Home News in Odia ଅନିଶ୍ଚିତତାରେ ମନ୍ତ୍ରୀଙ୍କ ଭାଗ୍ୟ

ଅନିଶ୍ଚିତତାରେ ମନ୍ତ୍ରୀଙ୍କ ଭାଗ୍ୟ

ଭୁବନେଶ୍ୱର : ନିର୍ବାଚନ ପରିପ୍ରେକ୍ଷୀରେ ଓଡିଶାର ଚାରି ଜଣ ମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସଦସ୍ୟ ଥିବା ଅନ୍ୟଜଣେ ଓଡିଆ ମନ୍ତ୍ରୀଙ୍କ ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି । ବିଶେଷକରି ନିର୍ବାଚନ ଲଢିବାପାଇଁ ଦଳୀୟ ଟିକଟ ଘୋଷଣା ପରିପ୍ରେକ୍ଷୀରେ ଏଭଳି ସ୍ଥିତି ଉପୁଜିଛି ।

ସରକାରୀ ଇଞ୍ଜିନିୟରିଂ ଚାକିରି ଛାଡି ବିଶେଶ୍ୱର ଟୁଡୁ ବିଜେପିରେ ଯୋଗଦେବା ସହ ମୟୁରଭଞ୍ଜ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ସେ ଏବେ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । ତେବେ କୌଣସି କାରଣରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ତାଙ୍କ ଉପରେ ଭରସା କରିନପାରି ମୟୁରଭଞ୍ଜ ଆସନରୁ ତାଙ୍କ ପରିବର୍ତ୍ତେ ରାଇରଙ୍ଗପୁରର ବିଧାୟକ ନବ ଚରଣ ମାଝିଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଏହାପରେ ଶ୍ରୀ ଟୁଡୁ ରାଜ୍ୟ ରାଜନୀତିରେ ରହିବେ ଓ ତାଙ୍କୁ ମନପସନ୍ଦର ବିଧାନସଭା ଆସନ ଦିଆଯିବା ବୋଲି କଳ୍ପନା ଜଳ୍ପନା ହେଉଥିଲା । କିନ୍ତୁ ଇତି ମଧ୍ୟରେ ବିଜେପି ମୟୁରଭଞ୍ଜ ଜିଲ୍ଲାର ସମସ୍ତ ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ଏବେ ଅନିଶ୍ଚିତତା ଘେରରେ ।

ରାଜ୍ୟ କ୍ୟାବିନେଟରେ ବରିଷ୍ଠ ମନ୍ତ୍ରୀ ଥିବା ଶ୍ରୀମତୀ ଉଷା ଦେବୀ ବିଜୁ ପଟ୍ଟନାୟକଙ୍କ ସମୟରୁ ରାଜନୀତିରେ ସକ୍ରିୟ ରହି ବାରମ୍ବାର ବିଧାନସଭାକୁ ଚିକିଟି ଆସନରୁ ନିର୍ବାଚିତ ହୋଇ ଆସୁଥିଲେ । ଏଥର ଉଷା ଦେବୀ ପ୍ରାର୍ଥୀ ହୋଇନାହାନ୍ତି । ତାଙ୍କ ସ୍ଥାନରେ ତାଙ୍କ ପୁଅ ବିଜେଡି ଟିକଟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏ ପରିପ୍ରେକ୍ଷୀରେ ଆଗାମୀ ଦିନରେ ମନ୍ତ୍ରୀ ଉଷା ଦେବୀଙ୍କ ରାଜନୈତିକ କାର୍ଯ୍ୟକଳାପ କ’ଣ ରହିବ ତାହା ଜଣାଶୁଣା ।

ରାଜ୍ୟ କ୍ୟାବିନେଟର ଅନ୍ୟତମ ମନ୍ତ୍ରୀ ତଥା ସାରସକଣାର ବିଧାୟକ ସୁଦାମ ମାରାଣ୍ଡିଙ୍କୁ ବିଜେଡି ଏଥର ବିଧାନସଭା ପରିବର୍ତ୍ତେ ଲୋକସଭା ଲାଗି ପ୍ରାର୍ଥୀ କରିଛି । ତେଣୁ ନିର୍ବାଚନ ପରେ ସୁଦାମଙ୍କର ଆଉ ରାଜ୍ୟ ମନ୍ତ୍ରୀମଣ୍ଡଳକୁ ଫେରିବାର ନାହିଁ । ଏଯାବତ୍‍ ତାଙ୍କ ବିଧାନସଭା କ୍ଷେତ୍ର ସାରସକଣା ପାଇଁ ବିଜେଡି କାହା ନାମ ଘୋଷଣା କରିନାହିଁ । ଏହି ଆସନରୁ ତାଙ୍କ ପରିବାରର କେହି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରେ ।

ସେହିପରି ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନସଭା ଆସନରୁ ଜିଣି ରାଜ୍ୟ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଥିବା ଶ୍ରୀମତୀ ବାସନ୍ତି ହେମ୍ବ୍ରମଙ୍କ ପ୍ରାର୍ଥୀତ୍ୱ ଏବେ ବି ସୂତାଖିଅରେ ଝୁଲି ରହିଛି । ବାସନ୍ତିଙ୍କୁ ବିଜେଡି ପୁଣି ଟିକଟ ଦେବ ନା ତାଙ୍କ ସ୍ଥାନରେ ଆଉ କାହାକୁ ପ୍ରାର୍ଥୀ କରିବ ସେଥିଘେନି ଚର୍ଚ୍ଚା ବଢିବାକୁ ଲାଗିଥିବାବେଳେ ନୂଆ ନୂଆ ଦାବିଦାରଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି ।

ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ ତୁଷାରକାନ୍ତି ବେହେରା ଜଣେ ଆଇଆଇଟିଆନ । କାକଟପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇ ସେ ଏବେ ସ୍ୱରାଷ୍ଟ୍ର, ଆଇଟି, କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ମନ୍ତ୍ରୀ ଅଛନ୍ତି । ପୁରୀ ଜିଲ୍ଲାର କାକଟପୁର ଛଡା ଅନ୍ୟ ସମସ୍ତ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି । କାକଟପୁରରେ ପୁଣି ଥରେ ତୁଷାରଙ୍କୁ ପ୍ରାର୍ଥୀ କରାଯିବ କି ନାହିଁ ତାହା ଉପରେ ତାଙ୍କ ରାଜନୈତିକ ଭବିଷ୍ୟତ ନିର୍ଭର କରୁଛି ।

ରାଜ୍ୟ ସରକାରର ଚାରି ଜଣ ମନ୍ତ୍ରୀ ଓ କେନ୍ଦ୍ର ସରକାରର ଜଣେ ଓଡିଆ ମନ୍ତ୍ରୀଙ୍କ ସ୍ଥିତି ଦୋଦୂଲ୍ୟମାନ ଅବସ୍ଥାରେ ଥିବାବେଳେ କେନ୍ଦ୍ରାପଡା, ବାଲିକୁଦା-ଏରସମା, ବରୀ, ବଡଚଣା, ଭୋଗରାଇ, ସିମୁଳିଆ, ଖୋରଧା, ଚିଲିକା, ବେଗୁନିଆ, ଖଣ୍ଡପଡା ଭଳି ଆଉ କେତେକ ଗୁରୁତ୍ୱପୂର୍ଣର୍ ଆସନ ଲାଗି ଏଯାବତ୍‍ ବିଜେଡି ପ୍ରାର୍ଥୀ ତାଲିକା ଘୋଷିତ ହୋଇନଥିବାରୁ ସେସବୁ ସ୍ଥାନରେ ବି ଶାସକଦଳର ବିଧାୟକମାନେ ଅନିଶ୍ଚିତତା ଘେରରେ ଅଛନ୍ତି । (ତଥ୍ୟ)