Home News in Odia ପାଖେଇ ଆସୁଛି ପ୍ରାର୍ଥୀପତ୍ର ଦାଖଲ ସମୟ

ପାଖେଇ ଆସୁଛି ପ୍ରାର୍ଥୀପତ୍ର ଦାଖଲ ସମୟ

ଭୁବନେଶ୍ୱର : ଲୋକସଭା ଓ ବିଧାନସଭା ପାଇଁ ହେଉଥିବା ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶାର ଚାରୋଟି ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଚଳିତମାସ ୧୮ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ସେହିଦିନ ଠାରୁ ପ୍ରାର୍ôଥପତ୍ର ଦାଖଲ ଆରମ୍ଭ ହେବ । ଏହା ପରେ ପରେ ଆଉ ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ପାଇଁ ବିଜ୍ଞପ୍ତି ପ୍ରକାଶ ସହ ଚଳିତମାସ ୨୬ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ ।

କାର୍ଯ୍ୟସୂଚି ମୁତାବକ ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ ୨୪ ଥିବାବେଳେ ମେ’ ୧୩ରେ ହେବ ଭୋଟ ଗ୍ରହଣ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଓଡ଼ିଶାରେ ମଇ ୩ ତାରିଖ ପର୍ଯ୍ୟନ୍ତ ପ୍ରାର୍ôଥପତ୍ର ଦାଖଲ କରାଯାଇ ମଇ ୨୦ରେ ଭୋଟ ଗ୍ରହଣ କରାଯିବ । ଅବଶ୍ୟ ପ୍ରାର୍ଥୀପତ୍ର ଦାଖଲ ପରେ ଏଗୁଡିକର ଯାଞ୍ଚ ଓ ପ୍ରତ୍ୟାହାର ପାଇଁ ନିର୍ବାଚନ କମିଶନ ଦିନ ଧାର୍ଯ୍ୟ କରିସାରିଛନ୍ତି ।

ଇତିମଧ୍ୟରେ ଦେଶର ୫୪୩ଟି ଲୋକସଭା ଆସନ ମଧ୍ୟରୁ ୧୦୨ଟି ପାଇଁ ଏପ୍ରିଲ ୧୯ରେ ଏବଂ ୮୯ଟି ପାଇଁ ଏପ୍ରିଲ ୨୬ରେ ଭୋଟ ଗ୍ରହଣ କରାଯିବ । ଏଥିରୁ ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନ ଲାଗି ଇତିମଧ୍ୟରେ ପ୍ରାର୍ôଥପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଦେଶରେ ଆଉ ୯୪ଟି ଲୋକସଭା ଆସନ ପାଇଁ ମଇ ୭ତାରିଖରେ ମତଗ୍ରହଣ ହେବାକୁ ଅଛି । ଶେଷ ଚାରୋଟି ଯାକ ପର୍ଯ୍ୟାୟର ନିର୍ବାଚନ ଓଡ଼ିଶା ସହିତ ଦେଶର ବିଭିନ୍ନ ରାଜ୍ୟରେ ହେବ ।

ଏପର୍ଯ୍ୟନ୍ତ ଓଡ଼ିଶାରେ ପ୍ରାର୍ଥୀ ତାଲିକା ଘୋଷଣାରେ ବିଜେପି ଓ ବିଜେଡି ଆଗରେ ଅଛନ୍ତି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଓଡ଼ିଶାରେ ଯେଉଁ ୯ଟି ଲୋକସଭା ଓ ୬୩ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ ସେଗୁଡିକର ପ୍ରାର୍ଥୀ ତାଲିକା ଚୁଡାନ୍ତ ଓ ଅଦଳବଦଳ ପାଇଁ କଂଗ୍ରେସ ସମେତ ବିଜେପି ଓ ବିଜେଡିରେ ଜୋର୍‍ଦାର କସରତ୍‍ ଚାଲିଛି ।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଓ ତତ୍‍ସଂଲଗ୍ନ ବିଧାନସଭା ଆସନ ଗୁଡିକ ପାଇଁ ନିର୍ବାଚନ ହେବାକୁ ଯାଉଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଓ ତତ୍‍ସଂଲଗ୍ନ ବିଧାନସଭା ଆସନ ଗୁଡିକ ଲାଗି ନିର୍ବାଚନ ହେବ । ମୋଟାମୋଟିଭାବେ ଏହି ଦୁଇଟି ପର୍ଯ୍ୟାୟରେ ରାଜ୍ୟର ପଶ୍ଚିମ ଓ ଦକ୍ଷିଣାଞ୍ଚଳରେ ନିର୍ବାଚନ ଶେଷ ହେବ । ତେବେ ପଶ୍ଚିମାଞ୍ଚଳର ସମ୍ବଲପୁର ଲୋକସଭା ଓ ତା’ ସହିତ ଥିବା ୭ଟି ବିଧାନସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ରହିଛି ।

ତୃତୀୟ ପର୍ଯ୍ୟାୟରେ କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନ ଓ ତା’ ସହିତ ଯୋଡି ହୋଇଥିବା ବିଧାନସଭା କ୍ଷେତ୍ର ଏବଂ ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‍ସିଂହପୁର ଓ ଯାଜପୁର ଲୋକସଭା ଆସନ ସହିତ ଏହା ଅନ୍ତର୍ଭୁକ୍ତ ବିଧାନସଭା ଆସନ ଗୁଡିକ ପାଇଁ ନିର୍ବାଚନ ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ ୨୯ରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବାକୁ ଥିବାବେଳେ ମଇ ୨୫ରେ ଭୋଟ ଗ୍ରହଣ ଏବଂ ଚତୁର୍ଥ ପର୍ଯ୍ୟାୟ ପାଇଁ ମଇ ୭ ତାରିଖରୁ ନାମାଙ୍କନପତ୍ର ଦାଖଲ ସହିତ ଜୁନ୍‍ ୧ରେ ଭୋଟ ଗ୍ରହଣ କରାଯିବ । ରାଜ୍ୟର ସମସ୍ତ ୨୧ଟି ଯାକ ଲୋକସଭା ଓ ୧୪୭ଟି ବିଧାନସଭା ଆସନ ଲାଗି ଜୁନ୍‍ ୪ ତାରିଖରେ ଭୋଟ ଗଣତି କରାଯିବ ।

ପ୍ରାର୍ôଥପତ୍ର ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ତାରିଖ ପାଖେଇ ଆସୁଥିବାରୁ ଘୋଷିତ ଓ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଉଛି । ଅତୀତରେ ବହୁ ଘୋଷିତ ପ୍ରାର୍ଥୀଙ୍କ ଟିକଟ ବଦଳାଇ ନୂଆ ପ୍ରାର୍ଥୀଙ୍କୁ ଛିଡା କରାଯିବା ଏବଂ ବିଭିନ୍ନ ଦଳର କେତେକ ଘୋଷିତ ପ୍ରାର୍ଥୀ ନିଜ ଦଳ ଛାଡି ଅନ୍ୟ ଦଳରୁ ନିର୍ବାଚନ ଲଢିବା, କେତେକ ପ୍ରାର୍ଥୀ ଦଳୀୟ ଟିକେଟ ଫେରାଇବା, ଏମିତିକି ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ବିଦ୍ରୋହ ଯୋଗୁ ସମସ୍ୟା ଉପୁଯିବାଭଳି ନଜିର ରହିଥିବାରୁ କେତେବେଳେ କାହାର ଟିକଟ କଟିବ ଓ ଆଉକିଏ ଟିକଟ ପାଇବ ସେଥିଘେନି ପ୍ରାର୍ôଥପତ୍ର ଦାଖଲର ଶେଷ ଦିନ ପର୍ଯ୍ୟନ୍ତ ବହୁ ଆସନରେ ଅନିଶ୍ଚିତତା ଲାଗି ରହିବ ବୋଲି କୁହାଯାଉଛି । (ତଥ୍ୟ)