ଭୁବନେଶ୍ୱର : ରାଜ୍ୟରେ ତିନି ପ୍ରମୁଖ ରାଜନୈତିକଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବାବେଳେ ନେତାମାନେ କିନ୍ତୁ ଦଳ ବଳ ସହିତ ପ୍ରଚାର ମଇଦାନକୁ ଓହ୍ଲାଇ ପାରୁନାହାନ୍ତି । ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଏବେ ପ୍ରଚାରରେ ବାଧକ ସାଜିଛି ।
ରାଜ୍ୟରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହା ଆହୁରି କିଛିଦିନ ଧରି ଚାଲିବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି । ଆଜି ରାଜ୍ୟର ୬ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଥିବାବେଳେ ଆଉ ୬ଟି ଜିଲ୍ଲାରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି । ଦିନ ନଅଟା ପରଠାରୁ ପ୍ରବଳ ଖରା ଓ ଗୁଳୁଗୁଳି ଆରମ୍ଭ ହେଉଛି । ଖରାରେ ପଦାକୁ ନବାହାରିବାପାଇଁ ସରକାରଙ୍କ ପକ୍ଷରୁ ସତର୍କ କରାଯିବା ସହିତ ବିଦ୍ୟାଳୟଗୁଡିକୁ ମଧ୍ୟ ସକାଳୁଆ କରାଯାଉଛି ।
ତେବେ ନିର୍ବାଚନ ପ୍ରଚାର ପାଇଁ ସଜବାଜ ହେଉଥିବା ପ୍ରାର୍ଥୀ ଓ ସେମାନଙ୍କ କର୍ମୀଙ୍କ ପାଇଁ ଏହି ପ୍ରଚଣ୍ଡ ଖରା କାଳ ସାଜିଛି । ମୁଣ୍ଡଫଟା ଖରାରେ ରାଲି ବାହାର କରିବା ତ ଦୂରରକଥା କର୍ମୀଙ୍କୁ ଘରୁ ଡାକିବାକୁ ବି ନେତାଏ ସାହସ କୁଳାଇ ପାରୁନାହାନ୍ତି । କାରଣ ନିର୍ବାଚନ ଆରମ୍ଭରୁ ସେମାନଙ୍କୁ ଅଂଶୁଘାତର ଭୟ ଘାରିଲାଣି । କର୍ମୀମାନେ ମଧ୍ୟ ଖରାରେ ପ୍ରଚାର କରିବା ଅପେକ୍ଷା ସଂଧ୍ୟା କିମ୍ବା ରାତ୍ରୀ ସମୟରେ ପଚାର ପାଇଁ ଯିବାକୁ ରାଜି ହେଉଛନ୍ତି ।
ତେବେ ଦକ୍ଷିଣା ଓ ପଶ୍ଚିମଓଡିଶା ଏକ ପ୍ରକାର ଜଳୁଥିବାବେଳେ ଉପକୂଳ ଓଡିଶାରେ କିନ୍ତୁ ତାପମାତ୍ରା ସାମାନ୍ୟ କମ୍ ରହିଛି । ତେବେ ଉପକୂଳ ଓଡିଶାରେ ଭୋଟଗ୍ରହଣ ତାରିଖ ଢେର ଦିନ ଥିବାରୁ ଏଠାରେ ନିର୍ବାଚନ ପ୍ରଚାରକୁ ପ୍ରାର୍ଥୀମାନେ ଓହ୍ଲାଇ ନାହାନ୍ତି । ଉଲ୍ଲେଖନୀୟ ଯେ ଓଡିଶାରେ ଚାରି ପର୍ଯ୍ୟାୟରେ ର୍ନିବାଚନ ପାଇଁ ଭାରତର ନିର୍ବାଚନ କମିଶନ ତାରିଖ ଧାର୍ଯ୍ୟ କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ର ସହିତ ଏହା ଅଧିନରେ ଥିବା ୨୪ଟି ବିଧାନସଭା କ୍ଷେତ୍ରରେ ମଇ ୧୩ତାରିଖରେ ଭୋଟଗ୍ରହଣ ହେବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା ଆସନ ଏବଂ ତାହା ଅର୍ନ୍ତଗତ ୩୫ଟି ବିଧାନସଭା ଆସନ ଲାଗି ନିର୍ବାଚନ ମଇ ୨୦ତାରିଖରେ ଭୋଟ ହେବ ।
ଇତି ମଧ୍ୟରେ ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ଲୋକସଭା ଆସନ ସମେତ ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବାବେଳେ ବିଜେଡି ପକ୍ଷରୁ ୨୦ ଲୋକସଭା ଏବଂ ୯୯ ବିଧାନସଭା ଏବଂ କଂଗ୍ରେସ ପକ୍ଷରୁ ୮ଟି ଲୋକସଭା ଏବଂ ୪୯ଟି ବିଧାନସଭା ଆସନପାଇଁ ପ୍ରାର୍ଥୀ ତାଲିକାପ୍ରକାଶ ପାଇଛି ।
ଯେଉଁସବୁ ପ୍ରାର୍ଥୀମାନଙ୍କ ନାମ ଘୋଷଣା ହୋଇଛି ସେମାନେ ନିଜର ଦଳ ବଳ ସହିତ ପ୍ରଚାର ମଇଦାନକୁ ଓହ୍ଲାଇବା କଥା । ଏଥିପାଇଁ ପୋଷ୍ଟର ବ୍ୟାନର ସହିତ ବିଭିନ୍ନ ମନଛୁଆଁ ଗୀତ ପ୍ରସ୍ତୁତ ହୋଇଛି । କେତେକ ପ୍ରାର୍ଥୀ ଛୋଟ ଫିଲ୍ମ ମଧ୍ୟ ପ୍ରସ୍ତୁତ କରିଛନ୍ତି । ହେଲେ ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ପ୍ରଚାର କାର୍ଯ୍ୟ ଜୋର ଧରୁନାହିଁ । ଉପସ୍ଥିତ ଜାହିର ପାଇଁ କେତେକ ପ୍ରାର୍ଥୀ ଅଳ୍ପକିଛି ସମର୍ଥକଙ୍କୁ ଧରି ଖରାରେ ସିଝିବା ପୂର୍ବରୁ କିଛି ଅଞ୍ଚଳ ପରିକ୍ରମା କରୁଛନ୍ତି । ତେବେ ପାଣିପାଗ ବିଭାଗ ପକ୍ଷରୁ ୭ତାରିଖ ପରେ ଗ୍ରୀଷ୍ମର ପ୍ରକୋପ କିଛିଟା ହ୍ରାସ ପାଇବ ବୋଲି ସୂଚନା ଦିଆଯାଇଥିବାରୁ ଏହା ପରେ ପ୍ରଚାରକୁ ଜୋରଦାର କରିବାପାଇଁ ପ୍ରାର୍ଥୀମାନେ ପୂରା ଦମ୍ରେ ପ୍ରସ୍ତୁତି ଚଳାଇଥିବା ଲକ୍ଷ୍ୟ କରାଯାଇଛି । (ତଥ୍ୟ)