ଭୁବନେଶ୍ୱର : ଅଧିକ ସୁଧରେ ବେଆଇନ ମହାଜନୀ ଋଣ କାରବାର ଯୋଗୁ ଏଭଳି ଋଣ ଗ୍ରହୀତାଙ୍କ ଉପରେ ଜୁଲୁମ୍ ଓ ଶୋଷଣ ବଢ଼ି ଚାଲିବା ସହିତ କେତେକ କ୍ଷେତ୍ରରେ ଭୟଙ୍କର ହିଂସାକାଣ୍ଡମାନ ଉପୁଜୁଛି । ଏହାସତ୍ତ୍ୱେ ବି ଏଭଳି ଋଣ କାରବାର ଥମିବା ପରିବର୍ତ୍ତେ ବଢି ଚାଲିଛି । ଏଥିଯୋଗୁ ରାଜଧାନୀର ବହୁ ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀ ତଳିତଳାନ୍ତ ହେଉଥିବା ପରିପ୍ରେକ୍ଷୀରେ ବିଭିନ୍ନ ବସ୍ତିବାସିନ୍ଦା ସଂଘ ପକ୍ଷରୁ ବେଆଇନ ଋଣ କାରବାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହେଉଛି ।
ରାଜଧାନୀର ଉପକଣ୍ଠରେ ଥିବା ପଦ୍ମକେଶରପୁର ଗ୍ରାମରେ ଜୁଲୁମ୍କାରୀ ମହାଜନଙ୍କ ଗୁଣ୍ଡାମାନେ ବାରମ୍ବାର ହିଂସାକାଣ୍ଡ ଘଟାଇବା କମିଶନରେଟ ପୋଲିସ ପାଇଁ ବଡ ଆହ୍ୱାନ ହୋଇଛି । ୪ମାସ ତଳେ ପଦ୍ମକେଶରପୁରରେ ଏମାନେ ବୋମାମାଡ଼ ସହ ହିଂସାକାଣ୍ଡ ଘଟାଇଥିବାବେଳେ ଏବେ ପୁଣି ଏହି ଘଟଣାର ପୁନରାବୃତ୍ତି ଘଟିବା ଫଳରେ ଗୋଟିଏ ପରିବାରରୁ ୨ଜଣ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି । ଅବଶ୍ୟ ହିଂସାକାଣ୍ଡ ଘଟାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କିଛି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା କୁହାଯାଉଛି । ତେବେ ଯେଉଁମାନେ ବେଆଇନ ଋଣ ବ୍ୟବସାୟ କରୁଛନ୍ତି ସେମାନଙ୍କୁ କିନ୍ତୁ ପୁଲିସ କିମ୍ବା ପ୍ରଶାସନ ଜବତ କରିପାରୁନାହିଁ ।
ନିକଟରେ ଜଣେ ଋଣଗ୍ରହୀତା ଗଣମାଧ୍ୟମ ଆଗରେ ଖୋଲା ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପା ଏଭଳି ଜଣେ ମହାଜନଙ୍କଠାରୁ ଦଲାଲଙ୍କ ମାଧ୍ୟମରେ ୧୦ହଜାର ଟଙ୍କା ଋଣ କରି କିଛି ପରିଶୋଧ କରିବା ପରେ ମରିଯାଇଛନ୍ତି । ଗତ ୧୦ବର୍ଷ ଭିତରେ ତାଙ୍କଠାରୁ ୮୦ହଜାର ଟଙ୍କାରୁ ଅଧିକ ଋଣ ପ୍ରଦାନକାରୀ ବ୍ୟକ୍ତି ନେଇସାରିଥିଲେ ବି ସେ ଋଣମୁକ୍ତ ହୋଇପାରୁନାହାନ୍ତି । ଅନ୍ୟପକ୍ଷରେ ମୂଳ ଓ ସୁଧ ମିଶି କୁଆଡେ ୧୦ଲକ୍ଷ ଟଙ୍କା ହେଲାଣି ଏବଂ ଏହା ନଦେଲେ ତାଙ୍କ ଘର ସେମାନେ ଦଖଲ କରିନେବେ ବୋଲି ଧମକ ଦେଉଥିବା ଘେନି ସମ୍ପୃକ୍ତ ବ୍ୟକ୍ତି ଗଣମାଧ୍ୟମରେ ଖୋଲା ଅଭିଯୋଗ କରିଛନ୍ତି ।
ନୀଳାଦ୍ରିବିହାର ଇଶାନେଶ୍ୱର ବସ୍ତିର ଗୋଟିଏ ପରିବାର ଏଭଳି ଋଣ କରି ଫସିଛନ୍ତି । ଚଢ଼ା ସୁଧାରେ ବେଆଇ ଋଣ ଦେଇଥିବା ଦଲାଲ ୨୦ହଜାର ଟଙ୍କା ଦେଇ ଇତିମଧ୍ୟରେ ୪୦ହଜାର ଟଙ୍କାରୁ ଅଧିକ ଲୁଟି ସାରିଲେଣି । ଏହାଛଡା ସମ୍ପୃକ୍ତ ପରିବାରର ଜଣେ ମହିଳାଙ୍କୁ ମାଡମାରି ବ୍ୟାଙ୍କ ପାସ୍ବହି ଓ ଏଟିଏମ୍ କାର୍ଡ ମଧ୍ୟ ନେଇଛନ୍ତି । ଏହି ମହିଳା ଜଣକ ବିଭିନ୍ନ ଲୋକଙ୍କ ଘରେ ଛାତ୍ରୀ ନିବାସ ଓ ହୋଟେଲରେ ବାସନ ମାଜି ପରିବାର ଗୁଜୁରାଣ ମେଣ୍ଟାଉଥିବାବେଳେ ତାଙ୍କ ରୋଜଗାରର ମୁଖ୍ୟାଂଶ ବିନା ହିସାବ କିତାବରେ ଲୁଟି ନିଆଯାଉଛି । ପୁଲିସକୁ ଖବର ଦେଲେ ମାରିଦେବାକୁ ବି ଧମକ ମିଳୁଛି ।
ଏଭଳି ଘଟଣା ପ୍ରାୟ ସବୁ ବସ୍ତିରେ ଦେଖିôବାକୁ ମିଳୁଛି । ମିଠା ମିଠା କଥା କହି କିସ୍ତିବାଲା ଅଧା ପଢୁଆ ଓ ନିରକ୍ଷର ବସ୍ତବାସିନ୍ଦାଙ୍କୁ ଅଳ୍ପ କିଛି ଋଣ ଦେଇ ବର୍ଷ ବର୍ଷ ଧରି ଶୋଷଣ କରିବାରେ ଲାଗିଛନ୍ତି । ସେମାନଙ୍କୁ ନିରାପତ୍ତା ଦେବାଲାଗି ଗୁଣ୍ଡାମାନଙ୍କୁ ନିୟୋଜିତ କରାଯାଉଛି । ଥରେ କିସ୍ତିବାଲାଙ୍କ ପାଲରେ ପଡିଥିବା ବସ୍ତିବାଲା ସହଜରେ ଖସି ପାରୁନାହାନ୍ତି । ଏଥିଯୋଗୁ ଅନେକ ପରିବାରରେ ଦୁଃଖ ଦାରିଦ୍ର୍ୟ ସହିତ ଅଶାନ୍ତି ବଢୁଛି ଏବଂ କିସ୍ତି ପରିଶୋଧ ଚିନ୍ତାରେ ଥିବା ଲୋକେ ପିଲାଙ୍କ ପାଠପଢା ପ୍ରତି ବି ଧ୍ୟାନ ଦେଇପାରୁନାହାନ୍ତି ।
କେତେକ କ୍ଷେତ୍ରରେ ଅଭ୍ୟାସଗତ ନିଶାଡିମାନେ ନିଶା କିଣିବା ପାଇଁ କିସ୍ତିବାଲାଙ୍କଠାରୁ ଋଣ ନେଉଛନ୍ତି ଏବଂ ଏହା ପରିଶୋଧ କରିବା ଲାଗି ଲୁଟ୍ତରାଜ ସହିତ ବିଭିନ୍ନ ଅପରାଧ ଘଟାଉଛନ୍ତି । ଖୋଦ୍ ରାଜଧାନୀର ଛାତି ଉପରେ ଶତକଡ଼ା ୧୦୦ ପ୍ରତିଶତରୁ ଅଧିକ ହାରରେ ବେଆଇନ ଋଣ କାରବାର ଚାଲୁଥିବାବେଳେ ଗାଁ ଗହଳରେ ବି ଏହି ସମସ୍ୟା ବ୍ୟାପିବାରେ ଲାଗିଛି । ଏଭଳି ବେଆଇନ ଋଣ ଯୋଗାଣକାରୀ ବ୍ୟକ୍ତିମାନଙ୍କ ପଛରେ ଦଳମତ ନିର୍ବିଶେଷରେ କିଛି ରାଜନୈତିକ ନେତାଙ୍କ ପୃଷ୍ଠପୋଷକତା ରହୁଥିବା ଅଭିଯୋଗ ହେଉଛି । କୌଣସି ଖାତା ଖତୀୟାନ ନଥାଇ ସମାନ୍ତରାଳ ଭାବେ କୋଟି କୋଟି ଟଙ୍କାର ବେପାର ସହିତ ଶୋଷଣ ଚାଲୁଥିବାବେଳେ ଏହାକୁ ବନ୍ଦ କରିବା ପାଇଁ ବିଭିନ୍ନ ସଙ୍ଗଠନ ସ୍ୱର ଉଠାଉଛନ୍ତି । (ତଥ୍ୟ)