ଭୁବନେଶ୍ୱର : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଥିବା ୨୦୦୧ ବ୍ୟାଚ୍ ଆଇଏଏସ୍ ଅଫିସର ଶାଳିନୀ ପଣ୍ଡିତଙ୍କୁ ରାଜ୍ୟ ସରକାର ମିଶନ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । ଏଥି ସହିତ ଶ୍ରୀମତୀ ପଣ୍ଡିତ ମଧ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବେ ।
ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ୨୦୦୦ ବ୍ୟାଚ୍ ଆଇଏଏସ୍ ଅଫିସର ସୁଜାତା ଆର କାର୍ତ୍ତିକେୟନଙ୍କୁ ଆଜି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରିଛନ୍ତି । ଶ୍ରୀମତୀ କାର୍ତ୍ତିକେୟନ ମିଶନଶକ୍ତି ବିଭାଗ ସହିତ ଓଡିଆ ଭାଷା ସାହିତ୍ୟ ସଂସ୍କୃତ ବିଭାଗର ଦାୟିତ୍ୱ ତୁଲାଉଥିଲେ ।
ଉଲ୍ଲେଖନୀୟ ଯେ ଗତକାଲି ବିଜେପିର ଏକ ପ୍ରତିନିଧିଦଳ ନୂଆଦିଲ୍ଲୀ ଠାରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇ ଶ୍ରୀମତୀ କାର୍ତ୍ତିକେୟନଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଇବାପାଇଁ ଦାବି କରିଥିଲେ । ବିଜେପି ପ୍ରତିନିଧିଦଳ ଦାବି କରିବା ପରେ ପରେ ନିର୍ବାଚନ ଆୟୋଗ ଶ୍ରୀମତୀ କାର୍ତ୍ତିକେୟନଙ୍କୁ ଅନ୍ୟତ୍ର ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ ।