବିଧାନସଭା ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ମତଦାତାମାନେ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି । ଏହି ନିର୍ବାଚନମଣ୍ଡଳୀର ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ପୋଲିଂ ଦଳ ପହଞ୍ଚିବାରେ ଲାଗିଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ପାଇଁ ସମ୍ପୃକ୍ତ ଅଞ୍ଚଳରେ ପୋଲିସ୍ ପ୍ରଶାସନ ସତର୍କ ଦୃଷ୍ଟି ରଖିଛି ।
କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ପାଇଁ ଆସନ୍ତା ୧୩ ତାରିଖରେ ମତ ଗ୍ରହଣ କରାଯିବ । ଏଥିସହିତ କଳାହାଣ୍ଡି ଲୋକସଭା ଅନ୍ତର୍ଭୁକ୍ତ ନୂଆପଡ଼ା, ଖଡିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା, ନବରଙ୍ଗପୁର ଲୋକସଭା ଆସନ ଅନ୍ତର୍ଭୁକ୍ତ ଚିତ୍ରକୋଣ୍ଡା, ମାଲକାନଗିରି, କୋଟପାଡ଼, ଡାବୁଗାଁ, ନବରଙ୍ଗପୁର, ଝରିଗାଁ ଓ ଉମରକୋଟ ବିଧାନସଭା ଆସନ ଲାଗି ଭୋଟ ଗ୍ରହଣ ହେବ । ସେହିପରି ବ୍ରହ୍ମପୁର ଲୋକସଭାକ୍ଷେତ୍ର ଅନ୍ତର୍ଭୁକ୍ତ ଚିକିଟି, ଦିଗପହଣ୍ଡି, ଗୋପାଳପୁର, ଛତ୍ରପୁର, ବ୍ରହ୍ମପୁର, ପାରାଳାଖେମୁଣ୍ଡି ଓ ମୋହନା ଏବଂ କୋରାପୁଟ ଲୋକସଭାକ୍ଷେତ୍ର ଅନ୍ତଭୁକ୍ତ ଗୁଣୁପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟାଙ୍ଗି ବିଧାନସଭା ଆସନ ପାଇଁ ମଧ୍ୟ ଏହି ଦିନ ଭୋଟ ଗ୍ରହଣ କରାଯିବ ।
ଏଠାରେ ଉଲ୍ଲେଖନୀୟ ଯେ ଏହ ୪ଟି ଲୋକସଭା ଆସନରୁ କଳାହାଣ୍ଡି ଆସନଟି ବିଜେପି ଦଖଲରେ ଥିବା ବେଳେ କୋରାପୁଟ କଂଗ୍ରେସ ଦଖଲରେ ରହିଛି । ବ୍ରହ୍ମପୁର ଓ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଦୁଇଟିରେ ବିଜେଡିର ସାଂସଦ ଅଛନ୍ତି । କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ପୁର୍ନବାର ନିଜ ଦଳରୁ ପ୍ରାର୍ଥୀ ହୋଇଥିବା ବେଳେ ଅନ୍ୟ ୩ଟି ଯାକ ଲୋକସଭା ଆସନରେ ବିଜେଡି ଓ ବିଜେପି ପ୍ରାର୍ଥୀ ବଦଳାଇଛି ।
ଏଠାରେ ଉଲ୍ଲେଖନୀୟ ଯେ, ଏବେ ବସନ୍ତ କୁମାର ପଣ୍ଡା କଳାହାଣ୍ଡିର ବିଜେପି ସାଂସଦ ଥିବା ବେଳେ ଚନ୍ଦ୍ରଶେଖର ସାହୁ ବ୍ରହ୍ମପୁର ଓ ରମେଶ ଚନ୍ଦ୍ର ମାଝୀ ନବରଙ୍ଗପୁରର ବିଜେଡି ସାଂସଦ ଅଛନ୍ତି । ବସନ୍ତ ପଣ୍ଡା ନିର୍ବାଚନୀ ରାଜନୀତିରୁ ଓହରି ଯାଇ ତାଙ୍କ ପୁଅ ଅଭିନବ କୁମାର ପଣ୍ଡାଙ୍କୁ ନୂଆପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରିବାରେ ସକ୍ଷମ ହୋଇଥିବା ବେଳେ କଳାହାଣ୍ଡି ରାଜପରିବାରର ବୋହୂ ମାଳବିକା କେଶରୀ ଦେଓ ଏହି ସଂସଦୀୟ କ୍ଷେତ୍ରରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିରୋଧରେ ବିଜେଡିର ଲମ୍ବୋଦର ନିଆଲ ଓ କଂଗ୍ରେସର ଦ୍ରୋପଦୀ ମାଝୀ ଲଢ଼ୁଛନ୍ତି ।
କୋରାପୁଟରେ କଂଗ୍ରେସର ସପ୍ତଗିରି ଉଲାକାଙ୍କ ବିରୋଧରେ ବିଜେଡିର କୋଶଲ୍ୟା ହିକକା ଓ ବିଜେପିର କାଲେରାମ ମାଝୀ ପ୍ରାର୍ଥୀ ଥିବା ବେଳେ ନବରଙ୍ଗପୁରରେ ବିଜେଡିର ପ୍ରଦୀପ ମାଝୀଙ୍କ ସହ ବିଜେପିର ବଳଭଦ୍ର ମାଝୀଙ୍କର କଡ଼ା ମୁକାବିଲା ହେଉଛି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ବିଜେଡିର ଭୃଗୁ ବକ୍ସିପାତ୍ରଙ୍କ ବିରୋଧରେ ଲଢ଼ୁଛନ୍ତି ବିଜେପିର ପ୍ରଦୀପ କୁମାର ପାଣିଗ୍ରାହୀ ଓ କଂଗ୍ରେସର ଜ୍ଞାନରଞ୍ଜନ ପଟ୍ଟନାୟକ ।
ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨ ଜଣ ମନ୍ତ୍ରୀ ଜଗନ୍ନାଥ ସାରକା ଓ ରାଜେନ୍ଦ୍ର ଢ଼ୋଲକିଆ ଏବଂ ପୂର୍ବତନ ମନ୍ତ୍ରୀ ରମେଶ ମାଝି, ଦିବ୍ୟଶଙ୍କର ମିଶ୍ର, ପୁଷ୍ପେନ୍ଦ୍ର ସିଂହଦେଓ ଆଦିଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସେହିପରି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, କଂଗ୍ରେସର ବରିଷ୍ଠ ନେତା ଭକ୍ତଚରଣ ଦାଶ ଓ ତାଙ୍କ ପୁଅ ସାଗର ଚରଣ ଦାଶ ବିଧାୟକ ତାରାପ୍ରସାଦ ବାହିନୀପତି ମ୍ମ ନିର୍ବାଚନ ରଣାଙ୍ଗନରେ ରହିଛନ୍ତି । ଏମାନଙ୍କ ଛଡା ପୂର୍ବତନମନ୍ତ୍ରୀ ଦବ୍ୟଶଙ୍କର ମିଶ୍ର, ପୁଷ୍ପେନ୍ଦ୍ର ସିଂହଦେଓ, ରମେଶ ମାଝୀ, ପ୍ରଦୀପ୍ତ ନାୟକ ପ୍ରମୁଖ ବିଭିନ୍ନ ଦଳରୁ ପ୍ରାର୍ଥୀ ହୋଇଛନ୍ତି ।
ମନ୍ତ୍ରୀ ଉଷାଦେବୀଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପଦେବ, ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିଳ୍ପବ ପାତ୍ର, ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀଙ୍କ ପୁଅ ପ୍ରଫୁଲ୍ଲ କୁମାର ପାଙ୍ଗୀ ପ୍ରମୁଖ ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ଭୋଟରମାନେ ନିର୍ଦ୍ଧାରଣ କରିବେ । ଏହାଛଡ଼ା ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ଡ. ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅଧିରାଜ ପାଣିଗ୍ରାହୀ, ପୂର୍ବତନ ବିଧାୟକ କୈଳାସଚନ୍ଦ୍ର କୁଲେସିକା ଆଦିଙ୍କ ରାଜନୈତିକ ଭାଗ୍ୟ ମଧ୍ୟ ଭୋଟରମାନେ ନିର୍ଦ୍ଧାରଣ କରିବେ । ସେହିପରି ପୂର୍ବତନ ବଚସ୍ପତି ଚିନ୍ତାମଣୀ ଜ୍ଞାନ ସାମନ୍ତରାୟଙ୍କ ଦୁଇ ପୁଅ ଭିନ୍ନ ଭିନ୍ନ ଦଳରୁ ନିର୍ବାଚନ ଲଢ଼ୁଥିବା ବେଳେ ସେମାନଙ୍କ ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ୍ୟ ମଧ୍ୟ ଆସନ୍ତା ସୋମବାର ଦିନ ମତଦାତାମାନଙ୍କ ଦ୍ୱାରା ନିର୍ଦ୍ଧାରିତ ହେବ । (ତଥ୍ୟ)