Home News in Odia ପ୍ରଚାରରେ କଟକଣା ଦାବି

ପ୍ରଚାରରେ କଟକଣା ଦାବି

ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ଅସହ୍ୟ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ଅଧିକାଂଶ ସ୍ଥାନରେ ଦିନବେଳା ନିର୍ବାଚନ ସଭା ସମିତି ଓ ଶୋଭାଯାତ୍ରା ଆଦି କରିବା କଷ୍ଟକର ହୋଇପଡୁଛି । ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ମଧ୍ୟାହ୍ନରେ ନିର୍ମାଣ କାର୍ଯ୍ୟରେ ନିୟୋଜନ ନ କରିବା ଏବଂ ଶିକ୍ଷାନୁଷ୍ଠାନ ସମେତ ସଂଖ୍ୟାଧିକ ଦପ୍ତର ସକାଳୁଆ ଚଳାଇବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ପରିପ୍ରେକ୍ଷୀରେ ତତଲା ଝାଞ୍ଜି ପବନ ବହୁଥିବାବେଳେ ନିର୍ବାଚନ ପ୍ରଚାର କାର୍ଯ୍ୟ ଉପରେ ମଧ୍ୟ କମିଶନ କଟକଣା ଲଗାଇବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

ଅତୀତରେ ଗ୍ରୀଷ୍ମ ପ୍ରବାହ ବେଳେ ଅଂଶୁଘାତ ଜନିତ ମୃତ୍ୟୁ ଘଟିବାର ବହୁ ନଜିର ରହିଛି । ଏବେ ଯେଭଳି ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀରୁ ଉପରେ ରହୁଛି ତାହାକୁ ଆଖି ଆଗରେ ରଖି ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ଅଂଶୁଘାତଜନିତ ସମସ୍ୟାକୁ ଏଡାଇବା ପାଇଁ ମଧ୍ୟାହ୍ନରେ ପ୍ରଚାର କାର୍ଯ୍ୟରୁ ବିରତ ରହିବା ଲାଗି ବିଭିନ୍ନ ମହଲ ମତ ପ୍ରକାଶ କରୁଛନ୍ତି । ଏ ସଂକ୍ରାନ୍ତରେ ନିର୍ବାଚନ କମିଶନ କେବଳ ନିଷ୍ପତ୍ତି ନେଇପାରିବେ । ପରିବେଶପ୍ରେମୀ ଓ ସିଭିଲ୍‍ ସୋସାଇଟିର ଛାମୁଆ ନେତାମାନେ କହୁଛନ୍ତି ଯେ ରାଜନୈତିକ ସଭା, ସମିତି, ଶୋଭାଯାତ୍ରା ଓ ପ୍ରଚାର ଆଦି କାରଣରୁ ଯଦି କୌଣସି ଲୋକଙ୍କର ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁ ଘଟେ ସେଥିପାଇଁ ସମ୍ପୃକ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ଦାୟୀ କରାଯିବା ଆବଶ୍ୟକ ।

ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିର୍ବାଚନୀ ସମାବେଶ, ମିଶ୍ରଣ ପର୍ବ, କର୍ମୀ ସମ୍ମିଳନୀ, ଶୋଭାଯାତ୍ରା ଆଦି ହେଉଥିବା ଲକ୍ଷ୍ୟ କରାଯାଉଛି । ଏହି ସମାବେଶସ୍ଥଳକୁ ପ୍ରଚଣ୍ଡ ରୌଦ୍ରପାତ ସତ୍ତ୍ୱେ ଲୋକେ ପଦଯାତ୍ରାରେ କିମ୍ବା ସାଇକଲ ଓ ବାଇକ୍‍ ରାଲିରେ ଆସୁଛନ୍ତି । ବାଇକ୍‍ ରାଲିରେ ସାମିଲ ହେଉଥିବା ସଂଖ୍ୟାଧିକ ବ୍ୟକ୍ତି ହେଲ୍‍ମେଟ୍‍ ପରିଧାନ କରୁନାହାନ୍ତି ଏବଂ ଟ୍ରାଫିକ୍‍ ନିୟମ ପୁଲିସ ଉପସ୍ଥିତିରେ ଉଲ୍ଲଂଘନ କରି ଅଧିକ ସଂଖ୍ୟାରେ ଯାତ୍ରା କରୁଛନ୍ତି । ସାଧାରଣ ଲୋକଟିଏ ବାଇକ୍‍ ଚଳାଇବାବେଳେ ହେଲ୍‍ମେଟ୍‍ ନପିନ୍ଧିଲେ କିମ୍ବା ଦୁଇରୁ ଅଧିକ ସଂଖ୍ୟକ ବ୍ୟକ୍ତି ବାଇକ୍‍ରେ ଗଲେ ପୁଲିସ ଓ ପରିବହନ ବିଭାଗ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲାଇସେନ୍ସ ଜବତ ସହିତ ଜରିମାନା ଆଦାୟ କରୁଛନ୍ତି ଓ ସ୍ଥଳବିଶେଷରେ ବାଇକ୍‍ ଜବତ କରୁଛନ୍ତି । ତେବେ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଟ୍ରାଫିକ୍‍ ଓ ପରିବହନ ଆଇନର ଖୋଲା ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ କାହିଁକି କର୍ତ୍ତୃପକ୍ଷ ପୃଷ୍ଠପୋଷକତା ଦେଉଛନ୍ତି ସେଥିଘେନି ମଧ୍ୟ ପ୍ରଶ୍ନବାଚୀ ଉଠୁଛି ।

ନିର୍ବାଚନ ମାହୋଲ ସରଗରମ ହୋଇ ଆସୁଥିବାବେଳେ ମଦ ଓ ଅନ୍ୟାନ୍ୟ ନିଶା ସାମଗ୍ରୀର ବ୍ୟବହାର ମଧ୍ୟ ବଢିବାରେ ଲାଗିଛି । ଏ ପରିପ୍ରେକ୍ଷୀରେ ରାଜନୈତିକ ନେତା, କର୍ମୀ ଓ ସେମାନଙ୍କ ସମର୍ଥକମାନଙ୍କୁ ନିଶା ସେବନରୁ ବିରତ କରାନଗଲେ ଅନେକ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି ବୋଲି ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ ଚେତାଇ ଦିଆଯାଇଛି । ଏଠାରେ ଉଲ୍ଲେଖନୀୟ ଯେ ଅଂଶୁଘାତକୁ ଏଡାଇବା ପାଇଁ ଡାକ୍ତରମାନେ ଯେତେସବୁ ପରାମର୍ଶ ଦେଉଛନ୍ତି ସେଥିମଧ୍ୟରେ ଖରାଦିନେ ମଦ ଓ ଅନ୍ୟାନ୍ୟ ନିଶା ସେବନ ନକରିବାକୁ କୁହାଯାଉଛି ।

ବିଭିନ୍ନ ଦଳର ସ୍ଥାନୀୟ ନେତାମାନେ ସ୍ୱୀକାର କରୁଛନ୍ତି ଯେ ନିର୍ବାଚନୀ କାର୍ଯ୍ୟପାଇଁ ସେମାନେ ଆରାମଦାୟକ ଶୀତତାପ ନିୟନ୍ତ୍ରିତ ଗାଡିରେ ଯିବାଆସିବା କରୁଥିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ ନିର୍ବାଚନୀ କାର୍ଯ୍ୟକ୍ରମମାନ ଆୟୋଜନ କରିବାରେ ସମସ୍ୟା ଉପୁଜୁଛି । ଏମିତିକି ଏହି ଅବସରରେ ଆସୁଥିବା ଲୋକମାନଙ୍କୁ ପ୍ରଚଣ୍ଡ ଖରାବେଳେ ଖାଦ୍ୟ ଯୋଗାଇବା କ୍ଷେତ୍ରରେ ମଧ୍ୟ ଅସୁବିଧା ହେଉଛି । ଏ ପରିପ୍ରେକ୍ଷୀରେ ସକାଳେ ଓ ଅପରାହ୍ନରେ ଗଣଯୋଗାଯୋଗ ସ୍ଥାପନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ୪ ପର୍ଯ୍ୟାୟରେ ଓଡ଼ିଶାରେ ହେବାକୁ ଥିବା ମତଦାନବେଳକୁ ଗ୍ରୀଷ୍ମ ପ୍ରବାହ ରହିବା ଆଶଙ୍କା କରାଯାଉଥିବାରୁ ମତଦାତାମାନଙ୍କ ନିରାପତ୍ତା ଦୃଷ୍ଟିରୁ ବ୍ୟାପକ ବ୍ୟବସ୍ଥା କରିବାକୁ ମଧ୍ୟ ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)