Home News in Odia ଚର୍ଚ୍ଚାରେ ନାରୀ ନେତ୍ରୀ

ଚର୍ଚ୍ଚାରେ ନାରୀ ନେତ୍ରୀ

ଭୁବନେଶ୍ୱର : ଶ୍ରୀମୟୀ, ସୁରମା, ସୁମିତ୍ରା, ସୀମନ୍ତିନୀ, ସିପ୍ରା, ସୋନାଲି, ସୁନୀତା, ସୁନନ୍ଦାଙ୍କ ଭଳି ନାରୀନେତ୍ରୀମାନଙ୍କୁ ନେଇ ଏବେ ରାଜନୈତିକ ମହଲରେ ଜୋର୍‍ଦାର ଚର୍ଚ୍ଚା । ବିଭିନ୍ନ ଦଳରେ ରାଜନୈତିକ କ୍ଷେତ୍ରରେ ସ୍ୱତନ୍ତ୍ର ପିରଚିତି ସୃଷ୍ଟି କରିଥିବା ଏହି ନେତ୍ରୀମାନେ ଏଥର ନିର୍ବାଚନରେ ନିଜ ନିଜ ଦଳରୁ ପ୍ରାର୍ଥୀ ହେବେ କି ନାହିଁ ସେଥିଘେନି ଦଳୀୟ କାର୍ଯ୍ୟକର୍ତ୍ତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ପ୍ରତୀକ୍ଷାରେ ଅଛନ୍ତି ।

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱରର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯିବା ସହ ତାଙ୍କୁ ଦଳ ଏଠାରେ ପ୍ରାର୍ଥୀ କରିବ ବୋଲି ପ୍ରାୟ ୬ମାସ ତଳୁ ଚର୍ଚ୍ଚା ହେଉଥିଲା । ଭୁବନେଶ୍ୱର ଲୋକସଭା ଆସନର ୭ଟି ଯାକ ବିଧାନସଭା କ୍ଷେତ୍ରରେ ଶ୍ରୀମୟୀ ଦମ୍‍ଦାର ପ୍ରଚାର ସହିତ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କ ସହ ସମ୍ପର୍କ ଯୋଡୁଥିଲେ । ମନ୍ତ୍ରୀ, ବିଧାୟକ ଓ ଅନ୍ୟ ଦଳୀୟ ନେତା ତଥା ଲୋକପ୍ରତିନିଧିମାନେ ତାଙ୍କୁ ନେଇ ପ୍ରାୟ ପ୍ରତିଦିନ ଆକର୍ଷଣୀୟ କାର୍ଯ୍ୟକ୍ରମମାନ କରୁଥିଲେ ଏମିତିକି ସଭା, ସମିତିରେ ଶ୍ରୀମୟୀ ପ୍ରାର୍ଥୀ ହେଉଛନ୍ତି ବୋଲି ଘୋଷଣା କରାଯାଉଥିଲା । ଅନେକ ସ୍ଥାନରେ କାନ୍ଥ, ବାଡ଼ରେ ବି ଶ୍ରୀମୟୀଙ୍କ ସପକ୍ଷରେ ବିଜ୍ଞାପନ ଲେଖାଯାଉଥିଲା । କିନ୍ତୁ ହଠାତ୍‍ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନପୁଅ ମନ୍ମଥଙ୍କୁ ବିଜେଡି ଦଳରେ ମିଶାଇ ତାଙ୍କୁ ପ୍ରାର୍ଥୀ କରିବା ପରେ ମଇଦାନରେ ଆଉ ଶ୍ରୀମୟୀଙ୍କୁ ଦେଖିବାକୁ ମିଳୁନାହିଁ । ଭୁବନେଶ୍ୱର ଲୋକସଭା ପରିବର୍ତ୍ତେ ଶ୍ରୀମୟୀଙ୍କୁ ବିଜେଡି ଆଉ କେଉଁ ଆସନରୁ ପ୍ରାର୍ଥୀ କରିବ କି ନାହିଁ ସେଥିଘେନି ଏଯାବତ୍‍ ସ୍ପଷ୍ଟ ସୂଚନା ମିଳୁନାହିଁ ।

ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀରୁ ବିଜେପି ଟିକେଟ ଦେଇନାହିଁ । ବିଜେପି ମହିଳା ମୋର୍ଚ୍ଚା ସହିତ ଦଳର ଅନ୍ୟାନ୍ୟ ସାଙ୍ଗଠନିକ ପଦପଦବୀରେ ସଫଳତାର ସହ କାର୍ଯ୍ୟ କରିଥିବା ସୁରମା ଗତ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିବାବେଳେ ଏଥର ସେ ଜିଣିବେ ବୋଲି ଏକ ପ୍ରକାର ଦୃଢ ନିଶ୍ଚିତ ଥିବାବେଳେ ତାଙ୍କ ଭଳି ଜଣେ ନେତ୍ରୀ ଓ ସଙ୍ଗଠିକାଙ୍କୁ ଏଥର ବିଜେପି ପ୍ରାର୍ଥୀ କରୁଛି କି ନାହିଁ ତାହା ଅଳ୍ପଦିନରେ ସ୍ପଷ୍ଟ ହୋଇଯିବ ।

ନୀତିଗତ କାରଣରୁ ପ୍ରଦେଶ ମହିଳା କଂଗ୍ରେସ ସଭାପତି ପଦବୀରୁ ଇସ୍ତଫା ଦେଇ ବିଜେଡିରେ ୨୦୧୯ରେ ଯୋଗ ଦେଇଥିବା ସୁମିତ୍ରା ଜେନାଙ୍କୁ ବିଜେଡି ଦଳର ବରିଷ୍ଠ ସାଧାରଣ ସମ୍ପାଦିକା କରିଛି । ସେ ଜଣେ ସୁସଙ୍ଗଠିକା ଓ ନିଷ୍ଠାପର ନେତ୍ରୀ । ବିଜେଡିର ମୟୂରଭଞ୍ଜ ଜିଲ୍ଲା ସଙ୍ଗଠନ ଦାୟିତ୍ୱ ସହିତ ମହିଳା ଓ ଶିଶୁବିକାଶ ବିଭାଗର ଉପଦେଷ୍ଟା ଭାବେ ସୁମିତ୍ରାଙ୍କ କାମ ଉଭୟ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ପ୍ରଶଂସିତ ହୋଇଥିଲେ ମଧ୍ୟ ତାଙ୍କୁ ନିର୍ବାଚନ ଲଢିବାକୁ ଏଯାବତ୍‍ ସୁଯୋଗ ଦିଆଯାଇନାହିଁ ।

ବରୀର ବିଜେଡି ବିଧାୟିକା ସୁନନ୍ଦା ଦାସଙ୍କ ପ୍ରାର୍ôଥତ୍ୱ ଏବେବି ପ୍ରଶ୍ନବାଚୀ ଭିତରେ ରହିଛି । ସେହିପରି ବିଜେପିର ମହିଳା ମୋର୍ଚ୍ଚାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାଙ୍ଗଠନିକ କ୍ଷେତ୍ରରେ ଦକ୍ଷତାର ସହ କାମ କରିଥିବା ସିମନ୍ତିନୀ ଜେନାଙ୍କୁ ବିଜେପି ଏଥର ପ୍ରାର୍ଥୀ କରିବା ସମ୍ଭାବନା କ୍ଷୀଣ । କେନ୍ଦ୍ରାପଡ଼ାରୁ ଏକଦା ବିଜେଡି ବିଧାୟିକା ଥିବା ସିପ୍ରା ମଲ୍ଲିକ ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ପୂର୍ବତନ ମନ୍ତ୍ରୀ ପ୍ରହଲ୍ଲାଦ ମଲ୍ଲିକଙ୍କ ସୁକନ୍ୟା । ବିଧାନସଭା ଭିତରେ, ପ୍ରଶାସନିକ ସ୍ତରରେ ଏବଂ ସାଙ୍ଗଠନିକ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଆସିଥିବା ସିପ୍ରା ଗଣମାଧ୍ୟମରେ ବି ବିଜେଡି ସପକ୍ଷରେ ଦୃଢ ଯୁକ୍ତି ବାଢି ଆସିଥାନ୍ତି । ଏଯାବତ୍‍ ସିପ୍ରାଙ୍କ ପ୍ରାଥିତ୍ୱ ଘୋଷଣା ହୋଇ ନଥିବାରୁ ତାଙ୍କ ସହକର୍ମୀମାନେ ଦ୍ୱନ୍ଦରେ ଅଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦୁଇଝିଅ ସୁନୀତା ଓ ଅନିତା ୨୦୧୯ ନିର୍ବାଚନ ଲଢିଥିଲେ । ଏଯାବତ୍‍ ସେମାନଙ୍କ ପ୍ରାର୍ଥିତ୍ୱ ସମ୍ପର୍କରେ କୌଣସି ଘୋଷଣା ହୋଇନାହିଁ । ଇତିମଧ୍ୟରେ ବିଜେପିର ୨ଜଣ ଆଗଧାଡିର ନେତ୍ରୀ ସୋନାଲି ସାହୁ ଓ ଲେଖାଶ୍ରୀ ସାମନ୍ତସିଂହାର ଦଳରୁ ଇସ୍ତଫା ଦେଇ ବିଜେଡିରେ ମିଶିଛନ୍ତି । ବିଜେପିରେ ଏମାନଙ୍କୁ ଅଣଦେଖା କରାଯାଇଥିବାବେଳେ ସେମାନଙ୍କ ନୂଆ ଦଳ ବିଜେଡି ନିର୍ବାଚନରେ ପ୍ରାର୍ଥୀ କରିବ କି ନାହିଁ ସେଥିଘେନି କିଛି ସ୍ପଷ୍ଟ ସୂଚନା ମିଳୁନାହିଁ । ଏକଦା ରାଜନୀତିରେ ବେଶ୍‍ ସକ୍ରିୟ ଥିବା ହେମା ଗମାଙ୍ଗ, ବିଜୟଲକ୍ଷ୍ମୀ ସାହୁ, ରଶ୍ମୀ ମହାପାତ୍ର, ଇରାନୀ ରାୟ, ସନ୍ଧ୍ୟାବତୀ ପ୍ରଧାନଙ୍କ ଭଳି ଆଗ ଧାଡିର ବହୁ ନେତ୍ରୀ ଏଥର ନିର୍ବାଚନ ଲଢୁଛନ୍ତି କି ନାହିଁ ତାହାର ସ୍ପଷ୍ଟ ସୂଚନା ମିଳୁନାହିଁ । ତେବେ ଦଳମତ ନିର୍ବିଶେଷରେ ରାଜନୈତିକ ମହଲରେ ଏଭଳି ନେତ୍ରୀମାନଙ୍କୁ ନେଇ ନିର୍ବାଚନ ମାହୋଲରେ ଜୋର୍‍ଦାର ଚର୍ଚ୍ଚା ହେଉଛି । (ତଥ୍ୟ)