ଭୁବନେଶ୍ୱର : ଭାରତରେ ଅବସ୍ଥାପିତ ଜାତିସଂଘର ଆବାସିକ ସଂଯୋଜକ ଶ୍ରୀ ସୋମ୍ବି ଶାର୍ପ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଓଡ଼ିଶାକୁ କ୍ରୀଡ଼ା କେନ୍ଦ୍ରରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ବୈଠକରେ ଆବାସିକ ସଂଯୋଜକ କ୍ରୀଡ଼ା ବିକାଶ ଦିଗରେ ରାଜ୍ୟର ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହା ପୂର୍ବରୁ ଆବାସିକ ସଂଯୋଜକ କଳିଙ୍ଗ ଷ୍ଟାଡିୟମରେ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର, କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଓ ଆକ୍ୱାଟିକ୍ ସେଣ୍ଟର ସମେତ ଅତ୍ୟାଧୁନିକ ସୁବିଧା ସୁଯୋଗ ପରିଦର୍ଶନ କରିଥିଲେ ।
ଏହିସବୁ ସୁବିଧାକୁ ପ୍ରଶଂସା କରି ଆବାସିକ ସଂଯୋଜକ କ୍ରୀଡ଼ା ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ାବିତ୍ମାନଙ୍କ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇଦେବା ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ ।
ଓଡ଼ିଶାରେ ବିଶ୍ୱସ୍ତରୀୟ କ୍ରୀଡା ସୁବିଧା ସୁଯୋଗ ଦେଖି ମୁଁ ଆଶ୍ଚର୍ଯ୍ୟ । ସେମାନେ ପ୍ରକୃତରେ ଚମତ୍କାର ଏବଂ ମୁଁ ପୂର୍ବରୁ ଦେଖିଥିବା କୌଣସି ଜିନିଷ ଠାରୁ ଭିନ୍ନ । ଏହା ମୋତେ ବଡ଼ ହେବା ସମୟରେ କଲୋରାଡୋର ଅଲିମ୍ପିକ୍ ପ୍ରଶିକ୍ଷଣ କେନ୍ଦ୍ରରେ ବିତାଇଥିବା ସମୟକୁ ମନେ ପକାଇଦେଇଥିଲା । ଓଡ଼ିଶାରେ ଯାହା ହାସଲ ହୋଇଛି ତାହା ପ୍ରକୃତରେ ଅବିଶ୍ୱସନୀୟ ଏବଂ ଏହା ରାଜ୍ୟରେ କ୍ରୀଡ଼ାର ଏକ ଉଜ୍ଜ୍ୱଳ ଭବିଷ୍ୟତର ସଙ୍କେତ ବୋଲି ମୁଁ ବିଶ୍ୱାସ କରେ ବୋଲି ଉଲ୍ଲେଖ କରିବା ସହିତ ତାଙ୍କର ଏହି ବକ୍ତବ୍ୟକୁ ଶ୍ରୀ ସୋମ୍ବି ଶାର୍ପ ସେୟାର କରିଛନ୍ତି ।
ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଶ୍ରୀ ଶାର୍ପଙ୍କୁ ତାଙ୍କ ଗସ୍ତ ପାଇଁ ଧନ୍ୟବାଦ ଜଣାଇବା ସହ ଓଡ଼ିଶା ଓ ଭାରତୀୟ କ୍ରୀଡ଼ାକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ଜାତିସଂଘ ସହ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।
ସାମ୍ପ୍ରତିକ ସମୟରେ ଓଡ଼ିଶା ଭାରତର ଏକ ପ୍ରମୁଖ କ୍ରୀଡ଼ାର ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କ୍ରୀଡ଼ା ପାଇଁ ୧୦୦୦ କୋଟିରୁ ଅଧିକ ଟଙ୍କାର ବଜେଟ୍ ରହିଛି ଏବଂ ସାରା ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ଦ୍ରୁତ ଗତିରେ ର୍ନିମାଣ କରୁଛି । ଭୁବନେଶ୍ୱର ଓ ରାଉରକେଲା (ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ) ରେ ଶ୍ରେଷ୍ଠ ଷ୍ଟାଡିୟମ ସହ ଓଡ଼ିଶା ହକିର ଗ୍ଲୋବାଲ ହବ୍ ପାଲଟିଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ପରିସରରେ ଭାରତର ପ୍ରଥମ ଇଣ୍ଡୋର ଆଥଲେଟିକ୍ ଷ୍ଟାଡିୟମ, ଆକ୍ୱାଟିକ୍ ସେଣ୍ଟର, ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଇତ୍ୟାଦି ସର୍ବୋତ୍ତମ ସୁବିଧା ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ‘ଯୁବପିଢ଼ିଙ୍କ ପାଇଁ କ୍ରୀଡ଼ା, ଭବିଷ୍ୟତ ପାଇଁ ଯୁବପୀଢି\’ ର ପରିକଳ୍ପନା ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି ।