ଭୁବନେଶ୍ୱର : ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମେତ ପ୍ରାଣୀ ଚିକିତ୍ସକ, ପ୍ରାଣୀସମ୍ପଦ ନିରୀକ୍ଷକ, ପାରାଭେଟ, ଅନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଧର୍ମଘଟକୁ ୬ ମାସ ପାଇଁ ନିଷିଦ୍ଧ କରିବା ଲାଗି ରାଜ୍ୟ ସରକାର ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ ଲାଗୁ କରିଛନ୍ତି ।
ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟର ସରକାରୀ ପ୍ରାଣୀ ଚିକିତ୍ସାଳୟ ଓ ଡିସ୍ପେନସରିରେ ପ୍ରାଣୀ ଚିକିତ୍ସା ଓ ପଶୁପାଳନ ସେବା ରକ୍ଷଣାବେକ୍ଷଣ ସହ ଜଡ଼ିତ ସେବା/କାର୍ଯ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମେତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, ପାରାଭେଟ୍, ଅନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ କିମ୍ବା ଅନଧିକୃତ ଅନୁପସ୍ଥିତି ଇତ୍ୟାଦି କାର୍ଯ୍ୟ ବନ୍ଦ କରିବା ବା କାର୍ଯ୍ୟରେ ଅନଧିକୃତ ଅନୁପସ୍ଥିତି ଆଦି ଉପରେ ରୋକ ଲଗାଇବା ଜରୁରୀ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଆଦେଶ ୧୨.୦୪.୨୦୨୪ ରୁ ୬ ମାସ ପାଇଁ ବଳବତ୍ତର ରହିବ ।
ରାଜ୍ୟରେ ପ୍ରାଣୀ ଚିକିତ୍ସା ସେବା ଓ ପଶୁପାଳନ ବ୍ୟବସ୍ଥା ଯେପରି ପ୍ରଭାବିତ/ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ଏସମା ଲାଗୁ କରାଯାଇଛି ।
ରାଜ୍ୟ ସରକାରଙ୍କ ଠାରୁ ପାଣ୍ଠି ପାଉଥିବା ପଶୁପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶାଳୟ ଅଧୀନରେ ଥିବା ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ, ପ୍ରାଣୀ ଚିକିତ୍ସା କେନ୍ଦ୍ର, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍, ପ୍ରାଣୀଧନ ସହାୟତା କେନ୍ଦ୍ର, ରୋଗ ନିଦାନ ପରୀକ୍ଷାଗାର, ସରକାରୀ ପ୍ରାଣୀଧନ ଓ ଗୋଖାଦ୍ୟ ଫାର୍ମ, ଫ୍ରୋଜେନ୍ ସିମେନ୍ ବ୍ୟାଙ୍କ, ଜୈବିକ ଉତ୍ପାଦ ପ୍ରତିଷ୍ଠାନ ଏବଂ ଅନ୍ୟ ସମସ୍ତ ଅନୁଷ୍ଠାନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ଏହି ଆଦେଶ ଲାଗୁ ହେବ ।
ବର୍ତ୍ତମାନ ପ୍ରାଣୀ ଚିକିତ୍ସକମାନେ ଧର୍ମଘଟ କରିପାରିବେ ନାହିଁ ଅର୍ଥାତ୍ କୌଣସି ଅତ୍ୟାବଶ୍ୟକ ସେବାରେ ନିୟୋଜିତ/ ମୁତୟନ ବ୍ୟକ୍ତିଙ୍କ ମିଳିତ ଭାବରେ କାର୍ଯ୍ୟ ବନ୍ଦ କରିବା କିମ୍ବା କାର୍ଯ୍ୟ ଜାରି ରଖିବା କିମ୍ବା ଚାକିରି ଗ୍ରହଣ କରିବା ପାଇଁ ନିୟୋଜିତ କିମ୍ବା ମୁତୟନ ଥିବା କୌଣସି ବ୍ୟକ୍ତିଙ୍କ ବିଷୟରେ ସାଧାରଣ ବୁଝାମଣା ଅନୁଯାୟୀ କାର୍ଯ୍ୟ ବନ୍ଦ କରିବା କିମ୍ବା କାର୍ଯ୍ୟରୁ ଅନଧିକୃତ ଅନୁପସ୍ଥିତି ଅନ୍ତର୍ଭୁକ୍ତ ଅଟେ । (ତଥ୍ୟ)