Home General ପାଣି ପାଇଁ ଛଟପଟ

ପାଣି ପାଇଁ ଛଟପଟ

ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବୁଲା ପଶୁ ପକ୍ଷୀମାନେ ଏବେ ଛଟପଟ । ବିଶେଷକରି ରାଜଧାନୀରେ ଥିବା ବୁଲା କୁକୁର, ବିଭିନ୍ନ ଶ୍ରେଣୀ ପକ୍ଷୀମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । ଗୋଟିଏ ପଟେ ଖାଦ୍ୟାଭାବ ସାଙ୍ଗକୁ ମୁଣ୍ଡଫଟା ଖରା ସମୟରେ ପାଣି ଟୋପାଏ ନପାଇ ଅନେକ ବୁଲା କୁକୁର ହିଂସ୍ର ହେବାରେ ଲାଗିଛନ୍ତି ।

ଭୁବନେଶ୍ୱରର ତାପମାତ୍ରା ଲଗାତାର ଭାବେ ୪୦ ଡିଗ୍ରୀ ଉପରେ ରହିବା ସହିତ ଅନେକ ସମୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ବଜାୟ ରଖୁଛି । ସହରରେ ପ୍ରବଳ ଖରା ସାଙ୍ଗକୁ ଡହ ଡହ ତାତି ଅନୁଭୂତ ହେଉଛି । ଏଭଳି ସ୍ଥିତିରେ ଲୋକେ ପାଣି ଟୋପାଏ ପାଇଁ ଆଉଟୁ ପାଉଟୁ ହେଉଛନ୍ତି । ଅବଶ୍ୟ ଲୋକଙ୍କ ତୃଷା ମେଣ୍ଟାଇବାପାଇଁ ବିଏମ୍‍ସି ଠାରୁ ଆରମ୍ଭ କରି ଅନେକ ବେସରକାରୀ ସଂସ୍ଥା ରାସ୍ତାକଡରେ ଜଳଛତ୍ରମାନ ଖୋଲିଛନ୍ତି ।

ହେଲେ ବୁଲା ପଶୁ କିମ୍ବା ପକ୍ଷୀଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ କହିଲେ ଚଳେ । ସେମାନେ ଦୟାଳୁ ଲୋକଙ୍କ ହାତ ଟେକାକୁ ଚାହିଁ ରହିଛନ୍ତି । ବୁଲା ପଶୁଙ୍କ ବିକଳ ଭାବକୁ ଦେଖି ଅନେକ ପରୋପକାରୀ ଲୋକେ ନିଜ ନିଜ ଘର ସାମ୍ନାରେ ଜଳପାତ୍ର ସ୍ଥାପନ କରିଛନ୍ତି ।ଏଥିରେ ପାଣି ରଖିବା ମାତ୍ରେ ବୁଲା କୁକୁର ଓ ପକ୍ଷୀମାନେ ଆସି ନିଜ ନିଜର ଶୋଷ ମେଣ୍ଟାଉଛନ୍ତି । ହେଲେ ଏହା ସମୁଦ୍ରକୁ ଶଙ୍ଖେ ଭଳି ।

ତେବେ କରୋନା ମହାମାରୀ ସମୟରେ ବିଏମ୍‍ସି ପକ୍ଷରୁ ଯେଭଳି ପଶୁମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ହୋଇଥିଲା ବର୍ତ୍ତମାନ ଗ୍ରୀଷ୍ମ ପ୍ରଦାହ ସମୟରେ ଅତି କମ୍‍ରେ ଅନୁରୂପ ଢାଞ୍ଚାରେ ଜଳ ଯୋଗାଣ ପାଇଁ ମତପ୍ରକାଶ ପାଉଛି । ଏହା ହୋଇପାରିଲେ ଅନେକ ପଶୁପକ୍ଷୀଙ୍କ ତୃଷା ମେଣ୍ଟାଯିବା ସହିତ ସେମାନଙ୍କ ଜୀବନ ରକ୍ଷା ହୋଇପାରନ୍ତା ।

ବିଏମ୍‍ସି କର୍ତ୍ତୃପକ୍ଷ ଘରକୁ ଘର ବୁଲି ବର୍ଜ୍ୟ ସଂଗ୍ରହ କରିବା ଫଳରେ ବୁଲା କୁକୁର ଓ ପକ୍ଷୀମାନେ ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ଲୋକେ ନିଜ ନିଜର ବଳକା ଖାଦ୍ୟକୁ ବାହାରେ ପକାଇ ଦେଉଥିବାବେଳେ ବୁଲା କୁକୁରମାନେ ତାହାକୁ ଖାଉଥିଲେ । ହେଲେ ଏବେ ରାସ୍ତାଘାଟରେ ବାସି ଖାଦ୍ୟ ପକାଇଲେ ଜୋରିମାନା ଏବଂ ପ୍ରଦୂଷଣ ଭୟ ଯୋଗୁଁ ଲୋକେ ପୌରସଂସ୍ଥାର ଅଳିଆ ଗାଡିରେ ନିଜ ନିଜର ବଳକା ଖାଦ୍ୟକୁ ଦେଇ ଦେଉଛନ୍ତି । ଏଥିଯୋଗୁଁ ବୁଲା ପଶୁମାନେ ଆଉ ସହଜରେ ଖାଦ୍ୟ ପାଉନାହାନ୍ତି ।

ଗୋଟିଏ ପଟେ ଖାଦ୍ୟାଭାବ ସାଙ୍ଗକୁ ଅନ୍ୟପଟେ ପ୍ରବଳ ଖରା ଓ ଗୁଳୁଗୁଳିରେ ପାଣି ଟୋପାଏ ନପାଇ ବୁଲା କୁକୁରମାନେ ହିଂସ୍ର ହେବା ସହିତ କେତେକ ସ୍ଥାନରେ ଲୋକଙ୍କୁ କାମୁଡି ଗୋଡାଉଛନ୍ତି । କୁକୁର କାମୁଡାରେ ଅନେକ ଆହତ ବି ଡାକ୍ତରଖାନାରେ ପହଞ୍ଚୁଛନ୍ତି । ତେଣୁ କରୋନା ସମୟରେ ଯେଭଳି ପଶୁ ପକ୍ଷୀମାନଙ୍କ ପ୍ରତି ପୌର ପ୍ରଶାସନ ଦୟା ପରବେଶ ହୋଇଥିଲା ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଅନୁରୂପ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । (ତଥ୍ୟ)