Home Election ନେତାଙ୍କ ପ୍ରଚାର ଗଣିତ ଗଡବଡ

ନେତାଙ୍କ ପ୍ରଚାର ଗଣିତ ଗଡବଡ

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାରକୁ ହାତରେ ଆଉ ମାତ୍ର ଦଶ ଦିନ ଥିବାବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବେ ନେତାଙ୍କ ଗଣିତ ବିଗାଡିଲାଣି । ଯେଉଁଭଳି ଭାବେ ପ୍ରଚାର ଲାଗି ପୂର୍ବରୁ କ୍ଷେତ୍ର ପ୍ରସ୍ତୁତ କରିଥିଲେ ଅନେକ ସ୍ଥଳରେ ତାହା ହୋଇପାରୁ ନାହିଁ ।

ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖୋଦ୍‍ ରାଜଧାନୀର ତାପମାତ୍ରା ୪୫ ଡିଗ୍ରୀ ଟିପିଥିବାବେଳେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବାରିପଦା ଠାରେ ୪୬ଡିଗ୍ରୀ ଟପିଯାଇଛି । ଆଉ କିଛିଦିନ ତାପମାତ୍ରା ଏଭଳି ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଲାଣି । ସମଗ୍ର ଓଡିଶା ଏବେ ଏକପ୍ରକାର ତତଲା କଡେଇରେ ରହିବା ଭଳି ଅବସ୍ଥା ସୃଷ୍ଟି ହୋଇଛି ।

ଏଭଳି ଖରା ଓ ଗୁଳୁଗୁଳି ଭିତରେ ନେତାଙ୍କ ପ୍ରଚାର ଫିକା ପଡିଗଲାଣି । କୌଣସି ପ୍ରକାରେ ନାମାଙ୍କନପତ୍ର ଦାଖଲ ପାଇଁ ଲୋକ ଯୋଗାଡ ହୋଇ ପାରୁଛନ୍ତି । ପ୍ରଚଣ୍ଡ ରୌଦ୍ରତାପକୁ ଦେଖି ନେତାମାନେ ବି ଭୟରେ ଅଧିକ ଲୋକଙ୍କୁ ଡାକିବାକୁ ସାହସ କୁଳାଇ ପାରୁନାହାନ୍ତି । କାରଣ ଇତି ମଧ୍ୟରେ ରାଜ୍ୟରେ ଦୁଇ ଦୁଇଟି ଅଂଶୁଘାତ ମୃତ୍ୟୁର ଅଭିଯୋଗ ଆସିଲାଣି ।

ତେବେ ସବୁଠାରୁ ଅଡୁଆରେ ପଡିଛନ୍ତି ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ନେତାମାନେ । ଏମାନେ ଦିନବେଳା ପ୍ରଚାର କାର୍ଯ୍ୟ ଏକ ପ୍ରକାର ବନ୍ଦ କରିଛନ୍ତି । ଯେଉଁଠି ବଡ ବଡ ସଭା ହେଉଛି ସେଠାକୁ ଅତି ସର୍ତକତାର ସହ ଲୋକଙ୍କୁ ଅଣାଯାଉଛି । ସେମାନଙ୍କ ପାଇଁ ପର୍ଯ୍ୟାୟ ଖାଦ୍ୟ, ପାନୀୟ ସହିତ ଛାଇର ବ୍ୟବସ୍ଥା ବି କରିବାକୁ ପଡୁଛି । ଏହା ସତ୍ୱେ ବି ଡହ ଡହ ଖରାରେ ଲୋକେ ଆସିବାକୁ ରାଜି ହେଉନାହାନ୍ତି ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରିକୁ ଦେଖି ଗତକାଲି ମୁଖ୍ୟ ଶାସନ ସଚିବ ସ୍ଥିତି ସମୀକ୍ଷା କରିଛନ୍ତି । ଏ ନେଇ ସତର୍କ କରାଇବା ବିଶେଷକରି ରାଲି ଓ ସଭାସମିତିରେ ଯୋଗ ଦେଉଥିବା ଲୋକଙ୍କ ଲାଗି ପାନୀୟଜଳ ଓ ଓଆରଏସ୍‍ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ଅତି କମ୍‍ରେ ଆଉ ସପ୍ତାହେ ପାଇଁ ସର୍ତକତା ଅବଲମ୍ବନ ପାଇଁ କୁହାଯାଇଛି ।

ପ୍ରବଳ ଖରା ଯୋଗୁଁ ଯୁବକମାନେ ଗାଡି ମୋଟରରେ କୌଣସି ପ୍ରକାରେ ଆସି ଯୋଗ ଦେଉଥିବାବେଳେ ମହିଳାମାନେ ପ୍ରଚାରରେ ସେଭଳି ଯୋଗ ଦେଉ ନାହାନ୍ତି । ଖରାରେ କାଳେ କିଛି ଅଘଟଣ ଘଟିବ ସେହି ଭୟରେ ନେତାମାନେ ବି ମହିଳାଙ୍କୁ ନେଇ ପଦଯାତ୍ରା କିମ୍ବା ଶୋଭାଯାତ୍ରା କରିବାକୁ ପଛଘୁଞ୍ଚା ଦେଉଛନ୍ତି ।

ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଯେଭଳି ନେତାଙ୍କ ଗଣିତ ବିଗାଡୁଛି ତାହା ଜାରି ରହିଲେ ଅନେକ ନେତା ପ୍ରଚାର ସମସ୍ୟାର ସମ୍ମୁଖୀନ ହେବେ । ଅବଶ୍ୟ କିଛି ନେତା ସଂଧ୍ୟା ପରେ ବିଭିନ୍ନ ଶୋଭାଯାତ୍ରା ବାହାର କରିବା ସହିତ ଘରକୁ ଘର ବୁଲୁଛନ୍ତି । ହେଲେ ଦିନବେଳା ପ୍ରଚାରରେ ଯେଭଳି ଜନ ସମାଗମ ହୋଇଥାନ୍ତି ତାହା ସଂଧ୍ୟାପରେ ହେଉନାହାନ୍ତି । ଏହା ଏବେ ପ୍ରାର୍ଥୀଙ୍କ ପାଇଁ ଚିନ୍ତାର କାରଣ ହେଲାଣି ।

ତେଣେ ରାଜ୍ୟରେ ତିନି ପ୍ରମୁଖ ଦଳ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିନପାରିବା ଓ କଂଗ୍ରେସ ଭଳି ଦର ଏକାଧିକ ପ୍ରାର୍ଥୀଙ୍କୁ ଟିକଟ ଦେବାପରେ ପୁଣି ପ୍ରତ୍ୟାହାର କରିନେବା ପରେ ଏବେ ଅଧିକାଂଶ ନିର୍ବାଚନମଣ୍ଡଳୀରେ ଅସନ୍ତୋଷ ବଢିବାରେ ଲାଗିଛି ଯାହା ପ୍ରଚାରରେ ଅନ୍ୟତମ ବାଧକ ସାଜିଛି । ଗୋଟିଏ ପଟେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଓ ମାନଭଞ୍ଜନ ପର୍ବ ଜାରି ରହିଥିବାବେଳେ ଅନ୍ୟପଟେ ପ୍ରବଳ ଖରା ଓ ଗୁଳୁଗୁଳି ପ୍ରାର୍ଥୀଙ୍କ ଗଣିତକୁ ବିଗାଡୁଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)