ଭୁବନେଶ୍ୱର : ରାଜ୍ୟରେ ତିନି ରାଜନୈତିକଦଳ ବିଜେଡି, ବିଜେପି ଓ କଂଗ୍ରେସ ଅଧିକାଂଶ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ପ୍ରାର୍ଥୀମାନେ ଏବେ ନାମାଙ୍କନପତ୍ର ଦାଖଲ ସହିତ ପ୍ରଚାର ପାଇଁ ଗୋଡ କାଢିଲେଣି । ତେବେ ପ୍ରଚଣ୍ଡ ରୌଦ୍ରତାପ ମଧ୍ୟରେ ପ୍ରାର୍ଥୀମାନେ ଧିରେ ଧିରେ ପ୍ରଚାର ଆରମ୍ଭ କରିଥିବାବେଳେ ଏବେ ବଡ ନେତା ବା ଷ୍ଟାର ପ୍ରଚାରକଙ୍କୁ ଅପେକ୍ଷା ।
ବିଜେଡି ବର୍ତ୍ତମାନ ସୁଦ୍ଧା ୨୧ଟି ଲୋକସଭା ସହିତ ୧୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେପି ମଧ୍ୟ ୨୧ଟି ଲୋକସଭା ସହିତ ୧୩୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ସେହିଭଳି କଂଗ୍ରେସ ୧୭ଟି ଲୋକସଭା ସହିତ ୧୩୮ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଲାଣି ।
ତେବେ ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଅନେକ ଏବେ ଧିରେ ସୁସ୍ଥେ ପ୍ରଚାର ଆରମ୍ଭ କରୁଛନ୍ତି । ପ୍ରଚଣ୍ଡ ରୌଦତାପ ଯୋଗୁଁ ନିଜର ଅତି ଘନିଷ୍ଠ ସହଯୋଗୀଙ୍କ ସହିତ ଅପରାହ୍ନ କିମ୍ବା ସଂଧ୍ୟାରେ ଘରକୁ ଘର ବୁଲୁଛନ୍ତି । ଅବଶ୍ୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ୧୮ ତାରିଖରୁ ନାମାଙ୍କନ ଆରମ୍ଭ କରିଥିବା ପ୍ରାର୍ଥୀମାନେ ପ୍ରଚାରକୁ ଟିକେ ଆଗକୁ ବଢାଇଛନ୍ତି ।
ହେଲେ ଏବେ ତିନି ଦଳର ପ୍ରାର୍ଥୀଙ୍କ ଅପେକ୍ଷା ଆଗଧାଡିରୁ ନେତାଙ୍କୁ । ଷ୍ଟାର ପ୍ରଚାରକମାନଙ୍କ ଅପେକ୍ଷାରେ ସେମାନେ ଅଛନ୍ତି । ଇତି ମଧ୍ୟରେ ବିଜେଡି ତାହାର ୪୦ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି । ବିଜେପି ଯଦିଓ ଏଭଳି ତାଲିକା ପ୍ରକାଶ କରିନାହିଁ କିନ୍ତୁ ଆସନ୍ତା ୨୫ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓଡିଶା ଗସ୍ତରେ ଆସିବା ସହିତ ପ୍ରଚାରର ଶୁଭାରମ୍ଭ କରିବେ ବୋଲି ସୂଚନା ଦେଇଛି । ଶ୍ରୀ ଶାହା ସୋନପୁରରେ ପ୍ରଚାର ଆରମ୍ଭ କରିବା ସହିତ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି ।
ବିଜେପି ଓ କଂଗ୍ରେସ ଉଭୟ ଜାତୀୟ ଦଳ ହୋଇଥିବାରୁ ସେମାନେ ଏବେ ନିଜ ନିଜର ଜାତୀୟ ନେତାଙ୍କ ଅପେକ୍ଷାରେ ରହିଛନ୍ତି । ତେବେ ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅମିତ ଶାହା, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସିବେ ବୋଲି ସୂଚନା ଦିଆଯାଇଛି । ସେହିଭଳି କଂଗ୍ରେସ ପାଇଁ ରାହୁଳ ଓ ପ୍ରିୟଙ୍କାଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି ।
ତେବେ ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ବାହାରୁଛନ୍ତି ତାହାକୁ ଦଳୀୟ ପ୍ରାର୍ଥୀମାନେ ଅପେକ୍ଷା କରି ରହିଛନ୍ତି । କାରଣ ବିଜେଡି ନବୀନଙ୍କ ନାଁରେ ଭୋଟ ମାଗୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରଚାର ସେମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥି ସହିତ ଦଳର ଷ୍ଟାର ପ୍ରଚାରକ ତାଲିକାରେ ଥିବା କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତା ଓ ତାରକାମାନେ ମଧ୍ୟ ଆଗାମୀ ଦିନରେ ମଇଦାନକୁ ଓହ୍ଲାଇବେ ।
ତେବେ ଖୁବ୍ଶୀଘ୍ର ରାଜ୍ୟରେ ସବୁ ଦଳର ପ୍ରାର୍ଥୀ ତାଲିକା ଚୂଡାନ୍ତ ସହିତ ଧୂଆଁଧାର ପ୍ରଚାର ଆରମ୍ଭ ହୋଇଯିବ । ଇତି ମଧ୍ୟରେ ଜାତୀୟ ସ୍ତରରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଛି । ଓଡିଶାରେ ଚତୁର୍ଥ ପର୍ଯ୍ୟାୟରୁ ମତଦାନ ଆରମ୍ଭ ହେଉଥିବାବେଳେ ଜାତୀୟ ସ୍ତରର ନେତାମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀମାନେ ଆଶାବାନ୍ଧି ବସିଛନ୍ତି । (ତଥ୍ୟ)