ଭୁବନେଶ୍ୱର : ପ୍ରତିପକ୍ଷଙ୍କ ଚରିତ୍ର ସଂହାର ସହ ନିଜ ସପକ୍ଷରେ ଅତିରଞ୍ଜିତ ପ୍ରଚାର କରିବାଲାଗି ଏବେ ନିର୍ବାଚନ ଋତୁରେ ସାମାଜିକ ଗଣମାଧ୍ୟମ ଏକ ପ୍ରମୁଖ ଅସ୍ତ୍ର ହୋଇଛି । ସତ୍ୟାସତ୍ୟ ନିରୂପଣ ନକରି ଯେଉଁମାନେ ଏଭଳି ବକ୍ତବ୍ୟ ଓ ପ୍ରଚାର ସାମଗ୍ରୀଗୁଡିକର ସାମାଜିକ ଗଣମାଧ୍ୟମରେ ପ୍ରସାର ଘଟାଉଛନ୍ତି ସେମାନେ ମାଲି ମୋକଦ୍ଦମାର ସମ୍ମୁଖୀନ ହେବା ସହ ଦଣ୍ଡିତ ହେବାର ଆଶଙ୍କା ରହିଛି । ଏଥିଲାଗି ଲୋକେ ସତର୍କ ରହିବାକୁ ଆଇନ୍ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ।
ନିର୍ବାଚନ ଘୋଷଣା ସମୟରେ ନିର୍ବାଚନ କମିଶନ ଆଶଙ୍କାବ୍ୟକ୍ତ କରିଥିଲେ ଯେ ଏଥର ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ (ଏଆଇ) ଓ ଡିପ୍ ଫେକ୍ ଭିଡିଓ ବଡ ଖେଳ ଖେଳିପାରନ୍ତି । ନିକଟ ଅତିତରେ ମାଇକ୍ରୋସଫ୍ଟ ମୁଖ୍ୟ ବିଲ୍ ଗେଟ୍ସ ଭାରତ ଆସିଥିବାବେଳେ ଅନୁରୂପ ଭାବେ ସତର୍କ କରାଇ ଦେଇଥିଲେ । ଏବେ ପ୍ରାୟ ପ୍ରତିଦିନ ହ୍ୱାଟସ୍ଆପ୍, ୟୁଟ୍ୟୁବ, ଫେସ୍ବୁକ୍ ସମେତ ସାମାଜିକ ଗଣମାଧ୍ୟମର ବିଭିନ୍ନ ପ୍ଲାଟଫର୍ମରେ ବ୍ୟାପକ ରାଜନୈତିକ ପ୍ରଚାର ଓ ଅପପ୍ରଚାର ଦେଖିବାକୁ ମିଳୁଛି ।
ଏ ପ୍ରସଙ୍ଗରେ ବି ଜଣେ ମୁଖ୍ୟମନ୍ତ୍ରୀଙ୍କ ସତେ ଅନ୍ୟ ବହୁ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହେଲାଣି । ସମ୍ବଲପୁରର ବିଜେପି ସାଂସଦ ନିତେଶ ଗଙ୍ଗଦେବ ଦଳରୁ ଇସ୍ତଫା ଦେବା ସହ ବିଜେଡିରୁ ବିଧାନସଭା ପ୍ରାର୍ଥୀ ହୋଇଥିବା ତାଙ୍କ ପତ୍ନୀଙ୍କୁ ସମର୍ଥନ ଦେବାଲାଗି ତାଙ୍କ ଫେସ୍ବୁକ୍ ଆକାଉଣ୍ଟରେ ବାର୍ତ୍ତା ପ୍ରସାରିତ ହୋଇଛି । ଏହାକୁ ଆଧାର କରି ଗଣମାଧ୍ୟମରେ ବି ସମ୍ବାଦ ପ୍ରକାଶ ପାଇଛି । ତେବେ ସାଂସଦ ଶ୍ରୀ ଗଙ୍ଗଦେବ ଏଭଳି ଖବରକୁ ଅସ୍ୱୀକାର କରିବା ସହ ତାଙ୍କ ଫେସ୍ବୁକ୍ ଆକାଉଣ୍ଟକୁ ଆଉ କେହି ଅପବ୍ୟବହାର କରି ଏଭଳି ବାର୍ତ୍ତା ଛାଡିଥିବା ଗଣମାଧ୍ୟମକୁ କହିଛନ୍ତି ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ରୋକ୍ଠୋକ୍ ଭାବେ କହିଛନ୍ତି ଯେ ତାଙ୍କ ନାମରେ ଡିପ୍ଫେକ୍ ଭିଡିଓ ପ୍ରସ୍ତୁତ କରି ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ଅସତ୍ୟ ତଥ୍ୟ ପ୍ରଚାର କରାଯାଇଛି । ଏ ଘଟଣାରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ସମେତ ଆଉ କେତେକଙ୍କ ବିରୁଦ୍ଧରେ ଦିଲ୍ଲୀରେ ମାମଲା ରୁଜୁ ହୋଇଛି । ଏଭଳି ଭିଡିଓ ଆଧାରରେ ଓଡିଶାର ଜଣେ ଲୋକସଭା ପ୍ରାର୍ଥୀ ବିଜେପି ଉପରେ ନିର୍ବାଚନୀ ସଭାରେ ଆରୋପ ଲଗାଇଥିବା ପରିପ୍ରେକ୍ଷୀରେ ତାଙ୍କ ବିରୁଦ୍ଧରେ ମଧ୍ୟ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
ଏ କେବଳ କେତୋଟି ଉଦାହରଣ ମାତ୍ର । ପ୍ରତିଦିନ ଏବେ ସାମାଜିକ ଗଣମାଧ୍ୟମରେ କେଉଁ ନେତାଙ୍କ ଚରିତ୍ର ସଂହାର କରି ତ ଆଉ କେଉଁ ନେତାଙ୍କ ପ୍ରଶଂସା କରି ବ୍ୟାପକ ଖବର ପ୍ରସାରିତ ହେଉଛି । ଏମିତିକି ବିଭିନ୍ନ ଦଳକୁ ମଧ୍ୟ ଏଥିରେ ଟାର୍ଗେଟ କରାଯାଉଛି । ତେବେ ସ୍ମାର୍ଟଫୋନ୍ ଖୋଲିବା ମାତ୍ରେ ସାମାଜିକ ଗଣମାଧ୍ୟମରେ ଏଭଳି ବାର୍ତ୍ତା ଦେଖି ଅନେକ ଲୋକ ସତ୍ୟାସତ୍ୟ ଯାଞ୍ଚ ନକରି ତାହାକୁ ଶହ ଶହ ସଂଖ୍ୟାରେ ସେୟାର କରିଦେଉଛନ୍ତି । ଫଳରେ ତିନି ତୁଣ୍ଡରେ ଛେଳି କୁକୁର ଭଳି ଅନେକ ମିଛି ଓ ଗୁଜବ ଗଣମାଧ୍ୟମରେ ଘୂରି ବୁଲି ନିର୍ବାଚନକୁ ପ୍ରଭାବିତ କରିବା ଭଳି ଆଶଙ୍କା ଉପୁଜୁଛି ।
ଆଇନ୍ ବିଶାରଦମାନେ କହୁଛନ୍ତି ଯେ ସାଇବର ଆଇନ୍ ତଥା ପ୍ରଯୁକ୍ତିବିଦ୍ୟା ଆଧାରରେ ଯେଉଁମାନେ ଏଭଳି ଚରିତ୍ର ସଂହାରକାରୀ ଓ ମିଛି ଅଡିଓ, ଭିଡିଓ ଓ ବାର୍ତ୍ତା ପ୍ରସ୍ତୁତ କରୁଛନ୍ତି ଏବଂ ଆଉ ଯେଉଁମାନେ ଏହାକୁ ବ୍ୟାପକ ସଂଖ୍ୟାରେ ସେୟାର କରୁଛନ୍ତି ଆଇନ୍ତଃ ସେମାନେ ଅପରାଧି ପର୍ଯ୍ୟାୟଭୁକ୍ତ । ଏମାନଙ୍କ ବିରୁଦ୍ଧରେ ସାଇବର ଅପରାଧ ମାମଲା ସମେତ ପିଙ୍ଗଳକୋଡ୍ର ବିଭିନ୍ନ ଧାରା ନିର୍ବାଚନ ଆଇନ୍ ଆଧାରରେ ଅପରାଧିକ ମାମଲା ଦରଜ କରାଯାଇ ପାରିବ । ଏ ଦୃଷ୍ଟିରୁ ଲୋକେ ସତର୍କ ରହିବାକୁ ଆଇନ୍ ବିଶାରଦମାନେ ମତ ଦେଉଛନ୍ତି । (ତଥ୍ୟ)