ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ନେସନାଲ ଇନଷ୍ଟିଟ୍ୟୁଟ ଅଫ୍ ଇଲେକଟ୍ରୋନିକ୍ସ ଆଣ୍ଡ ଇନଫର୍ମେସନ ଟେକ୍ନଲୋଜିରେ କମ୍ପ୍ୟୁଟର ତାଲିମ ନେଇଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାର ଆଠମାସ ପରେ ବି ନିଜର ସାର୍ଟିଫିକେଟ ପାଇପାରୁ ନାହାନ୍ତି । ଏ ନେଇ ଛାତ୍ରଛାତ୍ରୀମାନେ ଉପର ଶ୍ରେଣୀର ପାଠ୍ୟକ୍ରମରେ ନାମ ଲେଖାଇ ପାରୁନଥିବାବେଳେ କେତେକ ଛାତ୍ରଛାତ୍ରୀ ମଧ୍ୟ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କର ଏହି କମ୍ପ୍ୟୁଟର ତାଲିମ ସଂସ୍ଥାଟି ରାଜଧାନୀର ଓକାକ୍ ଟାୱାରରେ ଥିବାବେଳେ ଏଠାରେ ବିଭିନ୍ନ ପାଠ୍ୟକ୍ରମର କମ୍ପ୍ୟୁଟର ତାଲିମ ପ୍ରଦାନ କରାଯାଉଛି । ଛାତ୍ରଛାତ୍ରୀମାନଙ୍କ ସହିତ କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ମଧ୍ୟ ଏଠାରେ କମ୍ପ୍ୟୁଟର ତାଲିମ ନେଇଥାନ୍ତି । ହେଲେ ଏଠାରେ ପାଠ ପଢିଥିବା ଛାତ୍ରଛାତ୍ରୀମାନେ ଏବେ ହଇରାଣ ହେଉଛନ୍ତି ।
ବିଶେଷକରି ଗତ ଶିକ୍ଷାବର୍ଷରେ ଯେଉଁ ଛାତ୍ରଛାତ୍ରୀମାନେ ଏଠାରେ ‘ଓ’ ଲେଭଲ କମ୍ପ୍ୟୁଟର ପାଠ୍ୟକ୍ରମ କରିଥିଲେ ସେମାନେ ପରୀକ୍ଷା ଦେବାର ଆଠମାସ ପରେ ସାର୍ଟିଫିକେଟ ପାଇପାରୁ ନାହାନ୍ତି । ‘ଏ’ ଲେଭଲ ପଢିଥିବା କିଛି ଛାତ୍ରଛାତ୍ରୀଙ୍କ ଅବସ୍ଥା ବି ଅନୁରୂପ । ଇତି ମଧ୍ୟରେ କେତେକ ଛାତ୍ରଛାତ୍ରୀ ଏ ନେଇ ନୂଆଦିଲ୍ଲୀ ଠାରେ ନାଇଲେଟ୍ର ମୁଖ୍ୟ ଦପ୍ତରକୁ ଇ-ମେଲ୍ ପଠାଇଥିବାବେଳେ ଆଉ କିଛି ଆସି ଭୁବନେଶ୍ୱର ମୁଖ୍ୟ ଦପ୍ତରରେ ପାଟିତୁଣ୍ଡ କରିଛନ୍ତି ।
ଛାତ୍ରଛାତ୍ରୀଙ୍କ କହିବାକଥା ଯେ ସେମାନେ ନିୟମ ଅନୁଯାୟୀ ପରୀକ୍ଷା ଦେଇଥିଲେ । ମୁଖ୍ୟ ପରୀକ୍ଷା ଦେବା ପରେ ପରେ ପ୍ରାକ୍ଟିକାଲ ପରୀକ୍ଷା ଦେବା ସହିତ ପ୍ରୋଜେକ୍ଟ ଦାଖଲ କରିଥିଲେ । ହେଲେ ପ୍ରୋଜେକ୍ଟ ଦାଖଲ ସମୟରେ ସେମାନଙ୍କୁ କୌଣସି ସୂଚନା ଦିଆଯାଇନଥିଲା । ଏବେ ସାର୍ଟିଫିକେଟ କଥା ପଚାରିବାକୁ ଯିବାରୁ ସେମାନଙ୍କୁ ୧୦୦ ଟଙ୍କା ଲେଖାଁଏ ଦାଖଲ କରିବାକୁ କୁହାଯାଇଛି । ଛାତ୍ରଛାତ୍ରୀମାନେ ଏ ନେଇ ପ୍ରଶ୍ନ କଲେ କେହି କିଛି ସଠିକ୍ ଉତ୍ତର ଦେଇପାରୁ ନାହାନ୍ତି ।
ଉଲ୍ଲେଖନୀୟ କେନ୍ଦ୍ର ସରକାରଙ୍କର ଏହି ଦପ୍ତରରେ ଜଣେ ନିର୍ଦ୍ଦେଶକଙ୍କ ସହିତ କିଛି କର୍ମଚାରୀ ରହିଛନ୍ତି । ହେଲେ ଅଧିକାଂଶ କର୍ମଚାରୀ ଠିକାରେ ରହିଥିବାରୁ ସେମାନଙ୍କ ନିକଟରେ ସେଭଳି ଠୋସ୍ ସୂଚନା ନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ତାଲିମ କେନ୍ଦ୍ରର ଏଭଳି ଅବ୍ୟବସ୍ଥା ଯୋଗୁଁ ଛାତ୍ରଛାତ୍ରୀମାନେ ଆଉ ସେଠାକୁ ଯିବାକୁ ପୂର୍ବଭଳି ଆଗ୍ରହ ପ୍ରକାଶ କରୁନଥିବା କୁହାଯାଉଛି ।
ତେବେ ଖୋଦ୍ କେନ୍ଦ୍ର ଆଇଟି ମନ୍ତ୍ରୀ ଓଡିଶାର ହୋଇଥିବାବେଳେ କେନ୍ଦ୍ର ଆଇଟି ବିଭାଗ ଅଧିନରେ ଥିବା ଏହି ଦପ୍ତରରେ ଏଭଳି ଅବହେଳା ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଯଦି ଖୁବ୍୍ଶୀଘ୍ର ସାର୍ଟିଫିକେଟ ନମିଳେ ଛାତ୍ରଛାତ୍ରୀମାନେ ଏହି କେନ୍ଦ୍ରୀୟ ଦପ୍ତର ଆଗରେ ଧାରଣାରେ ବସିବେ ବୋଲି ସୂଚନା ଦେଇଛନ୍ତି । (ତଥ୍ୟ)