ଭୁବନେଶ୍ୱର : ଯୋଗ୍ୟତା ଆଧାରରେ ସଂରକ୍ଷିତବର୍ଗର ଜଣେ ପ୍ରାର୍ଥୀ ଅଣସଂରକ୍ଷିତ ସରକାରୀ ପଦବୀରେ ନିଯୁକ୍ତି ପାଇପାରିବେ ବୋଲି ଆଇନ୍ଗତ ବ୍ୟବସ୍ଥା ଥିବା ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ମାର୍ଗନିର୍ଦ୍ଦେଶିକା ରହିଥିବା ସତ୍ୱେ କେନ୍ଦୁଝର ଜିଲ୍ଲା ପ୍ରଶାସନ କିନ୍ତୁ ଯୋଗ୍ୟ ସଂରକ୍ଷିତବର୍ଗର ପ୍ରାର୍ଥୀଙ୍କୁ ଅଣସଂରକ୍ଷିତ ଆସନରେ ନିଯୁକ୍ତି ଦେଉନାହିଁ । ଏଥିଘେନି ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ସରକାରୀ କର୍ମଚାରୀ ଓ ଚାକିରି ପ୍ରତ୍ୟାଶୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
ସରକାରୀ ଚାକିରିରେ ନିଯୁକ୍ତି ଓ ପଦୋନ୍ନତି ପାଇଁ ରୋଷ୍ଟର ପଏଣ୍ଟରେ ଆସୁଥିବା ଅଣସଂରକ୍ଷିତ ଆସନ କୌଣସି ବର୍ଗଙ୍କ ପାଇଁ ସଂରକ୍ଷିତ ନୁହେଁ ବୋଲି ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ବାରମ୍ବାର ମାର୍ଗନିର୍ଦ୍ଦେଶିକା ଜାରି କରିଆସୁଛନ୍ତି । ରାଜସ୍ୱ ପାର୍ଷଦ ପକ୍ଷରୁ ବି ସବୁ ଜିଲ୍ଲା ପ୍ରଶାସନକୁ ଅନୁରୂପ ନିର୍ଦ୍ଦେଶନାମା ଦିଆଯାଇଛି । କେବଳ ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ମଧ୍ୟରେ ଯୋଗ୍ୟତା ଆଧାରରେ ସଂରକ୍ଷିତ ପ୍ରାର୍ଥୀ ଅଣସଂରକ୍ଷିତ ଆସନରେ ନିଯୁକ୍ତି ଓ ପଦୋନ୍ନତି ପାଇପାରିବେ ବୋଲି ନିର୍ଦ୍ଦେଶନାମା ଦେଇଛନ୍ତି ।
ତେବେ କେନ୍ଦୁଝର ଜିଲ୍ଲାର ବରିଷ୍ଠ, ଯୋଗ୍ୟ ଓ ଦକ୍ଷ ସଂରକ୍ଷିତବର୍ଗର କର୍ମଚାରୀମାନଙ୍କୁ ଖାଲି ପଡିଥିବା ଅଣସଂରକ୍ଷିତ ପଦବୀକୁ ପଦୋନ୍ନତି ଦେବାକୁ ଜିଲ୍ଲା ପ୍ରଶାସନ ରୋକଠୋକ୍ ଭାବେ ମନାକରି ଦେଇଛନ୍ତି । ଏମିତିକି ଖୋଦ କେନ୍ଦୁଝର ଜିଲ୍ଲାପାଳ ଏ ସଂକ୍ରାନ୍ତରେ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ମଧ୍ୟ ଏହା ଯଥାର୍ଥ କାର୍ଯ୍ୟ ବୋଲି ଦର୍ଶାଇଛନ୍ତି । କେବଳ ସେତିକି ନୁହେଁ, ସଂରକ୍ଷିତବର୍ଗର କର୍ମଚାରୀଙ୍କୁ ଅଣସଂରକ୍ଷିତ ପଦବୀରେ ପଦୋନ୍ନତି ନଦେବାପାଇଁ ରାଜସ୍ୱ ବିଭାଗ ପରାମର୍ଶ ଦେଇଥିବା କଥା ସେ ଉଲ୍ଲେଖ କରିଛନ୍ତି ।
ଏ ପ୍ରସଙ୍ଗରେ ବହୁ ମାମଲାରେ ସୁପ୍ରିମ୍କୋର୍ଟ ସ୍ପଷ୍ଟକରି ଦେଇଛନ୍ତି ଯେ ଅଣସଂରକ୍ଷିତ ଆସନ କୌଣସି ବର୍ଗଙ୍କ ପାଇଁ ସଂରକ୍ଷିତ ନୁହେଁ । ଯୋଗ୍ୟତା, ଦକ୍ଷତା ଓ ବରିଷ୍ଠତା ଆଧାରରେ ଯେକୌଣସି ବର୍ଗର କର୍ମଚାରୀ ବି ଅଣସଂରକ୍ଷିତ ପଦବୀକୁ ପଦୋନ୍ନତି ପାଇପାରିବେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ଜାରି କରିଥିବା ମାର୍ଗନିର୍ଦ୍ଦେଶିକା ଆଧାରରେ ସମଗ୍ର ରାଜ୍ୟରେ ଅଣସଂରକ୍ଷିତ ପଦବୀଗୁଡିକ ବରିଷ୍ଠତା, ଦକ୍ଷତା ଓ ଯୋଗ୍ୟତା ଆଧାରରେ ପୂରଣ କରାଯାଉଥିବାବେଳେ କେନ୍ଦୁଝର ଜିଲ୍ଲା କିନ୍ତୁ ବ୍ୟତିକ୍ରମ ।
ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ଅଭିଯୋଗ ହେଉଛି ଯେ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ବ୍ୟାପକ ଖଣିଜ, ଜଙ୍ଗଲ ଓ ଅନ୍ୟ ପ୍ରାକୃତିକ ସମ୍ପଦ ଭରି ରହିଥିବାବେଳେ ସ୍ୱାଧୀନତାର ୭୭ବର୍ଷ ମଧ୍ୟରେ ତୁଳନାତ୍ମକ ଭାବେ ଅନୁସୂଚିତ ଜନଜାତି ବର୍ଗଙ୍କର ଆଖିଦୃଶିଆ ବିକାଶ ହୋଇପାରି ନାହିଁ । ସରକାରୀ ସୁଯୋଗର ଉପଯୋଗ କରି ପ୍ରତିକୂଳ ପରିସ୍ଥିତିରେ ଏହି ବର୍ଗର ପିଲାମାନେ ପାଠ ପଢି ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ସୁବିଧା ଆଧାରରେ ଅବଶ୍ୟ ଚାକିରି ବାକିରି ପାଉଛନ୍ତି । ତେବେ ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ଥିବା ନକରାତ୍ମକ ମନୋଭାବ ଯୋଗୁଁ ଉକ୍ତ ସଂରକ୍ଷିତବର୍ଗଙ୍କୁ ଯେପରି ନ୍ୟାୟ ମିଳିବାକଥା ତାହା ଜିଲ୍ଲା ପ୍ରଶାସନ ପାଖରୁ ମିଳିପାରୁ ନାହିଁ ।
ଏ ପ୍ରସଙ୍ଗରେ ରାଜ୍ୟ ସରକାର ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କେନ୍ଦୁଝର ଜିଲ୍ଲାର ଲଳିତ କୁମାର ନାୟକଙ୍କ ମାମଲାକୁ ଉଦାହରଣ ଭାବେ ଗ୍ରହଣ କରି ଯେତେସବୁ ସ୍ଥାନରେ ସଂରକ୍ଷିତବର୍ଗର ପ୍ରାର୍ଥୀଙ୍କୁ ଉପେକ୍ଷା କରାଯାଇଛି ସେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ହେଉଛି । (ତଥ୍ୟ)