ଭୁବନେଶ୍ୱର : ମହା ବିଷୁବ ସଂକ୍ରାନ୍ତିରୁ ଓଡ଼ିଆ ନବବର୍ଷ ଆରମ୍ଭ ସହିତ ନୂଆ ବର୍ଷର ପଞ୍ଜିକା ବି କାର୍ଯ୍ୟକାରୀ ହୋଇଛି । ଓଡ଼ିଶାରେ ପ୍ରଚଳିତ ବିଭିନ୍ନ ପଞ୍ଜିକା ମଧ୍ୟରେ କୋହେନୁର, ଖଡ଼ିରତ୍ନ, ବିରଜା, ଶାରଳା ପଞ୍ଜିକା ଆଦି ଅନ୍ୟତମ । ଏହି ପଞ୍ଜିକା ଗୁଡିକରେ ବିଶ୍ୱ, ଦେଶ, ରାଜ୍ୟ ଓ ବିଭିନ୍ନ ରାଶିର ବ୍ୟକ୍ତିମାନଙ୍କର ବର୍ଷଟି କିଭଳି କଟିବ ସେ ସଂକ୍ରାନ୍ତରେ ପଞ୍ଜିକାରମାନେ ଯେଉଁ ଗଣନା କରିଛନ୍ତି ସେଥିରୁ ଚଳିତ ବର୍ଷଟି ସେତେ ଶୁଭଙ୍କର ନୁହେଁ ବୋଲି କୁହାଯାଉଛି ।
ଶାରଳା ପଞ୍ଜିକାର ଗଣନା ମୁତାବକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ସମୟରୁ ଆମ ରାଜ୍ୟର ରାଶି କର୍କଟ ଓ ନକ୍ଷତ୍ର ପୁଷ୍ୟା । ପଞ୍ଜିକାର କହିଛନ୍ତି ଯେ ବୃହସ୍ପତି ଓ ଶନିଙ୍କ ଗୋଚର ସ୍ଥିତି ଯୋଗୁ ମିଶ୍ରିତ ଫଳ ମିଳିବ । ପ୍ରାକୃତିକ ଦୁର୍ବିପାକ ସତ୍ତ୍ୱେ ଓଡ଼ିଶାରେ କୃଷିଜାତ ପଦାର୍ଥର ଅମଳ ଅଧିକ ହେବ । ତେବେ ଶିକ୍ଷା କ୍ଷେତ୍ରରେ ନାନା ସମସ୍ୟା ଉପୁଯିବା ସହ ବେକାରୀ ସମସ୍ୟା ଉତ୍କଟ ହେବ । ଶାସନରେ ଅସ୍ଥିରତା ଦେଖାଦେଲେ ବି ସରକାର ଲୋକଙ୍କ ଆସ୍ଥାଭାଜନ ହୋଇ ପାରନ୍ତି । ବହୁ ଯୋଜନା ପ୍ରଣୟନ କରାଯାଇ ରାଜ୍ୟର ଜନସାଧାରଣଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ପ୍ରୟାସ ଜାରି ରହିବ । ଅନିୟମିତା ପାଣିପାଗ ଯୋଗୁ କାଳବୈଶାଖୀ, ଅଂଶୁଘାତ, ବାତ୍ୟା ଓ ବନ୍ୟାର ପ୍ରଭାବରେ ବ୍ୟାପକ ଧନଜୀବନ ହାନୀ ଘଟିପାରେ । ଖଣି ଓ ପାଣିକୁ ନେଇ ରାଜ୍ୟରେ ରାଜନୀତି ଜୋର୍ ଧରିବା ସହ ଖାଦ୍ୟ ପଦାର୍ଥର ଦରଦାମ୍ ବୃଦ୍ଧି ଯୋଗୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିବ ।
ଏହି ପଞ୍ଜିକାରେ ଉଲ୍ଲେଖ ରହିଛି ଯେ ସ୍ୱାଧୀନତା ଦିବସ ମୁତାବକ ଆମ ଦେଶର ବି ରାଶି କର୍କଟ ଓ ନକ୍ଷତ୍ର ପୁଷ୍ୟା । ଏବର୍ଷ ଦେଶ ରୋଗ, ଋଣ ଓ ଶତ୍ରୁମାନଙ୍କ ଦ୍ୱାରା କବଳିତ ହେବ । ନେତାମାନେ ବହୁ ବିରୋଧର ସମ୍ମୁଖୀନ ହେବେ । ଅନୈତିକ କାର୍ଯ୍ୟ ଯୋଗୁ ରାଷ୍ଟ୍ରହୀତ ବାଧାପ୍ରାପ୍ତ ହେବ । ରାଜନୈତିକ ଅସ୍ଥିରତା ସହ ପଡୋଶୀ ରାଷ୍ଟ୍ରମାନଙ୍କ ସହ ଭାରତର ସମ୍ପର୍କରେ ତିକ୍ତତା ବଢିବ । ଆତ୍ମନିର୍ଭର ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରିବା ସହ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଆମ ଦେଶ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ । ତୈଳଦର ବୃଦ୍ଧି ସାଙ୍ଗକୁ ଦରଦାମ୍ ବୃଦ୍ଧି ଲାଗି ରହିବ ଏବଂ ଧନୀ ଅଧିକ ଧନୀ ହେବାସ୍ଥଳେ ଗରିବ ଲୋକଙ୍କ ଅବସ୍ଥା ଅଧିକ ଜଟିଳ ହେବ । ମଧ୍ୟବିତ ଶ୍ରେଣୀର ଲୋକମାନେ ସବୁଠୁ ଅଧିକ ଅସୁବିଧାର ସମ୍ମୁଖୀନ ହେବେ । ଶାସକଙ୍କ ଲୋକପ୍ରିୟତା ହ୍ରାସ ସହିତ ଦେଶରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଦୃଢ ପଦକ୍ଷେପ ନିଆଯାଇପାରେ । ଭୂମିକମ୍ପ, ବନ୍ୟା, ମହାମାରୀ ଆଦି ବିପତ୍ତି ଲାଗି ରହିବ ଏବଂ ଆମ ଦେଶ କ୍ରୀଡା କ୍ଷେତ୍ରରେ ଆର୍ନ୍ତଜାତିକସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରେ ବୋଲି ପଞ୍ଜିକାର ଉଲ୍ଲେଖ କରିଛନ୍ତି ।
ଏହି ବର୍ଷରେ ଦୁଇଟି ଚନ୍ଦ୍ରଗ୍ରହଣ ଓ ଦୁଇଟି ସୂର୍ଯ୍ୟପରାଗ ଅନୁଭୁତ ହେବା ସହିତ ବିଶ୍ୱବାସୀଙ୍କୁ ଭୂମିକମ୍ପ, ସୁନାମୀ, ବନ୍ୟା, ଦୁର୍ଘଟଣା ଆଦି ଧନଜୀବନକାରୀ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିବ । ଅର୍ଥନୀତିରେ ମାନ୍ଦାବସ୍ଥା ସହିତ ଆର୍ଥିକ ସଙ୍କଟ, ଖାଦ୍ୟାଭାବ, ମୂଲ୍ୟବୃଦ୍ଧି ଆଦି ଯୋଗୁ ପ୍ରଗତି ବାଧାପ୍ରାପ୍ତ ହେବ ଏବଂ ଆତଙ୍କବାଦୀଙ୍କ ସକ୍ରିୟତା ଯୋଗୁ ବିଶ୍ୱର ଶାନ୍ତି ବ୍ୟାହତ ହେବ ବୋଲି ଶାରଳା ପଞ୍ଜିକାରେ ସତର୍କବାଣୀ କରାଯାଉଛି । ଗବେଷଣା, ଚିକିତ୍ସା କ୍ଷେତ୍ରରେ ନୂତନ ଔଷଧର ଉଦ୍ଭାବନ ସହିତ ମହାକାଶରେ ନୂତନ ତଥ୍ୟ ବି ଆବିସ୍କୃତ ହେବ । ବିଶ୍ୱବାସୀଙ୍କୁ ଆତଙ୍କବାଦର ଭୟ ବ୍ୟଥିତ କରିବ ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ । ବିଭିନ୍ନ ଦେଶରେ ସୀମା ବିବାଦ ଯୋଗୁ ଯୁଦ୍ଧ ପରିସ୍ଥିତି ଉପୁଜିପାରେ ଏବଂ ପୂର୍ବରୁ ଦେଶ ଦେଶମାନଙ୍କ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ବି ଅନ୍ତ ଘଟିପାରେ ବୋଲି ଶାରଳା ପଞ୍ଜିକା ଚଳିତବର୍ଷ ପାଇଁ ଗଣନା କରିଛି ।
ଏବର୍ଷ ସ୍ୱଳ୍ପ ବୃଷ୍ଟିପାତ ହେବ ବୋଲି ପଞ୍ଜିକାର ମଧ୍ୟ କହିଛନ୍ତି । ଏବର୍ଷ ଡହକ ଲଗାଣ ସହିତ ଉତ୍ତାପ ଅଧିକ ରହିବ ଏବଂ ଅଗ୍ନି ଭୟ ବି ଦେଖାଦେବ ବୋଲି କୁହାଯାଉଛି । ଓଡ଼ିଶାର ସମୁଦ୍ର ଉପକୂଳ ଜିଲ୍ଲାମାନଙ୍କରେ ଅନେକ ସ୍ଥାନରେ ବର୍ଷା ଓ କାଳବୈଶାଖୀ, ଝଡ଼ବାତ୍ୟା ଆଦି ରହିଛି ଏଥିସହିତ ଲଘୁଚାପ ଜନିତ ବୃଷ୍ଟି ସମସ୍ୟା ଥିବା କଥା ଏହି ପାଞ୍ଜିକାରେ ଉଲ୍ଲେଖ ଅଛି । ମୋଟାମୋଟି ଭାବେ ମହାବିଷୁବ ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ଓଡ଼ିଆଙ୍କ ନୂଆବର୍ଷ ମିଶ୍ର ଫଳଦାୟୀ ହୋଇପାରେ ବୋଲି ବିଭିନ୍ନ ପଞ୍ଜିକାରେ ପ୍ରକାଶିତ ତଥ୍ୟ ବିଶ୍ଳେଷଣରୁ ଜଣାପଡୁଛି । (ତଥ୍ୟ)