ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଏଯାବତ୍ ୧୫ଜଣ ନେତା ଦାୟିତ୍ୱ ସମ୍ଭାଳି ଆସିଛନ୍ତି । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏଯାବତ୍ ଘୋଷିତ ପ୍ରାର୍ଥୀ ତାଲିକାରେ ଏହି ୧୫ଜଣଙ୍କ ନେତାଙ୍କ ମଧ୍ୟରୁ ୧୦ଜଣଙ୍କ ପରିବାରର କୌଣସି ସଦସ୍ୟଙ୍କ ନାମ ନାହିଁ ।
ସମ୍ବିଧାନ ଲାଗୁହେବା ପୂର୍ବରୁ ରାଜ୍ୟର ମୁଖିଆଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା । ୧୯୩୭ରୁ ଏଯାବତ୍ ବିଶ୍ୱନାଥ ଦାସ, ପାରଳା ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେଓ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ, ବୀରେନ ମିତ୍ର, ସଦାଶିବ ତ୍ରିପାଠୀ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ନନ୍ଦିନୀ ଶତପଥୀ, ବିନାୟକ ଆଚାର୍ଯ୍ୟ, ନୀଳମଣି ରାଉତରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗ, ହେମାନନ୍ଦ ବିଶ୍ୱାଳ ଓ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଆସିଛନ୍ତି ।
ଏହି ନେତାମାନଙ୍କ ମଧ୍ୟରୁ ପାରଳା ଗଜପତି, ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୀବନ ଅଣକଂଗ୍ରେସ ଦଳରେ ସୃଷ୍ଟି ହୋଇଥିବାବେଳେ ଅନ୍ୟ ୧୨ଜଣ କଂଗ୍ରେସ ମୂଳଦୂଆରୁ ଆସିଥିଲେ । ଏଥର ନିର୍ବାଚନ ପାଇଁ ଘୋଷିତ ପ୍ରାର୍ଥୀ ତାଲିକାରେ ଏଯାବତ୍ କଂଗ୍ରେସଦଳର କୌଣସି ପ୍ରାର୍ଥୀ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାରରୁ ନାହାନ୍ତି । ତେବେ ଆଜିର ଦିନରେ ହେମାନନ୍ଦ ବିଶ୍ୱାଳ, ଗିରିଧର ଗମାଙ୍ଗ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦାୟାଦମାନେ କଂଗ୍ରେସ ଦଳରେ ରହିଛନ୍ତି । କଂଗ୍ରେସର ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାପରେ ସେଥିରେ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାରରୁ କାହାର ନାମ ରହୁଛି କି ନାହିଁ ତହା ସ୍ପଷ୍ଟହେବ ।
ବିଜେପିର ପ୍ରାର୍ଥୀ ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁତ୍ର ଭର୍ତ୍ତୃହରି ମହତାବଙ୍କ ନାମ ରହିଛି । ସେ ବିଜେଡି ଟିକଟରେ ଛଅ ଥର ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ଏବେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ।
୧୯୯୭ ମସିହାରେ ବିଜେଡି ଗଠିତ ହେବାବେଳେ ସେଥିରେ ୫ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବିଜେଡିର ପ୍ରତିଷ୍ଠାତା ସଭପତି ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ପୁଅ । ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁଅ ଭର୍ତ୍ତୃହରି, ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପୁଅ ଅନଙ୍ଗ ଉଦୟ ସିଂହଦେଓ, ନନ୍ଦିନୀ ଶତପଥୀଙ୍କ ପୁଅ ତଥାଗତ ଶତପଥୀ ଓ ନୀଳମଣି ରାଉତରାୟଙ୍କ ପୁଅ ବିଜୟଶ୍ରୀ ରାଉତରାୟ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଥିଲେ । ଏବେ ନବୀନ ବାବୁ ବିଜେଡିର ସୁପ୍ରିମୋ ସହିତ ମୁଖ୍ୟମନ୍ତ୍ରୀ ଅଛନ୍ତି ଏବଂ ଏଥର ପୁଣିଥରେ ତାଙ୍କ ପାରମ୍ପରିକ ଆସନ ହିଞ୍ଜିଳିରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନାତି ତଥା ପୂର୍ବତନ ସାଂସଦ କଳିକେଶ ସିଂହଦେଓ ବଲାଙ୍ଗିର ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ଘୋଷିତ ହୋଇଥିବାବେଳେ ନୀଳମଣି ରାଉତରାୟଙ୍କ ବିଷ୍ଣୁବ୍ରତ ରାଉତରାୟ ତାଙ୍କ ଆସନ ବାସୁଦେବପୁରରୁ ପୁଣି ବିଜେଡି ପ୍ରାର୍ଥୀ ହୋଇଛନ୍ତି ।
କଂଗ୍ରେସ ସରକାରରେ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ଗିରିଧର ଗମାଙ୍ଗ ସପରିବାର ବିଜେପିକୁ ଆସି କିଛିଦିନ ବିତାଇବା ପରେ ପୁଣି କଂଗ୍ରେସକୁ ଘରବାହୁଡା କରିଥିଲେ ମଧ୍ୟ ଗିରିଧର କିମ୍ବା ତାଙ୍କ ପରିବାରରୁ କାହାକୁ ଏଯାବତ୍ ଦଳ ଟିକଟ ଦେଇନାହିଁ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅ ୨୦୧୯ରେ ନିର୍ବାଚନ ଲଢିଥିଲେ । ଏମାନଙ୍କ ଭିତରୁ ଜଣେ କଂଗ୍ରେସ ପ୍ରାର୍ଥୀଭାବେ ବିଧାନସଭା ଓ ଅନ୍ୟଜଣେ ବିଜେଡି ପ୍ରାର୍ଥୀଭାବେ ସୁନ୍ଦରଗଡରୁ ଲୋକସଭା ନିର୍ବାଚନ ଲଢିଥିଲେ । ଏଥର କିନ୍ତୁ ବିଶ୍ୱାଳଙ୍କ ପରିବାରରୁ ଏଯାବତ୍ ଟିକଟ ଦିଆଯାଇନାହିଁ । (ତଥ୍ୟ)