Home Election ମତଦାନ ହାର ବୃଦ୍ଧି ପାଇଁ ପ୍ରୟାସ

ମତଦାନ ହାର ବୃଦ୍ଧି ପାଇଁ ପ୍ରୟାସ

ନୂଆଦିଲ୍ଲୀ : କମ୍‌ ମତଦାନ ହାର ରହିଥିବା ୧୧ଟି ରାଜ୍ୟର ନିର୍ଦ୍ଦିଷ୍ଟ ସହରାଞ୍ଚଳ ମହାନଗର ନିଗମ ଆୟୁକ୍ତ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ମତଦାନ ହାର ବୃଦ୍ଧି ପାଇଁ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏଭଳି ଏକ ପ୍ରୟାସ କରାଯାଉଛି ।

ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନରେ ଆସନ୍ତାକାଲି ବୈଠକ ଆୟୋଜନ କରାଯିବ । ଏଥିରେ ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ରେ ମତଦାନ ହାର ବୃଦ୍ଧି ପାଇଁ ଉପାୟ ସମ୍ପର୍କରେ ଆଲୋଚନା ହେବ । ନିର୍ଦ୍ଦିଷ୍ଟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କମ୍‌ ମତଦାନ ହାର ସମସ୍ୟା ଉପରେ ଆଲୋଚନା କରାଯିବା ସହିତ ଲକ୍ଷ୍ୟ ଆଧାରିତ ଓ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ବିଚାରବିମର୍ଶ କରାଯିବ । ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର ଏବଂ ଶ୍ରୀ ସୁଖବୀର ସିଂ ସାନ୍ଧୁ ଯୋଗ ଦେବେ ।

ପୂର୍ବରୁ ଅନୁଷ୍ଠିତ କେତେକ ବିଧାନସଭା ନିର୍ବାଚନରେ ଯେପରି ସ୍ଥିତି ଦେଖିବାକୁ ମିଳିଛି, ତାହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାର କମ୍‌ ମତଦାନ ହାର ପାଇଁ ଅନେକ ସମୟରେ ସହରାଞ୍ଚଳ ଅନିଚ୍ଛା ଏବଂ ଗ୍ରାମାଞ୍ଚଳରୁ ପ୍ରବାସକୁ ଦାୟୀ କରିଛନ୍ତି ।

୨୦୧୯ ଲୋକସଭା ସାଧାରଣ ନିର୍ବାଚନରେ ଜାତୀୟ ସ୍ତରରେ ମତଦାନ ହାର ୬୭.୪୦% ରହିଥିବା ବେଳେ ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ର, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ତେଲଙ୍ଗାନା, ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଜମ୍ମୁ ଓ କାଶ୍ମୀର ଏବଂ ଝାଡ଼ଖଣ୍ଡ ଆଦି ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଏହା ଠାରୁ କମ୍‌ ମତଦାନ ହାର ଦେଖିବାକୁ ମିଳିଥିଲା। ଯେଉଁଠି ୫୦ଟି ସଂସଦୀୟ କ୍ଷେତ୍ରରେ କମ୍‌ ମତଦାନ ହାର ଥିଲା ସେଥିମଧ୍ୟରୁ ୧୭ଟି କ୍ଷେତ୍ର ବଡ଼ ମହାନଗର ଅଞ୍ଚଳ ଥିଲା ଯାହାକି ସହରାଞ୍ଚଳ ଅନିଚ୍ଛାର ଏକ ଦୁର୍ଭାଗ୍ୟଜନକ ଧାରାକୁ ପ୍ରତିଫଳନ କରିଥାଏ।

କମ ମତଦାନ ହାର ରହିଥିବା ୯ଟି ରାଜ୍ୟର ୫୦ରୁ ଅଧିକ ଗ୍ରାମୀଣ ସଂସଦୀୟ କ୍ଷେତ୍ରକୁ ଚିହ୍ନଟ କରାଯାଇଛି ଏବଂ ଏସବୁ କ୍ଷେତ୍ରରେ ମତଦାନ ହାର ସୁଧାର ପାଇଁ ବୈଠକରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ବିଚାରବିମର୍ଶ କରାଯିବ ଓ ରଣନୀତି ବିକାଶ କରାଯିବ ।

ଏହି ବୈଠକରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ପୁଣେ, ଠାଣେ, ନାଗପୁର, ପଟନାସାହିବ, ଲକ୍ଷ୍ନୌ ଓ କାନପୁରର ମହାନଗର ନିଗମ ଆୟୁକ୍ତଙ୍କ ସମେତ ବିହାର ଓ ଉତ୍ତରପ୍ରଦେଶର ନିର୍ଦ୍ଦିଷ୍ଟ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଉପସ୍ଥିତ ରହିବେ । ଏହି ଅବସରରେ ଆୟୋଗଙ୍କ ଦ୍ୱାରା ମତଦାତାଙ୍କ ଉଦାସୀନତା ଉପରେ ଏକ ପୁସ୍ତିକା ଉନ୍ମୋଚନ କରାଯିବ।