Home News in Odia ବାପ ପୁଅ ଭିନ୍ନେ ଦଳ

ବାପ ପୁଅ ଭିନ୍ନେ ଦଳ

ଭୁବନେଶ୍ୱର : ତିନିଟି ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଓ ରାଜନୀତିରେ ସକ୍ରିୟ ଥିବା ଏହି ପ୍ରାର୍ଥୀମାନଙ୍କ ବାପାମାନଙ୍କ ଉପରେ ଏବେ ସମସ୍ତଙ୍କ ନଜର । ବାପା ଗୋଟିଏ ଦଳର ଥିବାବେଳେ ପୁଅ ଅନ୍ୟ ଦଳରୁ ପ୍ରାର୍ଥୀ ହୋଇଥିବା ପରିପ୍ରେକ୍ଷୀରେ ଏହି ତିନି ନିର୍ବାଚନମଣ୍ଡଳୀରେ ରୋଚକ ସ୍ଥିତି ।

ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ପାଟକୁରା ବିଧାନସଭା କ୍ଷେତ୍ରରୁ ବିଜୁଜନତାଦଳ ପ୍ରାର୍ଥୀ କରିଛି । ପ୍ରାୟ ୨୦ବର୍ଷ ଧରି ବିଜୟ ପାଟକୁରାରୁ ପ୍ରତିନିଧିତ୍ୱ କରିବା ସହିତ ବିଜୁ ପଟ୍ଟନାୟକଙ୍କ ସରକାରରେ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ । ତେବେ ୨୦୦୦ ମସିହାରୁ ଏଯାବତ୍‍ ସେ ଆଉ ବିଧାନସଭାକୁ ଆସିପାରୁ ନାହାନ୍ତି ।

ଚାରି ଚାରି ଥର ସେ ପାଟକୁରା ଓ ମହାକାଳପଡା ବିଧାନସଭା ଆସନରୁ ଲଢେଇ କରି ପରାଜିତ ହୋଇଛନ୍ତି । ଏହା ସତ୍ୱେ ବି ପାଟକୁରାରେ ତାଙ୍କର ଭଲ ସଂଗଠନ ଓ ପ୍ରଭାବ ରହିଛି । ଏଯାବତ୍‍ ବିଜୟ ମହାପାତ୍ର ବିଜେପିର ସଦସ୍ୟ ରହିଛନ୍ତି । ତେବେ ଏଥର ବିଜେପି ତାଙ୍କୁ ଟିକଟ ଦେଇନାହିଁ । ଅନ୍ୟ ପକ୍ଷରେ ତାଙ୍କ ପୁଅ ବିଜେଡିରୁ ପ୍ରାର୍ଥୀ ହୋଇଥିବା ପରିପ୍ରେକ୍ଷୀରେ ସେ ପୁଅଙ୍କ ବିଜୟ ପାଇଁ ରଣନୀତି ନିର୍ଦ୍ଧାରଣ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି ।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ କୁମାର ରାଉତରାୟ ଭୁବନେଶ୍ୱର ଲୋକସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି । ସୁର ରାଉତରାୟ କଂଗ୍ରେସରେ ଅଛନ୍ତି ଓ ରହିବେ ଏବଂ କଂଗ୍ରେସ ଭିନ୍ନ ଅନ୍ୟ କେଉଁ ଦଳ ପାଇଁ ପ୍ରଚାର କରିବେ ନାହିଁ ବୋଲି କହୁଥିଲେ ମଧ୍ୟ ବସ୍ତୁତଃ ବିଭିନ୍ନ ସ୍ଥାନରେ ସେ ତାଙ୍କ ପୁଅ ମନ୍ମଥଙ୍କୁ ଜିଣାଇବାପାଇଁ ଲୋକଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳୁଛି । ତାଙ୍କ ବିରୁଦ୍ଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବନାହିଁ ସେ ସଂକ୍ରାନ୍ତରେ କଂଗ୍ରେସ ନୋଟିସ୍‍ ଦେଇଥିବାବେଳେ ସୁର ବି ତାହାର ଉତ୍ତର ଦେଇଛନ୍ତି । ଏବେ ଆଉ ତାଙ୍କୁ କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ସାମିଲ କରାଯାଉନଥିବାବେଳେ ତାଙ୍କ ବଡପୁଅ ସିଦ୍ଧାର୍ଥଙ୍କୁ କଂଗ୍ରେସ ଟିକଟ ଦେବ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ।

ସେହିଭଳି ଚିକିଟି ନିର୍ବାଚନମଣ୍ଡଳୀରୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାୟଙ୍କ ପୁଅ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ବିଜେପି ପ୍ରାର୍ଥୀ କରିଥିବାବେଳେ ଏହି ଆସନରୁ ତାଙ୍କ ବଡଭାଇ ରବୀନ୍ଦ୍ରନାଥ ଦ୍ୟାନସାମନ୍ତରାୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ଦୁଇ ଭାଇ ଦୁଇ ଜାତୀୟ ଦଳରୁ ଗୋଟିଏ ନିର୍ବାଚନମଣ୍ଡଳୀରୁ ପରସ୍ପର ବିରୁଦ୍ଧରେ ଲଢୁଥିବାବେଳେ ସେମାନଙ୍କ ପିତା ବରିଷ୍ଠ କଂଗ୍ରେସ ନେତା ଚିନ୍ତାମଣି ଦ୍ୟାନସାମନ୍ତରାୟଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।

ତେବେ ଚିନ୍ତାମଣି ଦ୍ୟାନସାମନ୍ତରାୟ ଗଣମାଧ୍ୟମକୁ କହି ସାରିଛନ୍ତି ଯେ ସେ କଂଗ୍ରେସରେ ଅଛନ୍ତି, ମଲା ପର୍ଯ୍ୟନ୍ତ କଂଗ୍ରେସରେ ରହିବେ ଏବଂ କଂଗ୍ରେସ ଛଡା ଆଉ କାହା ସପକ୍ଷରେ କହିବେ ନାହିଁ । ଏହି ଆସନରୁ ମନ୍ତ୍ରୀ ଉଷାଦେବୀଙ୍କ ପୁତ୍ର ଚିନ୍ମୟାନନ୍ଦ ଶ୍ରୀରୂପ ଦେବଙ୍କୁ ବିଜେଡି ପ୍ରାର୍ଥୀ କରିଛି । ନିର୍ବାଚନ ପାଖେଇ ଆସୁଥିବା ପରିପ୍ରେକ୍ଷୀରେ ରାଣୀଙ୍କ ଗଡକୁ ଭାଙ୍ଗିବାପାଇଁ ଦ୍ୟାନସାମନ୍ତରାୟଙ୍କ କେଉଁ ପୁଅ କେତେ ସକ୍ଷମ ହେଉଛନ୍ତି ତାହା ଉପରେ ଏବେ ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ନଜର ।

ଅବଶ୍ୟ ଏଥର ବିଧାନସଭା ଓ ଲୋକସଭା ନିର୍ବାଚନରେ ବହୁ ରାଜନେତାଙ୍କ ପୁତ୍ର, କନ୍ୟା, ପତ୍ନୀ ଓ ପରିବାରର ଅନେକ ସଦସ୍ୟ ପ୍ରାର୍ଥୀ ହୋଇଛନ୍ତି । ତେବେ ଅଧିକାଂଶ ଗୋଟିଏ ଦଳରୁ ଥିବାବେଳେ ଯେଉଁସବୁ କ୍ଷେତ୍ରରେ ବାପା ଗୋଟିଏ ଦଳରୁ ଓ ପୁଅ ଅନ୍ୟ ଦଳରେ ରହିଛନ୍ତି ସେଠାରେ ଦଳୀୟ କର୍ମୀଙ୍କ ମଧ୍ୟରେ ବିଭ୍ରାନ୍ତି ଉପୁଜୁଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)