Home General କମୁଛି କେନ୍ଦ୍ରୀୟ ଅନୁଦାନ

କମୁଛି କେନ୍ଦ୍ରୀୟ ଅନୁଦାନ

ଭୁବନେଶ୍ୱର : ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ପାଉଥିବାବେଳେ ଏ ବାବଦରେ କେନ୍ଦ୍ରରୁ ମିଳୁଥିବା ଅନୁଦାନ ହ୍ରାସ ପାଇବାରେ ଲାଗିଛି । ଅଙ୍ଗନବାଡି କର୍ମୀଙ୍କ ପାଉଣା ବିଗତ ୧୦ବର୍ଷ ମଧ୍ୟରେ ୪ହଜାର ଟଙ୍କା ବୃଦ୍ଧି ପାଇଥବାବେଳେ କେନ୍ଦ୍ରୀୟ ଅନୁଦାନ ପରିମାଣ ୯୦ ପ୍ରତିଶତରୁ ୬୦ପ୍ରତିଶତକୁ କମିଆସିଛି ।

୨୦୧୧ ମସିହାରେ ଜଣେ ଅଙ୍ଗନବାଡି କର୍ମୀ ପାରିଶ୍ରମିକ ବାବଦରେ ୩୫୦୦ ଟଙ୍କା ପାଉଥିବାବେଳେ ବର୍ତ୍ତମାନ ତାହା ୭୫୦୦ ଟଙ୍କା ରହିଛି । ସେହିଭଳି ମିନି ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ୧୭୫୦ ଟଙ୍କାରୁ ୫୩୭୫ ଟଙ୍କାକୁ ବଢିଥିବାେଳେ ଅଙ୍ଗନବାଡି ସହାୟିକାଙ୍କ ଦରମା ୧୭୫୦ରୁ ୩୭୫୦କୁ ବୃଦ୍ଧି ପାଇଛି ।

ଅଙ୍ଗନବାଡି କର୍ମୀ ସେମାନଙ୍କ କାମ ଅନୁଯାୟୀ ପାରିଶ୍ରମିକ ବୃଦ୍ଧି ଲାଗି ବାରମ୍ବାର ଆନ୍ଦୋଳନ, ଧାରଣା, ଧର୍ମଘଟ ଆଦି ଚଳାଇଛନ୍ତି । ତେବେ କେନ୍ଦ୍ରରୁ ମିଳୁଥିବା ଅନୁଦାନ ପରିମାଣ ହ୍ରାସ ପାଇବାରେ ଲାଗିଛି । ୨୦୧୧ ମସିହାରେ ଏ ବାବଦରେ କେନ୍ଦ୍ର ସରକାର ୯୦ ପ୍ରତିଶତ ଓ ରାଜ୍ୟ ସରକାର ୧୦ ପ୍ରତିଶତ ଅର୍ଥ ଦେଉଥିବାବେଳେ ୨୦୧୭ମସିହାରୁ କେନ୍ଦ୍ର ସହାୟତା ପରିମାଣ ୬୦ ପ୍ରତିଶତକୁ ହ୍ରାସ ପାଇଛି । ତେଣୁ ରାଜ୍ୟ ସରକାରଙ୍କ ଅଂଶ ପରିମାଣ ୧୦ ପ୍ରତିଶତରୁ ୪୦ ପ୍ରତିଶତକୁ ବୃଦ୍ଧି ପାଇଛି । କେନ୍ଦ୍ର ସରକାର ତାଙ୍କର ଅଂଶଧନ କମାଇଦେବା ଫଳରେ ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ବଢିବାରେ ଲାଗିଛି ।

ଅନ୍ୟ ପକ୍ଷରେ ରାଜ୍ୟ ପାଇଁ ମଞ୍ଜୁର ହୋଇଥିବା ୭୨,୫୮୭ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ଏବେ ବି ୪୯୪୦ କେନ୍ଦ୍ର ଭଡାଘରେ ଚାଲୁଥିବାବେଳେ ୧୦,୧୫୨ଟି ସ୍କୁଲଘରେ ଓ ୧୦,୬୨୯ଟି ବିଭିନ୍ନ ଗୋଷ୍ଠି କେନ୍ଦ୍ରରେ ଚାଲୁଛି । ନିଜସ୍ୱ ଘରେ ଚାଲୁଥିବା ଅଙ୍ଗନବାଡି କେନ୍ଦ୍ର ସଂଖ୍ୟା ୪୬,୮୬୬ ରହିଛି ।

ରାଜ୍ୟ ସରକାର ଏବେ ଅଙ୍ଗନବାଡିରେ ନାମ ଲେଖାଉଥିବା କୁନି କୁନି ପିଲାଙ୍କ ଲାଗି ପୋଷାକ ଠାରୁ ଆରମ୍ଭ କରି ପୁଷ୍ଟିକର ଖାଦ୍ୟ ଯୋଗାଉଥିବାବେଳେ ନିଜସ୍ୱ ଘର ନଥିବାରୁ ଅନେକ ସ୍ଥାନରେ ପିଲାମାନେ ଅଙ୍ଗନବାଡି କେନ୍ଦ୍ରକୁ ଆସିବାକୁ ମଙ୍ଗୁ ନାହାନ୍ତି । ସେହିଭଳି ଭଡାଘରେ ଚାଲୁଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ବିଜୁଳି, ପାଣି ସହିତ ଶୌଚାଳୟ ସୁବିଧା ମିଳୁନଥିବାରୁ ତାହା କୁନି କୁନି ପିଲାଙ୍କ ସମେତ କର୍ମୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ।