Home Election ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ବଢିବ

ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ବଢିବ

ଭୁବନେଶ୍ୱର : ରାଜ୍ୟରେ କୌଣସି ଦଳର ବିଧାନସଭା ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇପାରୁନଥିବାବେଳେ ଅସନ୍ତୁଷ୍ଟ ନେତାମାନେ ଏବେ ସ୍ୱାଧୀନ ପ୍ରାର୍ଥୀ ହେବାକୁ ମନବଳାଇଲେଣି । ଏଥିଯୋଗୁଁ ଆଗାମୀ ଦିନରେ ରାଜ୍ୟରେ ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

୧୪୭ଟି ବିଧାନସଭା ଆସନ ମଧ୍ୟରୁ ଆଜି ସୁଦ୍ଧା ବିଜେଡି ୧୪୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେପି ୧୪୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାରେ ସଫଳ ହୋଇଛି । ସେହିଭଳି କଂଗ୍ରେସ ମଧ୍ୟ ୧୩୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତେବେ ପ୍ରାର୍ଥୀ ଘୋଷଣା ଚୂଡାନ୍ତ ହୋଇନଥିବାବେଳେ ଅସନ୍ତୁଷ୍ଟଙ୍କ ସଂଖ୍ୟା କିନ୍ତୁ ବଢି ବଢି ଚାଲିଛି । ଅନେକ ଆଶାୟୀ ଓ ଟିକଟ କାଟ୍‍ର ସମ୍ମୁଖୀନ ହୋଇଥିବା ନେତାମାନେ ନିଜ ନିଜ ଦଳର ନେତୃତ୍ୱଙ୍କ ଉପରେ ଚାପ ପକାଇ ଚାଲିଛନ୍ତି ।

ଯେଉଁସବୁ ନେତାମାନଙ୍କ ଟିକଟ ଦଳ କାଟିଛି ସେମାନେ ଏବେ ନିଜ ନିଜର ଶକ୍ତି ପ୍ରଦର୍ଶନ ସହିତ ପ୍ରାର୍ଥୀ ବଦଳାଇବାପାଇଁ ଚାପ ପକାଇବାରେ ଲାଗିଛନ୍ତି । ଇତି ମଧ୍ୟରେ ଚାପ ପକାଇ ବିଫଳ ହୋଇଥିବା କିଛି ନେତା ସ୍ୱାଧୀନ ପ୍ରାର୍ଥୀ ପାଇଁ ମନବଳାଇବା ଆରମ୍ଭ କରିଛନ୍ତି । କେତେକ ମଧ୍ୟ ଖୋଲାଖୋଲି ଭାବେ ଏ ନେଇ ସଙ୍କେତ ଦେଲେଣି ।

ଇତି ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାଟ ଏବଂ ଏହା ଅର୍ନ୍ତଗତ ୨୮ଟି ବିଧାନସଭା ଆସନ ପାଇଁ ଇତି ମଧ୍ୟରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ସମାପ୍ତ ହୋଇଛି । ତେଣୁ ଅବଶିଷ୍ଟ ତିନି ପର୍ଯ୍ୟାୟ ପାଇଁ ଏବେ ପ୍ରାର୍ଥୀମାନଙ୍କୁ ନେଇ ଟଣାଓଟରା ଆରମ୍ଭ ହୋଇଛି ।

ତେବେ ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ନେତାଙ୍କ ଦଳଡିଆଁ ପାଇଁ ବୃଦ୍ଧି ପାଇବ ବୋଲି କୁହାଯାଉଛି । କାରଣ ଇତି ମଧ୍ୟରେ ବିଜେଡି, ବିଜେପି ଓ କଂଗ୍ରେସର ବହୁ ନେତା ଅନ୍ୟ ଦଳକୁ ଯିବା ସହିତ ସେଠାରୁ ତୁରନ୍ତ ଟିକଟ ହାତେଇ ନେଇଛନ୍ତି । ଏହାକୁ ବିରୋଧ କରି ତିନି ଦଳର ଆଶାୟୀମାନେ ଅସନ୍ତୁଷ୍ଟ ପାଲଟିବା ସହିତ ନିଜ ନିଜ ଦଳୀୟ କାର୍ଯ୍ୟାଳୟରେ ଆସି ଗଣ୍ଡଗୋଳ କରିଥିଲେ ।

ଇତି ମଧ୍ୟରେ ବିଜେଡି, ବିଜପି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀ ବଦଳାଇଛନ୍ତି । ବିଜେଡି ସମ୍ବଲପୁର ଓ ରେଢାଖୋଲ ଆସନରେ ବିଧାନସଭା ପ୍ରାର୍ଥୀଙ୍କୁ ବଦଳାଇଛି । ସମ୍ବଲପୁରରୁ ଟିକଟ ପାଇଥିବା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ରେଢାଖୋଲକୁ ବଦଳାଇଥିବାବେଳେ ରେଢାଖୋଲରୁ ଟିକଟ ପାଇଥିବା ରୋହିତ ପୂଜାରୀଙ୍କୁ ସମ୍ବଲପୁରକୁ ପରିବର୍ତ୍ତନ କରାଯାଇଛି । ସେହିଭଳି ବିଜେପି ମଧ୍ୟ ରଣପୁର ଆସନ ପାଇଁ ପ୍ରଥମେ ଟିକଟ ପାଇଥିବା ତାପସ କୁମାର ମାର୍ଥାଙ୍କୁ ବଦଳାଇ ସୁରମା ପାଢୀଙ୍କୁ ଟିକଟ ଦେଇଛି । କଂଗ୍ରେସ ମଧ୍ୟ ଦିଗପହଣ୍ଡି ଆସନରେ ତାହାର ପ୍ରାର୍ଥୀ ଶ୍ରୀଧର ଦେବଙ୍କୁ ବଦଳାଇ ତାଙ୍କ ସ୍ଥାନରେ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି ।

ସବୁ ଦଳ ଚାପରେ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ପ୍ରାର୍ଥୀ ବଦଳାଇବା ପରେ ଅସନ୍ତୁଷ୍ଟମାନଙ୍କ ଚାପ ବଢି ବଢି ଚାଲିଛି । ତେବେ ଯେଉଁମାନେ ଚାପ ସଫଳ ହେବାର କୌଣସି ସଙ୍କେତ ପାଉନାହାନ୍ତି ସେମାନେ ନିଜର ରାଜନୈତିକ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବେ ସ୍ୱାଧୀନ ପ୍ରାର୍ଥୀ ହେବାକୁ ସଙ୍କେତ ଦେଇଛନ୍ତି । କିନ୍ତୁ ଅନେକ ଏବେ ବି ଦଳୀୟ ଟିକଟ ପାଇବାର ଆଶା ଛାଡିପାରିନଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)