ଭୁବନେଶ୍ୱର : ଲୋକସଭା ଓ ବିଧାନସଭା ନିର୍ବାଚନ ର କିଛି ଦିନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଆଜି ଦଳରୁ ଇସ୍ତଫା ଦେଇଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲାର ଲୋକପ୍ରିୟ ଦଳିତ ନେତା ଶ୍ରୀ ବେହେରା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
ସେ ଦଳର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେବା ସହ ତାଙ୍କ ଇସ୍ତଫା ଗ୍ରହଣ କରିବାକୁ ଓପିସିସି ମୁଖ୍ୟଙ୍କୁ ଅନୁରୋଧ କରିଥିଲେ। ତାଙ୍କୁ ଲୋକଙ୍କ ସେବା କରିବାର ସୁଯୋଗ ଦେବା, ବିଧାୟକ ଭାବେ ନିର୍ବାଚିତ କରିବା ଓ ବିଭିନ୍ନ ପଦବୀରେ ନିଯୁକ୍ତି ଦେଇଥିବାରୁ ଶ୍ରୀ ବେହେରା କଂଗ୍ରେସ ଦଳକୁ ଧନ୍ୟବାଦ ଜଣାଇଛନ୍ତି।
ଶ୍ରୀ ବେହେରା ୧୯୮୫ ଓ ୧୯୯୫ରେ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୧୯ରୁ ୨୦ ପର୍ଯ୍ୟନ୍ତ ଅଳ୍ପ ସମୟ ପାଇଁ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କୁ ରାଜ୍ୟ କଂଗ୍ରେସର ଅନ୍ୟତମ ଆଗଧାଡ଼ିର ନେତା ଭାବେ ବିବେଚନା କରାଯାଉଥିଲା।
ଉପକୂଳ ଓଡ଼ିଶାର ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସରୁ ଶାସକ ବିଜେଡିରେ ଯୋଗଦେବାର ମାତ୍ର ଦୁଇ ଦିନ ପରେ ଶ୍ରୀ ବେହେରା ଇସ୍ତଫା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଖୁବଶୀଘ୍ର ବିଜେଡିରେ ଯୋଗ ଦେଇପାରନ୍ତି କଂଗ୍ରେସ ନେତା ।
ଜଣଙ୍କ ପରେ ଜଣେ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡୁଥିବାରୁ ଆଗାମୀ ନିର୍ବାଚନରେ ବିଜେଡି ଓ ବିଜେପି ବିରୋଧରେ କଡ଼ା ଟକ୍କର ଦେଇପାରିବ ନାହିଁ ବୋଲି ମନେ ହେଉଛି। ଓଡ଼ିଶାରେ ପ୍ରାୟ ସବୁ ନିର୍ବାଚନମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ ଦ୍ୱିପାକ୍ଷିକ ଲଢ଼େଇ ହେବା ପ୍ରାୟ ନିଶ୍ଚିତ।