ଭୁବନେଶ୍ୱର : କିଛି ଦିନର ନିରବତା ପରେ ରାଜଧାନୀର ବିଭିନ୍ନ ଛକରେ ଭିକାରୀମାନେ ପୁଣି ଥରେ ହାତ ପତାଇବା ଆରମ୍ଭ କରିଛନ୍ତି । ଏଥର ବୟସ୍କ ଭିକାରୀଙ୍କ ବଦଳରେ କୁନି କୁନି ପିଲାମାନେ ଗାଡିମୋଟର ନିକଟକୁ ଆସି ପଇସା ମାଗୁଛନ୍ତି ।
ରାଜଧାନୀକୁ ଭିକାରୀମୁକ୍ତ କରିବାପାଇଁ ଭୁବନେଶ୍ୱର ମହାନଗର ନିଗମ ଆରମ୍ଭ କରିଥିଲା ଭିକାରୀମୁକ୍ତ ଅଭିଯାନ । ସହରର ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ବିଏମ୍ସିର ଆଶ୍ରୟସ୍ଥଳୀକୁ ନିଆଯାଇଥିଲା । ସେଠାରେ ସେମାନଙ୍କ ପାଇଁ ରହିବା ଓ ଖାଇବାର ବ୍ୟବସ୍ଥା ସହିତ ରୋଜଗାରକ୍ଷମ ପାଇଁ ବିଭିନ୍ନ ତାଲିମ ଦିଆଯାଇଥିଲା । ଏଥିଯୋଗୁଁ ସହରରେ କିଛିଦିନ ଧରି ଭିକାରୀମାନେ ଦେଖାଯାଉନଥିଲେ । ଏହି ଯୋଜନା ପରେ ଯେଉଁସବୁ ସ୍ଥାନରେ ଭିକାରୀ ଦେଖାଯାଉଥିଲେ ସେମାନଙ୍କୁ ତୁରନ୍ତ ପୁଲିସ୍ ସହାୟତାରେ ଆଶ୍ରୟସ୍ଥଳକୁ ଅଣାଯାଉଥିଲା ।
ବିଏମ୍ସି ଓ କମିଶନରେଟ ପୁଲିସ୍ର କଠୋର ପଣ ଯୋଗୁଁ କିଛି ଦିନ ଭିକାରୀ ଶୂନ୍ୟ ହୋଇଥିବା ରାଜଧାନୀର ବିଭିନ୍ନ ଛକରେ ଏବେ କୁନି କୁନି ଭିକାରୀମାନେ ପଇସା ମାଗିବା ଆରମ୍ଭ କରିଦେଇଛନ୍ତି । ଆଠ ଦଶବର୍ଷର ଛୋଟ ଛୋଟ ପିଲା କାଖରେ କଅଁଳିଆ ପିଲାକୁ ଧରି ଧୂ ଧୂ ଖରାରେ ଗାଡି ଚାଳକମାନଙ୍କ ଠାରୁ ସହାୟତା ମାଗୁଛି । ଆଖପାଖରେ ଆଉ କିଛି ପିଲା ପରିସ୍ଥିତି ଉପରେ ନଜର ରଖିବାପାଇଁ ଗାଡି ପୋଛିବାର ବାହାନା କରୁଛନ୍ତି । ସେମାନେ ବି ଗାଡିର କାଚ ପୋଛିବା ନାଁରେ ହାତ ପତାଉଛନ୍ତି ।
ତେବେ ଏହି ଛୋଟ ଛୋଟ ଭିକାରୀଙ୍କ ପଛରେ ବଡ ର୍ୟାକେଟ୍ ଥିବା ସ୍ୱେଚ୍ଛାସେବୀମାନେ ଅଭିଯୋଗ କରୁଛନ୍ତି । ସେମାନଙ୍କ କହିବା ଅନୁଯାୟୀ ର୍ୟାକେଟରେ ଥିବା ବଡ ବଡ ଲୋକେ ଅଛନ୍ତି । ସକାଳେ ହେଲେ ଛୋଟ ଛୋଟ ପିଲାଙ୍କୁ ବିଭିନ୍ନ ଛକ ସ୍ଥାନରେ ଭିକ ମାଗିବାପାଇଁ ଆଣି ଛାଡି ଦେଉଛନ୍ତି । କାହା ହାତରେ ମୁଣା ତ ଆଉ କାହା କାଖରେ କଅଁଳିଆ ପିଲାଙ୍କୁ ଧରାଇ ଦେଉଛନ୍ତି । ଛକ ଠାରୁ କିଛି ଦୂରରେ ରହି ଏମାନଙ୍କ ଉପରେ ନଜର ରଖୁଛନ୍ତି । କାଳେ ପୁଲିସ୍ କିମ୍ବା ବିଏମ୍ସି ଅଧିକାରୀ ଆସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେଥିପାଇଁ ଆଉ କିଛି ପିଲାଙ୍କୁ ଆଖପାଖରେ ଗାଡି କାଚ ପୋଛିବା ଓ ସାମଗ୍ରୀ ବିକ୍ରି ଭଳି କାମରେ ଲଗାଉଛନ୍ତି । ସଂଧ୍ୟା ହେଲେ ଏହିପିଲାଙ୍କୁ ସାଙ୍ଗରେ ନେଇ ଯାଉଛନ୍ତି ।
ତେଣୁ କୁନି କୁନି ପିଲାଙ୍କୁ ଭିକମଗା ଭଳି ଘୃଣ୍ୟ କାର୍ଯ୍ୟରେ ନିୟୋଜିତ କରୁଥିବା ଲୋକଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତପ୍ରକାଶ ପାଉଛନ୍ତି । ତେବେ ହାତ ପାତୁଥିବା ପିଲାଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବାହାର ରାଜ୍ୟର । ଏହି ପିଲାମାନଙ୍କୁ ଏଭଳି ତାଲିମ ଦିଆଯାଇଛି କୌଣସି ପ୍ରଶ୍ନ କଲେ ଉତ୍ତର ଦେବା ବଦଳରେ ସେମାନେ ମୂକ ଭଳି ଅଭିନୟ କରୁଛନ୍ତି ଏବଂ ତୁରନ୍ତ ସେ ସ୍ଥାନ ଛାଡି ପଳାଉଛନ୍ତି ।
ବର୍ତ୍ତମାନ ରାଜଧାନୀର ତାପମାତ୍ରା ବଢି ଚାଲିଥିବାବେଳେ ଧୂ ଧୂ ଖରାରେ ସହାନୁଭୂତି ଆଶାରେ ଏହି କୋମଳମତି ପିଲାମାନେ ଯେଭଳି ଫୁଙ୍ଗୁଳା ଦେହରେ ଭିକ ମାଗୁଛନ୍ତି ସେମାନଙ୍କୁ ଏଥିରୁ ନିବୃତ୍ତ କରାନଗଲେ ଅଂଶୁଘାତ ଭଳି ଅଘଟଣ ଘଟିପାରେ । ତେଣୁ ବିଏମ୍ସି ଓ କମିଶନରେଟ ପୁଲିସ୍ ପକ୍ଷରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବା ସହିତ ଏହି ଭିକାରୀ ର୍ୟାକେଟର ସର୍ଦ୍ଦାରମାନଙ୍କୁ ଧରିବାପାଇଁ ମତପ୍ରକାଶ ପାଉଛି । (ତଥ୍ୟ)