Home News in Odia କଂଗ୍ରେସରେ ଦେବାଶିଷ ନାୟକ

କଂଗ୍ରେସରେ ଦେବାଶିଷ ନାୟକ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି । କଂଗ୍ରେସ ଭବନ ଠାରେ ଆୟୋଜିତ ମିଶ୍ରଣପର୍ବରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର, ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ପିସିସି ମିଡିଆ ସେଲ ପ୍ରଭାରୀ ବବିତା ଶର୍ମା,ଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ।

ପ୍ରଭାରୀ ଡ. ଅଜୟ କୁମାର ଦଳକୁ ସ୍ୱାଗତ କରି କହିଥିଲେ ଶ୍ରୀ ନାୟକଙ୍କ ଯୋଗଦାନ କଂଗ୍ରେସ ଦଳକୁ ଯାଜପୁର ତଥା ସମଗ୍ର ଓଡ଼ିଶାରେ କଂଗ୍ରେସ ଦଳକୁ ସୁଦୃଢ଼ କରିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବର୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କାମ କରିଛନ୍ତି । ଶ୍ରୀ ନାୟକ ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ । ରାଜ୍ୟରେ ଅଣଓଡ଼ିଆ ଶାସନ ଉପରେ ଅତିଷ୍ଠିତ ହୋଇ କଂଗ୍ରେସ ଦଳରେ ଯୋଗଦେଇଛନ୍ତି ।

ଦଳରେ ଯୋଗଦାନ ପରେ ନିଜର ମତ ରଖି ଶ୍ରୀ ନାୟକ କହିଥିଲେ ଦେଶର ଗଣତନ୍ତ୍ର, ସମ୍ବିଧାନକୁ ସୁରକ୍ଷା ଦେବା ତଥା ଓଡ଼ିଆ ଅସ୍ମିତା ପାଇଁ କଂଗ୍ରେସ ଦଳର ଲଢ଼େଇରେ ମୁଁ ସାମିଲ ହୋଇ ବହୁତ ଖୁସି ଅନୁଭବ କରୁଛି । କଂଗ୍ରେସ ଦଳର ବଳିଦାନରେ ଦେଶ ସ୍ୱାଧୀନତା ପାଇଛି । ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ବଳିଦାନ ଦେଶପାଇଁ ଆଜିବି ଅବିସ୍ମରଣୀୟ ।

ମାନ୍ୟବର ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଇଡି ଜେରା ପରେ ତାଙ୍କ ସାଂସଦ ପଦ ରଦ୍ଦ କରିବା ଦେଶର ଗଣତନ୍ତ୍ରକୁ ହତ୍ୟା ସଦୃଶ ଥିଲା । ସେ ସମୟରେ ଏହି ଘଟଣା ମାନ ମୋ ମନ ଆନ୍ଦୋଳିତ କରୁଥିଲା, ଆଜି କଂଗ୍ରେସ ଦଳରେ ଯୋଗଦାନ ମୋ ପାଇଁ ଏକ ନୂତନ ଅଧ୍ୟାୟ ବୋଲି ଶ୍ରୀ ନାୟକ କହିଥିଲେ । ଆଜିର ଏହି ମିଶ୍ରଣପର୍ବ କାର୍ଯ୍ୟକ୍ରମରେ ଏଆଇସିସି ମିଡିଆ ସଂଯୋଜକ ପ୍ରଭାତ କୁମାର, ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ, ସୁଧାଂଶୁ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

ଉଲ୍ଲେଖନୀୟ ଯେ ଅଳ୍ପଦିନ ତଳେ ଶ୍ରୀ ନାୟକ ବିଜେପିରେ ଯୋଗ ଦେଇଥିଲେ । ସେ ବରୀରୁ ବିଜେପି ଟିକଟ ପାଇବାପାଇଁ ଆଶାୟୀ ଥିବାବେଳେ ବିଜେପିର ଶେଷ ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ନଥିଲା । ବିଜେପିରୁ ନିରାଶ ହେବାପରେ ଶ୍ରୀ ନାୟକ କଂଗ୍ରେସରେ ଯୋଗ ଦେଇଛନ୍ତି ।