Home News in Odia ଦୁଇଟି ଆସନରୁ ଲଢିବେ ନବୀନ

ଦୁଇଟି ଆସନରୁ ଲଢିବେ ନବୀନ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବ୍ୟତୀତ ପଶ୍ଚିମ ଓଡ଼ିଶାର କଣ୍ଟାବାଞ୍ଝି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

୨୦୧୯ ନିର୍ବାଚନରେ ଶ୍ରୀ ପଟ୍ଟନାୟକ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବ୍ୟତୀତ ବରଗଡ଼ ଜିଲ୍ଲାର ବିଜେପୁର ବିଧାୟକ ଆସନରୁ ନିର୍ବାଚନ ଲଢ଼ି ଉଭୟ ଆସନରେ ବିଜୟୀ ହୋଇଥିଲେ। ପରେ ସେ ନିଜର ପାରମ୍ପରିକ ହିଞ୍ଜିଳି ନିର୍ବାଚନ ମଣ୍ଡଳୀକୁ ରଖି ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ।

ବିଜେଡି ପଶ୍ଚିମ ଓଡ଼ିଶାକୁ ବିଜେପିର ଶକ୍ତିଶାଳୀ ଅଞ୍ଚଳ ଭାବେ ଗ୍ରହଣ କରୁଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ଜୁଏଲ ଓରାମ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଭଳି ବଡ଼ ବଡ଼ ନେତା ରାଜ୍ୟର ପଶ୍ଚିମାଞ୍ଚଳର ବିଭିନ୍ନ ବିଧାନସଭା ଓ ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ତେଣୁ ଶାସକଦଳ ମୁଖ୍ୟ ଏଥର କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

କଣ୍ଟାବାଞ୍ଝି ରାଜ୍ୟର କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା କୁ ଲାଗି ରହିଛି । ତେଣୁ ଏହି ଦୁଇ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଠାରୁ ଦଳ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ଏହାବ୍ୟତୀତ ବଲାଙ୍ଗୀର ଲୋକସଭା ଆସନଜିତିବା ପାଇଁ ଦଳ ସମସ୍ତ ପ୍ରକାର ଉଦ୍ୟମ ଚଳାଇଛି।

କଣ୍ଟାବାଞ୍ଝିର ବିଧାୟକ କଂଗ୍ରେସ ସନ୍ତୋଷ ସିଂ ସାଲୁଜା ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା। ବିଜେଡି ମୁଖ୍ୟଙ୍କ ଏହି ଘୋଷଣା ପରେ ଶ୍ରୀ ସାଲୁଜା ବିଜେଡିରେ ଯୋଗ ଦେଉନଥିବା ସ୍ପଷ୍ଟ ହୋଇଛି। କଣ୍ଟାବାଞ୍ଝି ଆସନରୁ ବର୍ତ୍ତମାନର କଂଗ୍ରେସ ବିଧାୟକଙ୍କ ବିପକ୍ଷରେ ଶ୍ରୀ ପଟ୍ଟନାୟକ ନିର୍ବାଚନ ଲଢ଼ିବେ।

୨୦୧୯ରେ ମୁଖ୍ୟମନ୍ତ୍ରୀ ବିଜେପୁର ବିଧାନସଭା ଆସନରେ ବିଜୟୀ ହୋଇଥିଲେ। ତେବେ ବରଗଡ଼ ଲୋକସଭା ଆସନରେ ଦଳ ବିଜେପିଠାରୁ ପରାସ୍ତ ହୋଇଛି। ଏଥର ଦଳ ନିଜର ରଣନୀତି ବଦଳାଇବାକୁ ଯାଉଛି ବୋଲି ସୂତ୍ରରୁ ଜଣାପଡ଼ିଛି।

ବଲାଙ୍ଗୀର ଲୋକସଭା ଆସନ ପାଇଁ ପୂର୍ବତନ କଂଗ୍ରେସ ନେତା ସୁରେନ୍ଦ୍ର ସିଂହ ଭୋଇଙ୍କୁ ବିଜେଡି ପ୍ରାର୍ଥୀ କରିଛି। 

ଚଳିତ ଗ୍ରୀଷ୍ମ ଋତୁରେ ବଲାଙ୍ଗୀରରେ ଦୁଇ ଦୁଇଟି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାକୁ ଯାଉଛି- ଗୋଟିଏ ହେଉଛି ଦିନର ତାପମାତ୍ରା ବୃଦ୍ଧି ଏବଂ ଅନ୍ୟଟି ହେଉଛି ରାଜନୈତିକ ଉତ୍ତାପ ବୃଦ୍ଧି।