Home News in Odia ଟିକଟ ପାଇଲେନି ୧୧ ସାଂସଦ

ଟିକଟ ପାଇଲେନି ୧୧ ସାଂସଦ

ଭୁବନେଶ୍ୱର : ଓଡିଶାର ୨୧ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ଏଥର ଅଧାରୁ ଅଧିକ ନିର୍ବାଚନ ଲଢିବାକୁ ଯାଉନାହାନ୍ତି । ଅନ୍ୟୁନ ୧୧ଟି ଆସନରେ ନୂଆ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବାବେଳେ ୧୦ଟି ଆସନରୁ ବର୍ତ୍ତମାନର ସାଂସଦମାନେ ଲଢୁଛନ୍ତି ।

ବିଜେଡି ଟିକଟର ଲଢି ସାଂସଦ ହୋଇଥିବା ଆସ୍କାର ପ୍ରମିଳା ବିଶୋୟୀ, ବ୍ରହ୍ମପୁରର ଚନ୍ଦ୍ରଶେଖର ସାହୁ, ଢେଙ୍କାନାଳର ମହେଶ ସାହୁ, କେନ୍ଦ୍ରାପଡାର ଅନୁଭବ ମହାନ୍ତି, କେନ୍ଦୁଝରର ଚନ୍ଦ୍ରାଣି ମୁର୍ମୁ, ନବରଙ୍ଗପୁରର ରମେଶ ଚନ୍ଦ୍ର ମାଝି, ପୁରୀର ପିନାକୀ ମିଶ୍ର ଓ କଟର ଭର୍ତ୍ତୃହରି ମହତାବଙ୍କୁ ଏଥର ବିଜେଡି ଟିକଟ ଦେଇନାହିଁ । ତେବେ ଭର୍ତ୍ତୃହରି ତାଙ୍କ ଆସନରୁ ବିଜେପି ଟିକଟରେ ନିର୍ବାଚନ ଲଢୁଛନ୍ତି । ପ୍ରମିଳା, ଚନ୍ଦ୍ରଶେଖର, ମହେଶ, ଅନୁଭବ, ଚନ୍ଦ୍ରାଣି, ପିନାକୀ ଆଦିଙ୍କ ନିର୍ବାଚନୀ ରାଜନୀତିର ଭବିଷ୍ୟତ କ’ଣ ହେବ ତାହା ଏବେ ଚର୍ଚ୍ଚାର ବଳୟରେ । ତେବେ ଇତି ମଧ୍ୟରେ କେନ୍ଦ୍ରାପଡାର ସାଂସଦ ଥିବା ଅନୁଭବ ମହାନ୍ତି ବିଜେଡି ଛାଡି ବିଜେପିରେ ମିଶିଛନ୍ତି ।

ରାଜ୍ୟର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ତାଙ୍କ ଦଳ ପୁଣି କୋରାପୁଟ ଆସନରୁ ପ୍ରାର୍ଥୀ କରିଛି । ଅନ୍ୟ ପକ୍ଷରେ ବିଜେପିର ବରଗଡ ସାଂସଦ ସୁରେଶ ପୂଜାରୀଙ୍କୁ ଦଳ ସଂସଦୀୟ କ୍ଷେତ୍ରରୁ ଟିକଟ ନଦେଇ ତାଙ୍କୁ ବ୍ରଜରାଜନଗର ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରିଛି । କଳାହାଣ୍ଡିର ସାଂସଦ ତଥା ବିଜେପିର ପୂର୍ବତନ ରାଜ୍ୟଶାଖା ସଭାପତି ବସନ୍ତ କୁମାର ପଣ୍ଡାଙ୍କୁ ବି ଦଳୀୟ ଟିକଟ ମିଳିନାହିଁ । ତେବେ ତାଙ୍କ ପୁତ୍ରଙ୍କୁ ବିଜେପି ବିଧାନସଭା ପାଇଁ ପ୍ରାର୍ଥୀ କରିଛି ।

ବିଜେପିର ସମ୍ବଲପୁର ଲୋକସଭା ସଦସ୍ୟ ନିତେଶ ଗଙ୍ଗଦେବଙ୍କୁ ବିଜେପି ଏଥର ବଦଳାଇ ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟିକଟ ଦେଇଛି । ନିତେଶ ଗଙ୍ଗଦେବ କିମ୍ବା ତାଙ୍କ ପରିବାରର କାହାକୁ ବିଜେପିରୁ ବିଧାନସଭା ପାଇଁ ପ୍ରାର୍ଥୀ କରାଯାଇ ନଥିବାବେଳେ ନିତେଶଙ୍କ ପତ୍ନୀ ଓ ପୁଅ ବିଜେଡିରେ ଯୋଗଦେବା ସହ ପତ୍ନୀଙ୍କୁ ବିଜେଡି ଦେବଗଡ ଆସନରୁ ବିଧାନସଭା ପାଇଁ ପ୍ରାର୍ଥୀ କରିଛି । କେନ୍ଦ୍ରରେ ମନ୍ତ୍ରୀ ଥିବା ମୟୁରଭଞ୍ଜ ସଂରକ୍ଷିତ ଆସନର ସାଂସଦ ବିଶେଶ୍ୱର ଟୁଡୁଙ୍କୁ ବିଜେପି ବଦଳାଇ ତାଙ୍କ ସ୍ଥାନରେ ରାଇରଙ୍ଗପୁରର ବିଧାୟକ ନବ ଚରଣ ମାଝିଙ୍କୁ ପ୍ରାର୍ଥୀ କରିଛି । ବିଶେଶ୍ୱରଙ୍କୁ ବିଶ୍ୱାସକୁ ନେଇ ତାଙ୍କୁ ମୟୁରଭଞ୍ଜ ଜିଲ୍ଲାର କୌଣସି ବିଧାନସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି ଆଶା କରାଯାଉଥିବାବେଳେ ଇତି ମଧ୍ୟରେ ବିଜେପି ମୟୁରଭଞ୍ଜ ଜିଲ୍ଲାର ସମସ୍ତ ଆସନ ପାଇଁ ତାହାର ତାଲିକା ଘୋଷଣା କରିଥିବାବେଳେ ବିଶେଶ୍ୱର କିନ୍ତୁ ବାଦ୍‍ ପଡିଛନ୍ତି ।

ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ପୁର୍ନବାର ନିଜ ନିଜ କ୍ଷେତ୍ରରୁ ନିର୍ବାଚନ ଲଢୁଥିବାବେଳେ ବିଜେଡିର ମଞ୍ଜୁଲତା ମଣ୍ଡଳ, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା କୁମାରୀ ସେଠୀ, ଅଚ୍ୟୁତାନନ୍ଦ ସାମନ୍ତ ମଧ୍ୟ ନିଜ ନିଜ ସଂସଦୀୟ କ୍ଷେତ୍ରରୁ ପୁର୍ନବାର ସେମାନଙ୍କ ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛନ୍ତି । (ତଥ୍ୟ)