ଭୁବନେଶ୍ୱର : ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ କଂଗ୍ରେସ ନିମାପଡାରୁ ପ୍ରାର୍ଥୀ କରିଛି । ସାନପୁଅ ମନ୍ମଥ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକଟ ପାଇଛନ୍ତି । ଫଳରେ ସୁରଙ୍କ ଦୁଇ ପୁଅ ଏବେ ଦୁଇ ଦଳରୁ ଲଢିବା ସ୍ପଷ୍ଟ ହୋଇଛି ।
ଜାତୀୟ କଂଗ୍ରେସ ପକ୍ଷରୁ ଓଡିଶା ପାଇଁ ଜାରି ୧୬ ଜଣିଆ ବିଧାୟକ ତାଲିକାରେ ନିମାପଡା ପାଇଁ ସିଦ୍ଧାର୍ଥଙ୍କ ନାମ ରହିଛି । ପ୍ରାରମ୍ଭରୁ ସିଦ୍ଧାର୍ଥ ନିମାପଡାରେ ବୁଲାବୁଲି କରୁଥିଲେ ପରେ ଜଟଣୀ ଉପରେ ଫୋକସ କରିଥିଲେ । ଏପରିକି ଜଟଣୀର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥଙ୍କର ମନୋନୀତ ପ୍ରାର୍ଥୀ ବୋଲି ସୁର ଖୋଲାଖୋଲି ଭାବେ କହିଥିଲେ ।
ଇତି ମଧ୍ୟରେ ସାନପୁଅ ମନ୍ମଥ ପାଇଁ ବୁଲି ବୁଲି ପ୍ରଚାର କରିବାରୁ କଂଗ୍ରେସ ଦଳ ସୁରଙ୍କୁ ୬ବର୍ଷ ପାଇଁ ନିଲମ୍ବନ କରିଛି । ନିଲମ୍ବନ ପରେ ସୁର ଖୋଲାଖୋଲି ଭାବେ ପୁଅ ପାଇଁ ପ୍ରଚାରକୁ ଓହ୍ଲାଇଥିବାବେଳେ ଏବେ ବଡ ପୁଅ ପାଇଁ ପ୍ରଚାର କରିବେ କି ନାହିଁ ତାହାକୁ ସମସ୍ତଙ୍କ ଅପେକ୍ଷା ।
ସିଦ୍ଧାର୍ଥଙ୍କ ସହିତ ଅନ୍ୟ ଯେଉଁମାନଙ୍କ ନାମ କଂଗ୍ରେସ ପକ୍ଷରୁ ଘୋଷଣା ହୋଇଛି ସେଥି ମଧ୍ୟରେ ଝାରସୁଗୁଡାରୁ ଅମିତା ବିଶ୍ୱାଳ, ବଡସାହିରୁ କ୍ଷିରୋଦ ଚନ୍ଦ୍ର ପାତ୍ର, ସୁକିନ୍ଦାରୁ ବିଭୁ ଭୂଷଣ ରାଉତ, କଣ୍ଟାମାଳ ଶରତ କୁମାର ପ୍ରଧାନ, କେନ୍ଦ୍ରାପଡାରୁ ସିପ୍ରା ମଲ୍ଲିକ, ରାଜନଗର ଅଶୋକ ପ୍ରତିହାରୀ, ମହାକାଳପଡାରୁ ଲୋକନାଥ ମହାରଥୀ, ପିପିଲିରୁ ଜ୍ଞାନ ରଞ୍ଜନ ପଟ୍ଟନାୟକ, ଜୟଦେବରୁ କୃଷ୍ଣ ସଗରିଆ, ଖୋରଧାରୁ ସୋନାଲି ସାହୁ, ଚିଲିକାରୁ ପ୍ରଦୀପ କୁମାର ସ୍ୱାଇଁ, ଖଣ୍ଡପଡାରୁ ମନୋଜ କୁମାର ପ୍ରଧାନ, ଦଶପଲ୍ଲାରୁ ନକୁଳ ନାୟକ, କବିସୂର୍ଯ୍ୟନଗରରୁ ସଞ୍ଜୟ କୁମାର ମଣ୍ଡଳ ଓ ଗୋପାଳପୁରରୁ ଶ୍ୟାମ ସୁନ୍ଦର ସାହୁଙ୍କ ନାମ ରହିଛି ।
ତେବେ ଏହି ୧୬ଜଣିଆ ତାଲିକାରେ କଂଗ୍ରେସ ତିନି ଜଣ ପ୍ରାର୍ଥୀ ବଦଳ କରିଛି । କଣ୍ଟାମାଳରେ ମନୋଜ କୁମାର ଆଚାର୍ଯ୍ୟଙ୍କ ସ୍ଥାନରେ ଶରତ କୁମାର ପ୍ରଧାନଙ୍କୁ ଟିକଟ ମିଳିଥିବାବେଳେ ଜୟଦେବରେ ଜୟନ୍ତ କୁମାର ଭୋଇଙ୍କ ବଦଳରେ କୃଷ୍ଣ ସଗରିଆ ଏବଂ କବିସୂର୍ଯ୍ୟନଗରରେ ବିପିନ ବିହାରୀ ସ୍ୱାଇଁଙ୍କ ସ୍ଥାନରେ ସଞ୍ଜୟ କୁମାର ମଣ୍ଡଳଙ୍କୁ ପ୍ରାର୍ଥୀ କରାଯାଇଛି ।
ସେହିଭଳି ଦୁଇ ମହିଳା ପ୍ରାର୍ଥୀ ସୋନାଲି ସାହୁ ଓ ସିପ୍ରା ମଲ୍ଲିକ କଂଗ୍ରେସ ଦଳରେ ମିଶିବା ପରେ ତୁରନ୍ତ ଟିକଟ ହାତେଇ ନେଇଛନ୍ତି । ସୋନାଲି ପୂର୍ବରୁ କଂଗ୍ରେସର ମୁଖପାତ୍ର ଥିବାବେଳେ ପରେ ବିଜେପିକୁ ପଳାଇଥିଲେ । ସେହିଭଳି ସିପ୍ରା ବିଜେଡିର ପୂର୍ବତନ ବିଧାୟିକା ଥିଲେ ।
ସେହିଭଳି କଂଗ୍ରେସ ପକ୍ଷରୁ ତିନି ଜଣ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି ସେମାନଙ୍କ ମଧ୍ୟରେ ସମ୍ବଲପୁର ପାଇଁ ଦୁଲାଲ ଚନ୍ଦ୍ର ସ୍ୱାଇଁ ଓ ଆସ୍କା ପାଇଁ ଦେବକାନ୍ତ ଶର୍ମାଙ୍କ ନାମ ଘୋଷଣା ହୋଇଥିବାବେଳେ କେନ୍ଦୁଝର ଆସରେ ମୋହନ ହେମ୍ବ୍ରମଙ୍କ ସ୍ଥାନରେ ବିନୋଦ ବିହାରୀ ନାୟକଙ୍କ ନାମ ଘୋଷଣା କରାଯାଇଛି ।