ଭୁବନେଶ୍ୱର : ମହିଳାଙ୍କ ପ୍ରତିନିଧିତ୍ୱ ଓ ବିକାଶ ଏବେ ପ୍ରାୟ ସବୁ ରାଜନୈତିକଦଳଙ୍କ ପ୍ରମୁଖ ନିର୍ବାଚନୀ ଏଜେଣ୍ଡା ହୋଇଥିବାବେଳେ ଓଡିଶାର ଦୁଇଜଣ ମହିଳା ସାଂସଦ ଓ ସାତ ଜଣ ବିଧାୟିକାଙ୍କୁ ପ୍ରାର୍ଥୀ କରାଯାଇ ନାହିଁ । ଏ ପରିପ୍ରେକ୍ଷୀରେ ସେମାନଙ୍କ ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲିହୋଇ ଯାଇଛି ।
୨୦୧୯ର ଲୋକସଭା ନିର୍ବାଚନରେ ଓଡିଶାରୁ ସାତ ଜଣ ମହିଳା ଜିଣିଥିଲେ । ଏମାନଙ୍କ ଭିତରୁ ୫ଜଣ ବିଜେଡିର ଥିବାବେଳେ ଦୁଇଜଣ ବିଜେପିର ଥିଲେ । ବିଜେଡିର ୫ଜଣ ମହିଳା ସାଂସଦଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଟିକଟ ଦିଆଯାଇ ନାହିଁ । ଆସିକା ଲୋକସଭା କ୍ଷେତ୍ରରୁ ର୍ନିବାଚିତ ହୋଇଥିବା ଶ୍ରୀମତୀ ପ୍ରମିଳା ବିଷୋୟୀ କେବଳ ଓଡିଶାରେ ନୁହନ୍ତି ସାରା ଦେଶରେ ଚର୍ଚ୍ଚିତା ଥିଲେ । ସେହିପରି କେନ୍ଦୁଝର ସଂରକ୍ଷିତ ଆସନରୁ ସାଂସଦ ହୋଇଥିବା ଚନ୍ଦ୍ରାଣି ମୁର୍ମୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ହେଉଥିଲା । ସେ ଥିଲେ ସଂସଦରେ ଦେଶର ସର୍ବ କନିଷ୍ଠା ପ୍ରତିନିଧି । ତେବେ ଏଥର ଏହି ଦୁଇ ମହିଳା ସାଂସଦଙ୍କୁ ବିଜେଡି ଟିକଟ ଦେଇନାହିଁ ।
ବିଜେଡିର ଅନ୍ୟ ତିନିଜଣ ମହିଳା ସାଂସଦ ମଞ୍ଜୁଲତା ମଣ୍ଡଳ, ଶର୍ମିଷ୍ଠା ସେଠୀ ଓ ରାଜଶ୍ରୀ ମଲ୍ଲିକ ଯଥାକ୍ରମେ ଭଦ୍ରକ, ଯାଜପୁର ଓ ଜଗତ୍ସିଂହପୁର ସଂରକ୍ଷିତ ଆସନରୁ ପୁଣି ନିର୍ବାଚନ ଲଢୁଥିବାବେଳେ ବିଜେପିର ମହିଳା ସାଂସଦ ଅପରାଜିତା ଷଡଙ୍ଗୀ ଓ ସଂଗୀତା କୁମାରୀ ସିଂହଦେଓ ଯଥାକ୍ରମେ ଭୁବନେଶ୍ୱର ଓ ବଲାଙ୍ଗିର ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀଭାବେ ପୁଣି ଥରେ ନିର୍ବାଚନ ଲଢୁଛନ୍ତି ।
ସେହିପରି ବରୀର ବିଜେଡି ବିଧାୟିକା ସୁନନ୍ଦା ଦାସ ଜାତୀୟ ସ୍ତରରେ ସମ୍ମାନିତ ହୋଇଥିବାବେଳେ ଏଥର କିନ୍ତୁ ତାଙ୍କ ଦଳ ତାଙ୍କୁ ପ୍ରାର୍ଥୀ କରିନାହିଁ । ଚମ୍ପୁଆରୁ ମିନାକ୍ଷୀ ମହନ୍ତ, ହିନ୍ଦୋଳରୁ ସୀମାରାଣୀ ନାୟକ, ପାଟକୁରାରୁ ସାବିତ୍ରୀ ଅଗ୍ରୱାଲ, ଚିକିଟିରୁ ଉଷାଦେବୀ, କୋଟପାଡରୁ ପଦ୍ମିନୀ ଦିଆନ ମଧ୍ୟ ବିଜେଡି ଟିକଟରେ ବିଧାନସଭାକୁ ଆସିଥିଲେ । ଉଷାଦେବୀଙ୍କ ବଦଳରେ ଚିକିଟିରୁ ତାଙ୍କ ପୁଅକୁ ବିଜେଡି ପ୍ରାର୍ଥୀ କରିଛି । ତେବେ ପଦ୍ମିନୀ ଦିଆନ,ସାବିତ୍ରୀ ଅଗ୍ରୱାଲ, ସୀମାରାଣୀ ନାୟକ, ମିନାକ୍ଷୀ ମହନ୍ତ ଆଦି ବିଧାୟିକାମାନେ ଦଳୀୟ ଟିକଟ ପାଇବାରୁ ବଞ୍ଚିତ ହୋଇଥିବାବେଳେ ସୀମାରାଣୀଙ୍କୁ ବିଜେପି ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରିଛି ।
ବିଜେପିର ଏକମାତ୍ର ମହିଳା ବିଧାୟିକା କୁସୁମ ଟେଟେ ଏଥର ପୁଣି ଦଳୀୟ ଟିକଟରେ ସୁନ୍ଦରଗଡ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢୁଥିବାବେଳେ ବିଜେଡିର ବିଧାୟିକା ଥିବା ବର୍ଷାସିଂ ବରିହା, ରୀତାସାହୁ, ସ୍ନେହାଙ୍ଗିନୀ ଛୁରିଆ, ଅଳକା ମହାନ୍ତି, ଦିପାଳୀ ଦାସ, ବାସନ୍ତି ହେମ୍ବ୍ରମ, ପ୍ରମିଳା ମଲ୍ଲିକ, ଟୁକୁନି ସାହୁ, ଲତିକା ପ୍ରଧାନ, ସୂର୍ଯ୍ୟମଣି ବୈଦ୍ୟ ଓ ମଞ୍ଜୁଳା ସ୍ୱାଇଁ ପ୍ରମୁଖଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି ଆଉ ଥରେ ନିର୍ବାଚନ ଲଢିବାପାଇଁ ଏଥର ସୁଯୋଗ ଦେଇଛି ।
ଏ ପରିପ୍ରେକ୍ଷୀରେ ବର୍ତ୍ତମାନର ଓଡିଶାର ମହିଳା ସାଂସଦମାନଙ୍କ ମଧ୍ୟରୁ ଅନ୍ୟୁନ ୨ଜଣ ଓ ମହିଳା ବିଧାୟିକାମାନଙ୍କ ମଧ୍ୟରୁ ଅନ୍ୟୁନ ୭ଜଣ ଏଥର ପ୍ରତିନିଧିତ୍ୱ କରିବା ସୁଯୋଗରୁ ବଞ୍ଚିତ ହେବେ । ତେବେ ଯେଉଁ ମହିଳା ବିଧାୟିକା ଓ ସାଂସଦମାନେ ପ୍ରାର୍ଥୀ ହୋଇଛନ୍ତି ସେମାନେ କେତେଦୂର ସଫଳ ହେବେ କି ବିଫଳ ହେବେ ତାହା ଜୁନ୍ ୪ରେ ନିର୍ବାଚନ ଫଳାଫଳ ପ୍ରକାଶପରେ ଜଣାପଡିବ । ଅବଶ୍ୟ ବିଜେପି ଓ କଂଗ୍ରେସଭଳି ପ୍ରମୁଖ ରାଜନୈତିକଦଳ ଓ ଅନ୍ୟକେତେକ ଦଳ ଅବଶ୍ୟ ଆଉ କେତେକ ଆସନରୁ ମହିଳାଙ୍କୁ ନିର୍ବାଚନ ଲଢିବାପାଇଁ ସୁଯୋଗ ଦେଇଛନ୍ତି । (ତଥ୍ୟ)