Home News in Odia ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ

ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ

ଭୁବନେଶ୍ୱର : ଦୁଇ ବିଜେଡି ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ହୋଇଛି । ବାଚସ୍ପତି ପ୍ରମିଳା ମଲ୍ଲିକ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ବାଚସ୍ପତି ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ଯେ ସମ୍ବିଧାନର ଦଶମ ଅନୁଚ୍ଛେଦ ଅନୁଯାୟୀ ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଅରବିନ୍ଦ ଢାଲି ଏବଂ ତେଲକୋଇ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ କରାଗଲା । ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ ସହିତ ବିଧାନସଭାରେ ଦୁଇ ସଦସ୍ୟଙ୍କ ପାଇଁ ଥିବା ଆସନ ଖାଲି ରହିଲା ।

ବିଜେଡି ଦଳ ପକ୍ଷରୁ ଦୁଇ ବିଧାୟକଙ୍କ ସଂକ୍ରାନ୍ତରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସରକାରୀଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପୂର୍ବରୁ ଦୁଇ ବିଧାୟକଙ୍କୁ ସେମାନଙ୍କ ମତ ରଖିବାପାଇଁ ନୋଟିସ୍‍ କରିଥିଲେ । ତେବେ ଶ୍ରୀ ଢାଲି କହିଛନ୍ତି ଯେ ଧାର୍ଯ୍ୟ ତାରିଖ ଦିନ ସେ ବିଳମ୍ବରେ ପହଞ୍ଚିଥିଲେ ମଧ୍ୟ ତାଙ୍କର ମତାମତ ରେକର୍ଡ ହୋଇନାହିଁ ।

ଉଲ୍ଲେଖନୀୟ ଯେ ଦୁଇ ବିଜେଡି ବିଧାୟକ ଶ୍ରୀ ଢାଲି ଓ ଶ୍ରୀ ନାୟକ ଇତି ମଧ୍ୟରେ ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ଶ୍ରୀ ଢାଲିଙ୍କୁ ଜୟଦେବ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ପାଇଁ ଘୋଷଣା କରି ସାରିଛି ।