Home News in Odia କାହାର କେତେ ମହିଳା ପ୍ରାର୍ଥୀ

କାହାର କେତେ ମହିଳା ପ୍ରାର୍ଥୀ

ଭୁବନେଶ୍ୱର : ଏଥର ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଓଡ଼ିଶାରୁ ଅଧିକ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ କରିବେ ବୋଲି ଆଶା ରଖିଥିବା ନେତ୍ରୀମାନେ ହତାସ ହେବାରେ ଲାଗିଛନ୍ତି । ଗତ ନିର୍ବାଚନରେ ଓଡ଼ିଶାରୁ ଲୋକସଭା ପାଇଁ ବିଜୁ ଜନତା ଦଳ ଏକ ତୃତୀୟାଂଶ ଆସନରେ ମହିଳା ପ୍ରାର୍ଥୀ ଛିଡା କରିଥିବାବେଳେ ଦୀର୍ଘ ଦଶନ୍ଧିର ଲଢେଇ ପରେ ବିଧାନସଭା ଓ ସଂସଦରେ ମହିଳାଙ୍କ ଲାଗି ଏକ ତୃତୀୟାଂଶ ଆସନ ସଂରକ୍ଷଣ ଲାଗି ଆଇନ ପାରିତ ହୋଇଥିବା ପରିପ୍ରେକ୍ଷୀରେ ପ୍ରାୟ ସବୁ ଦଳର ନାରୀନେତ୍ରୀମାନଙ୍କ ମଧ୍ୟରେ ନିର୍ବାଚନ ଲଢିବା ପାଇଁ ଅଧିକ ଆଗ୍ରହ ପ୍ରକାଶ ପାଇଥିଲା ।

ଏହି ନୂଆ ଆଇନ ସଂସଦରେ ପାରିତ ହେବା ସହ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ ପରେ ବି ତ୍ୱରିତ ଲାଗୁ ନହୋଇ ଜନଗଣନା ପରେ ୨୦୨୯ ବେଳକୁ ଲାଗୁ ହୋଇପାରେ ବୋଲି କୁହାଯାଉଥିବାବେଳେ ରାଜନୈତିକ ଦଳମାନେ ଅଧିକ ସଂଖ୍ୟକ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବେ ବୋଲି ଆଶା କରାଯାଉଥିଲା । ତେବେ ବିଭିନ୍ନ ଦଳର ନେତାମାନେ କହୁଛନ୍ତି ଯେ ମହିଳାଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇନଥିବାବେଳେ ବିଜୟ ସମ୍ଭାବନାକୁ ଆଖି ଆଗରେ ରଖି ପ୍ରାର୍ଥୀ ଚୟନ କରାଯାଉଛି ।

ରାଜ୍ୟର ୨୧ଟି ଯାକ ଲୋକସଭା ଆସନ ପାଇଁ ଇତି ମଧ୍ୟରେ ବିଜେପି ତାହାର ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଏଥିମଧ୍ୟରେ ମାତ୍ର ୪ଜଣ ମହିଳାଙ୍କ ନାମ ରହିଛି । ସଙ୍ଗୀତା କୁମାର ସିଂଦେଓ ବଲାଙ୍ଗୀରରୁ, ମାଳବିକା କେଶରୀ ଦେଓ କଳାହାଣ୍ଡିରୁ, ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରରୁ ଓ ଅନିତା ଶୁଭଦର୍ଶିନୀ ଆସ୍କାରୁ ବିଜେପି ପ୍ରାର୍ଥୀ ଘୋଷିତ ହୋଇଛନ୍ତି । କଂଗ୍ରେସ ଘୋଷଣା କରିଥିବା ୮ଟି ଲୋକସଭା ଆସନର ପ୍ରାର୍ଥୀ ତାଲିକାରେ ଜଣେ ମାତ୍ର ମହିଳା ପ୍ରାର୍ଥୀ ଅଛନ୍ତି । ଦ୍ରୌପଦୀ ମାଝୀଙ୍କୁ କଳାହାଣ୍ଡି ଲୋକସଭା କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ କରୁଛି ।

ଅନ୍ୟପକ୍ଷରେ ବିଜୁ ଜନତା ଦଳ ଏଯାବତ୍‍ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ସେଥିମଧ୍ୟରେ ୪ଜଣ ମହିଳାଙ୍କ ନାମ ରହିଛି । ଏମାନେ ହେଲେ କୋରାପୁଟରୁ କୌଶଲ୍ୟା ହିକ୍‍କା, ଆସିକାରୁ ରଞ୍ଜିତା ସାହୁ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ ଓ ଯାଜପୁରରୁ ଶର୍ମିଷ୍ଠା ସେଠୀ । କଂଗ୍ରେସ ଓ ବିଜେଡି ଅବଶିଷ୍ଟ ଲୋକସଭା ଆସନରୁ କେଉଁ ମହିଳାଙ୍କୁ ପ୍ରାର୍ଥୀ କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ।

ରାଜ୍ୟର ୧୪୭ଟି ବିଧାନସଭା ଆସନ ମଧ୍ୟରୁ ଏଯାବତ୍‍ ବିଜେଡି ୭୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବାବେଳେ ସେମାନଙ୍କ ମଧ୍ୟରେ ୧୨ଜଣ ମହିଳା ଅଛନ୍ତି । ସେହିଭଳି ବିଜେପି ଘୋଷଣା କରିଥିବା ଓଡ଼ିଶାର ୧୧୨ଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ମଧ୍ୟରୁ ୮ଜଣ ମହିଳା ଥିବାବେଳେ କଂଗ୍ରେସର ୪୭ଜଣିଆ ପ୍ରାର୍ଥୀ ତାଲିକାରେ ୫ଜଣ ମହିଳାଙ୍କ ନାମ ରହିଛି ।

ବିଜେଡି ରାୟଗଡାରୁ ଅନୂସୟା ମାଝୀ, ବିଜେପୁରରୁ ରୀତା ସାହୁ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ବସ୍ତାରୁ ଶୁଭାସିନୀ ଜେନା, ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ଯାଜପୁରରୁ ସୁଜାତା ସାହୁ, ଟିଟିଲାଗଡ଼ରୁ ଟୁକୁନି ସାହୁ, ଉମରକୋଟରୁ ନବୀନା ନାୟକ, ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ, ଭବାନୀପାଟଣାରୁ ଲତିକା ନାୟକ, କବିସୂର୍ଯ୍ୟନଗରରରୁ ଲତିକା ପ୍ରଧାନ ଓ ସୋରଡାରୁ ସଂଘମିତ୍ରା ସ୍ୱାଇଁଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ସୁନ୍ଦରଗଡ଼ରୁ କୁସୁମ ଟେଟେ, ବଣାଇରୁ ସେବତୀ ନାୟକ, ବିଞ୍ଝାରପୁରରୁ ବବିତା ମଲ୍ଲିକ, ଧର୍ମଶାଳାରେ ସ୍ମୃତିରେଖା ପହି, ବାଲିଗୁଡାରୁ କଳ୍ପନା କୁମାରୀ କହଁର, ନିମାପଡାରୁ ପ୍ରଭାତୀ ପରିଡା, ବ୍ରହ୍ମଗିରିରୁ ଉପାସନା ମହାପାତ୍ରଙ୍କୁ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ କରିଛି ।

ଅନ୍ୟପକ୍ଷରେ କଂଗ୍ରେସ ସୁନ୍ଦରଗଡ଼ରେ ସୁଧାରାଣୀ ରାଉଡିଆ, ଡାବୁଗାଁରେ ଡ. ଲିପିକା ମାଝୀ, ଧର୍ମଗଡରେ ରଶ୍ମିରେଖା ରାଉତ, ଫୁଲବାଣୀରେ ପ୍ରତିଭା କହଁର ଓ ମାଲକାନଗିରିରେ ମାଲା ମାଢିଙ୍କ ଭଳି ନାରୀନେତ୍ରୀଙ୍କୁ ପ୍ରାର୍ଥୀ କରିଛି । କଳାହାଣ୍ଡି ଓ ଆସିକା ସଂସଦୀୟ କ୍ଷେତ୍ରରେ ମହିଳା ପ୍ରାର୍ଥୀମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଥିବାବେଳେ ସୁନ୍ଦରଗଡ଼, ବିଞ୍ଝାରପୁର ଆଦି ବିଧାନସଭା କ୍ଷେତ୍ରରେ ମଧ୍ୟ ବିଭିନ୍ନ ଦଳର ମହିଳା ପ୍ରାର୍ଥୀଙ୍କ ଭିତରେ ଜୋରଦାର ଲଢେଇ ହୋଇପାରେ । ତେବେ ବିଭିନ୍ନ ରାଜନୈତିକ ଦଳ ମହିଳା କାର୍ଡ ଖେଳୁଥିବାବେଳେ ଏଯାବତ୍‍ ଘୋଷିତ ପ୍ରାର୍ଥୀ ତାଲିକାରେ କାହାର ବି ଏକ ତୃତୀୟାଂଶ ମହିଳା ନାହାନ୍ତି । (ତଥ୍ୟ)