ଭୁବନେଶ୍ୱର : ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ପୁଲିସ୍ ଓ ଅବକାରୀ ବିଭାଗ ଯାଞ୍ଚ ଏବଂ ଚଢାଉ ଯୋଗୁଁ ଏବେ କେବଳ ବେଆଇନ୍ ଅବକାରୀ ସାମଗ୍ରୀ ଜବତ ହେଉନାହିଁ ଚୋରା ନିଶା ବେପାରୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ଅବକାରୀ ବିଭାଗର ଦିନ ରାତି ଚଢଉ ଯୋଗୁଁ ଏଭଳି ସଫଳତା ଲକ୍ଷ୍ୟ କରାଯାଇଛି ।
ରାଜ୍ୟରେ ଚାଲିଥିବା ମିଳିତ ଚଢାଉ ଫଳରେ ଦେଢମାସ ମଧ୍ୟରେ ୧୧୮ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି । ଏଥି ମଧ୍ୟରେ ୪୪ କୋଟି ଟଙ୍କାର ନିଶା ସାମଗ୍ରୀ ରହିଛି । ଉଭୟ ପୁଲିସ୍ ଓ ଅବକାରୀ ବିଭାଗ ଏବେ ଦିନ ରାତି ରାସ୍ତାଘାଟରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିଥିବାରୁ ଏଭଳି ସଫଳତା ମିଳିଥିବା କୁହାଯାଉଛି ।
ନିର୍ବାଚନ କମିଶନଙ୍କ ତାଗିଦା ପରେ ପୁଲିସ୍ ପକ୍ଷରୁ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଯାଞ୍ଚ ଫାଟକ ତିଆରି ହୋଇଛି । ଉଭୟ ଦିନ ଓ ରାତିରେ ଯାଞ୍ଚ ଚାଲିଛି । ପ୍ରତ୍ୟେକ ଚାରି ଚକିଆ ଯାନକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ସହିତ ସେଥିରେ ଯାଉଥିବା ଲୋକଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯାଉଛି । ଏଥି ସହିତ ପ୍ରତ୍ୟେକ ଗାଡିର ଫଟୋ ଉଠାଇ ପୁଲିସ୍ ଓ ଅବକାରୀ ବିଭାଗ ରଖୁଛନ୍ତି ।
ରାଜ୍ୟରେ ଏବେ ୪୮୪ଟି ତନଖି ଫାଟକ ତିଆରି ହୋଇଥିବାବେଳେ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକରେ ୧୨୦ଟି ତନଖି ଫାଟକ ତିଆରି ହୋଇଛି । ପ୍ରତ୍ୟେକ ତନଖି ଫାଟକରେ ପୁଲିସ୍ ଅବକାରୀ ବିଭାଗର ଅଧିକାରୀମାନେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଏଥିପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା ସହିତ ଉପରିସ୍ଥ ଅଧିକାରୀଙ୍କୁ ଦୈନିକ ବିବରଣୀ ପ୍ରଦାନ କରାଯାଉଛି ।
ଅବକାରୀ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏଭଳି ଚଢାଉ ଯୋଗୁଁ ଏବେ ଚୋରା ମଦ ଓ ଅନ୍ୟାନ୍ୟ ନିଶା କାରବାରରେ ବ୍ରେକ୍ ଲାଗିଛି । ଚାରିଚକିଆ ଓ ଦୁଇ ଚକିଆ ଯାନ ଯୋଗେ ଗଞ୍ଜେଇ, ବ୍ରାଉନସୁଗାର ଓ ମଦ ପରିବହନ କରୁଥିବା ନିଶା ମାଫିଆମାନେ ବିଭିନ୍ନ ସ୍ଥାନରେ ଯାଞ୍ଚ ଭୟରେ ସେମାନଙ୍କ କାରବାରକୁ ବନ୍ଦ କରିଛନ୍ତି । ସେହିଭଳି ନିର୍ବାଚନକୁ ଦୃଷ୍ଟିରେ ରଖି ଗାଁ ଗହଳରେ ମଧ୍ୟ ପୁଲିସ୍ ଓ ଅବକାରୀ ବିଭାଗ ଚଢଉ ଜୋରଦାର କରିଥିବାରୁ ସେଠାରେ ଥିବା ଛୋଟ ଛୋଟ ଚୋରା ନିଶା ବେପାରୀ ଏକ ପ୍ରକାର ଛତ୍ରଭଙ୍ଗ ଦେଇଛନ୍ତି ।
ଜୁନ୍ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଭଳି ଯାଞ୍ଚ ଓ ଚଢାଉକୁ ଉଭୟ ପୁଲିସ୍ ଓ ଅବକାରୀ ବିଭାଗ ଚଳାଇଥିବାବେଳେ ପରବର୍ତ୍ତୀ ସମୟରେ ଅବକାରୀ ବିଭାଗ ତାହାର ଚଢଉ ଜାରି ରଖିବାପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ବିଶେଷକରି ବର୍ତ୍ତମାନ ଚଢଉ ସମୟରେ ଯେଉଁସବୁ ନିଶା ବେପାରୀ ଧରାପଡୁଛନ୍ତି ଓ ପୁରୁଣା ନିଶା ବେପାରୀମାନଙ୍କର ଏକ ଡାଟାବେସ୍ ପ୍ରସ୍ତୁତ ହେଉଛି । ସେହି ଆଧାରରେ ଆଗାମୀ ଦିନରେ ବେଆଇନ୍ ନିଶା ବେପାରୀଙ୍କ ଉପରେ ଅଙ୍କୁଶ ଲଗାଇବାପାଇଁ ବିଭାଗ ଯୋଜନା କରୁଥିବା ଜଣାଯାଇଛି । (ତଥ୍ୟ)