ଭୁବନେଶ୍ୱର : ରାଜଧାନୀର ତିନି ପ୍ରମୁଖ ରାଜନୈତିକ ଦଳର ଦପ୍ତର ପାଖରେ ଏବେ ବ୍ୟବସାୟୀମାନଙ୍କ ବେପାର ଜମୁଛି । ଆଖପାଖରେ ଥିବା ହୋଟେଲରେ ବସିବାକୁ ସ୍ଥାନ ଟିକେ ମିଳୁନଥିବାବେଳେ ଉଠା ଦୋକାନୀମାନେ ବି ଭଲ ଦୁଇପଇସା ରୋଜଗାର କରୁଛନ୍ତି ।
ତିନି ଦଳର ବିଧାନସଭା ଟିକଟ ଆଶାୟୀମାନେ ଏବେ ରାଜଧାନୀରେ ନିଜର ଦଳ ବଳ ସହ ଡେରା ପକାଇଛନ୍ତି । କିଏ ବିଧାୟକଙ୍କ ଘରେ ତ ଆଉ କିଏ ହୋଟେଲରେ । ହେଲେ ଦିନ ବେଳା ଦଳ ଦଳ ହୋଇ ଦଳୀୟ କାର୍ଯ୍ୟାଳୟ ଆଗରେ ପଇଁତରା ମାରୁଛନ୍ତି । ଖାଇବା ସମୟ ହେଲେ ଆଖପାଖରେ ଥିବା ହୋଟେଲରେ ଭର୍ତ୍ତି ହୋଇଯାଉଛନ୍ତି । ସହରରେ ପ୍ରଚଣ୍ଡ ଖରା ଯୋଗୁଁ ଲୋକେ ଘରୁ ବାହାରି ପାରୁନଥିବାରୁ ହୋଟେଲ ବ୍ୟବସାୟ ନେଇ ମାଲିକମାନେ ଚିନ୍ତାରେ ଥିଲେ । ହେଲେ ରାଜନୈତିକ ନେତା ଓ କର୍ମୀମାନଙ୍କ ଭିଡ ଯୋଗୁଁ ଏବେ ବ୍ୟବସାୟ ବଢିବାରେ ଲାଗିଛି ।
କେବଳ ହୋଟେଲ ନୁହେଁ ରାଜନୈତିକ ଦଳର ଦପ୍ତର ଆଖପାଖରେ ଉଠାଦୋକାନୀମାନେ ମଧ୍ୟ ଭଲ ବେପାର କରୁଛନ୍ତି । ସକାଳ ଜଳଖିଆ ସାଙ୍ଗକୁ ସଂଧ୍ୟା ସମୟରେ ଛଣାଛଣି ବ୍ୟବସାୟ କରୁଥିବା ଉଠା ଦୋକାନୀମାନଙ୍କ ନିକଟରେ ବି ଅସମ୍ଭବ ଗହଳି ହେଉଛି । ତେଣୁ ଏହି ଉଠାଦୋକାନୀମାନେ ପୂର୍ବାପେକ୍ଷା ଅଧିକ ସାମଗ୍ରୀ ଧରି ଆସୁଥିବା ଦେଖିବାକୁ ମିଳୁଛି । ଏଥି ସହିତ ଆଖପାଖରେ ଥିବା ମନ୍ଦିରଗୁଡିକରେ ନିରାମିଷାସି ମାନଙ୍କର ମଧ୍ୟ ଭିଡ ପରିଲକ୍ଷିତ ହେଉଛି ।
ସେହିଭଳି ସହରରେ ଥିବା ବିଭିନ୍ନ ମଦ ଦୋକାନଗୁଡିକରେ ମଧ୍ୟ ପୂର୍ବାପେକ୍ଷା ଅଧିକ ଭିଡ ପରିଲକ୍ଷିତ ହେଉଛି । ଚାରିନମ୍ବର, ରାମମନ୍ଦିର, କ୍ୟାପିଟାଲ ହସ୍ପିଟାଲ, ବାପୁଜିନଗର, ଷ୍ଟେସନସ୍କୋୟାର ଆଦି ନିକଟରେ ଥିବା ମଦ ଦୋକାନୀରେ ପ୍ରବଳ ଭିଡ ହେଉଛି । ଏଠାରେ ଭିଡ ଜମାଉଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ ଜିଲ୍ଲା ବାହାରୁ ଆସୁଥିବା ଦେଖିବାକୁ ମିଳୁଛି ।
ଇତି ମଧ୍ୟରେ ବିଜେଡି ତାହାର ପ୍ରଥମ ୧୫ଟି ଲୋକସଭା ଓ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ବିଜେପି ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଯେକୌଣସି ମୂହୂର୍ତ୍ତରେ ବିଜେପିର ବିଧାନସଭା ଓ ବିଜେଡିର ଅବଶିଷ୍ଟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ର୍ନିବାଚନମଣ୍ଡଳୀର ଆଶାୟୀମାନେ ରାଜଧାନୀକୁ ଛୁଟି ଆସୁଛନ୍ତି । ଏମାନେ ଦିନ ଦିନ ଧରି ରାଜଧାନୀରେ ଡେରା ପକାଉଥିବାରୁ ଖାଇବା ପିଇବାପାଇଁ ଆଖପାଖ ଦୋକାନରେ ଗହଳି ଲଗାଉଛନ୍ତି ।
ତେବେ ଟିକଟ ଘୋଷଣା ତାରିଖ ଘୁଞ୍ଚି ଘୁଞ୍ଚ ଯାଉଥିବାରୁ କର୍ମୀମାନଙ୍କୁ ନେଇ ରାଜଧାନୀ ଆସିଥିବା ନେତାଙ୍କ ଖର୍ଚ୍ଚ ବଢିବାରେ ଲାଗିଛି । ଇତି ମଧ୍ୟରେ କେତେକ ନେତା ନିଜ ସାଥିରେ ଆସିଥିବା କର୍ମୀଙ୍କୁ ପଠାଇ ନିଜେ ଡେରା ପକାଇଥିବାବେଳେ ଆଉ କେତେକ ନେତା ଖର୍ଚ୍ଚକୁ ଖାତିର ନକରି ନିଜର ପତିଆରା ପ୍ରଦର୍ଶନରେ ଲାଗିଛନ୍ତି । ଏଭଳି ଗହଳି ଆଉ କିଛିଦିନ ଲାଗି ରହିବ ବୋଲି କୁହାଯାଉଛି । (ତଥ୍ୟ)