ଭୁବନେଶ୍ୱର : ରାଜ୍ୟ ରାଜଧାନୀରେ ଜଳର ଯେଭଳି ଅପବ୍ୟବହାର ହେଉଛି ତାହା ଜାରି ରହିଲେ ଏଠାରେ ବେଙ୍ଗାଲୁର ଓ ଚେନ୍ନାଇ ଭଳି ଅବସ୍ଥା ସୃଷ୍ଟି ହେବାକୁ ବେଶିଦିନ ଲାଗିବ ନାହିଁ । ଗୋଟିଏ ପଟେ ଆଖିବୁଜା ଭୂତଳ ଜଳ ଶୋଷଣ ଚାଲିଥିବାବେଳେ ଅନ୍ୟପଟେ ବିଶୁଦ୍ଧ ପାନୀୟଜଳର ସିଂହଭାଗ ଗାଧୁଆଘରେ ଓ ବଗିଚାରେ ଅପଚୟ ହେବାରେ ଲାଗିଛି ।
ରାଜଧାନୀରେ ଏବେ ଲୋକଙ୍କୁ ଦୈନିକ ମୁଣ୍ଡପିଛା ୭୦ଲିଟର ପାନୀୟଜଳ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଆକ୍ୱାଗାର୍ଡ ମାନର ଜଳ ଯୋଗାଣ ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ସାଧାରଣ ଜଳ ତୁଳନାରେ ଏହି ଜଳ ଯୋଗାଣ ପାଇଁ ଲିଟର ପିଛା ୧୦ ରୁ ୨୦ ପଇସା ଅଧିକ ବ୍ୟୟ କରିବାକୁ ପଡୁଛି । ଏହି ଜଳ ଏତେ ବିଶୁଦ୍ଧ ଯେ ଲୋକେ ସିଧାସଳଖ ଟ୍ୟାପରୁ ନେଇ ଏହାକୁ ପିଇ ପାରିବେ । ଏଥିପାଇଁ କୌଣସି ଜଳ ଛଣା ଯନ୍ତ୍ରର ଆବଶ୍ୟକ ନାହିଁ ।
ଏହି ନିୟମ ଅନୁଯାୟୀ ସରକାର ଗୋଟିଏ ୫ଜଣିଆ ପରିବାରକୁ ଦୈନିକ ହାରାହାରି ୩୫୦ ଲିଟର ଜଳ ଯୋଗାଇ ଦେଉଛନ୍ତି । ତେବେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏବେ ୨୪ଘଣ୍ଟିଆ ଏହି ବିଶୁଦ୍ଧ ଜଳ ଯୋଗାଣ ହେଉଛି । ତେବେ ଏହି ଉଚ୍ଚ ଗୁଣମାନର ଜଳର ସିଂହଭାଗ ଲୋକଙ୍କ ଗାଧୁଆଘରେ, ବଗିଚାରେ ଓ ଗାଡିମୋଟର ଧୋଇବାରେ ଲାଗୁଛି । କାରଣ କର୍ତ୍ତୃପକ୍ଷ ଅନ୍ୟ ଜଳ ଯୋଗାଣର କୌଣସି ବ୍ୟବସ୍ଥା କରିନାହାନ୍ତି । ଫଳରେ ଲୋକେ ଏହି ଆକ୍ୱାଗାର୍ଡ ପାଣିରେ ରୋଷେଇ କରିବା ସହିତ ତାହାକୁ ବଗିଚାରେ ଥିବା ଗଛମୂଳେ ଦେଉଛନ୍ତି । ଏହା ଫଳରେ ଅଧିକ ଅର୍ଥ ବ୍ୟୟ କରି ସରକାର ଯୋଗାଉଥିବା ବିଶୁଦ୍ଧ ଜଳର ଯେଭଳି ସଦ୍ ବ୍ୟବହାର ହେବାକଥା ତାହା ହେଉନାହିଁ ।
ଅନ୍ୟ ପକ୍ଷରେ ରାଜଧାନୀର ଯେଉଁସବୁ ଅଞ୍ଚଳକୁ ପାନୀୟଜଳ ଯୋଗାଣର ବ୍ୟବସ୍ଥା ହୋଇପାରି ନାହିଁ, ସେଠାରେ ଶହ ଶହ ଉଚ୍ଚ ଅଟ୍ଟାଳିକାରେ ରହୁଥିବା ଲୋକେ ଭୂତଳ ଜଳ ବ୍ୟବହାର କରୁଛନ୍ତି । ବଡ ବଡ ମୋଟର ଲଗାଇ ଭୂତଳ ଜଳକୁ ମନଇଚ୍ଛା ଶୋଷୁଛନ୍ତି । ଏମାନେ ଦୈନିକ କେତେ ଜଳ ଉତ୍ତୋଳନ କରିବେ କିମ୍ବା ବ୍ୟହାର କରିବେ ତାହାର କୌଣସି ନିୟମ ନାହିଁ । ଏହି ଉଚ୍ଚ ଅଟ୍ଟାଳିକାମାନଙ୍କ ମଧ୍ୟରୁ ଅଧିକାଂଶ ଭୂତଳ ଜଳ ବ୍ୟବହାର ପାଇଁ ସରକାରଙ୍କ ଠାରୁ କୌଣସି ଅନୁମତି ମଧ୍ୟ ନେଇନାହାନ୍ତି । ଫଳରେ ଯେଉଁସବୁ ଅଞ୍ଚଳରେ ଏକାଧିକ ଆପାର୍ଟମେଣ୍ଟ ଭୂତଳ ଜଳ ଶୋଷୁଛନ୍ତି ସେଠାରେ ଭୂତଳ ଜଳସ୍ତର ଦ୍ରୁତ ଗତିରେ ଖସୁଥିବାରୁ ଆଖପାଖରେ ଥିବା ଛୋଟ ଛୋଟ ଜଳାଶୟ ଶୁଖିଯିବା ସହିତ ଓ କମ୍ ଗଭୀରରେ ବସିଥିବା ଟ୍ୟୁବ୍ୱେଲଗୁଡିକରେ ଆଉ ପାଣି ଆସୁନାହିଁ ।
ଉଲ୍ଲେଖନୀୟ ଯେ ରାଜ୍ୟର ଯେଉଁ ୧୬ଟି ବ୍ଲକରେ ଭୂତଳ ଜଳସ୍ତର ଦ୍ରୁତି ଗତିରେ ହ୍ରାସ ପାଇବାରେ ଲାଗିଛି ସେଥି ମଧ୍ୟରେ ଭୁବନେଶ୍ୱର ବ୍ଲକ ରହିଛି । ତେଣୁ ଏଭଳି ଭାବେ ଭୂତଳ ଜଳସ୍ତର ହ୍ରାସ ପାଇଲେ ଆଗାମୀ ଦିନରେ ରାଜଧାନୀରେ ବେଙ୍ଗାଲୁର ଓ ଚେନ୍ନାଇ ଭଳି ଅବସ୍ଥା ସୃଷ୍ଟି ହେବ । ଉଲ୍ଲେଖନୀୟ ଯେ ଆଇଟି ସିଟି ବେଙ୍ଗାଲୁରରେ ଜଳ ସଙ୍କଟ ତୀବ୍ର ହୋଇଛି । ଅବସ୍ଥା ଏଭଳି ଯେ ଜଳ ବ୍ୟବହାର ହ୍ରାସ ପାଇଁ ଆଇଟି ବୃତ୍ତିଧାରୀଙ୍କୁ ନିଜ ନିଜ ଘରକୁ ପଳାଇ ସେଠାରୁ କାମ କରିବାକୁ କୁହାଯାଉଛି । ବେଙ୍ଗାଲୁର ପରେ ଏବେ ଚେନ୍ନାଇରେ ଅନୁରୂପ ଭାବେ ଜଳ ସଙ୍କଟ ପରିଲକ୍ଷିତ ହେଲାଣି ।
ଗୋଟିଏ ପଟେ ସହର ସାରା ପେଭର ବ୍ଲକ ବିଛାଇ ଓ ବକ୍ସ ଡ୍ରେନ ତିଆରି କରି ଭୂତଳ ଜଳ ରିଚାର୍ଜକୁ ଏକ ପ୍ରକାର ରୋକାଯାଉଥିବାବେଳେ ଅନ୍ୟପଟେ ଜଳର ବ୍ୟାପକ ଅପବ୍ୟବହାର ଏବଂ ମନଇଚ୍ଛା ଭୂତଳ ଜଳ ଶୋଷଣ ଆଗାମୀ ଦିନରେ ରାଜଧାନୀବାସୀଙ୍କୁ ବିପଦ ମୁହଁକୁ ଠେଲିଦେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)