ଭୁବନେଶ୍ୱର : ଭାଜପା ଓ ବିଜେଡି ଓଡିଶା ପାଇଁ ସେମାନଙ୍କର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଳିକା ଘୋଷଣା କରିସାରିଥିବାବେଳେ ଏବେ ସମସ୍ତଙ୍କ ନଜର କଂଗ୍ରେସ ଓ ତାହାର ମେଣ୍ଟ ଦଳମାନଙ୍କ ପ୍ରାର୍ଥୀ ତାଲିକା ଉପରେ ।

ଭାଜପା ଓଡିଶାର ୨୧ଟି ଲୋକସଭା କ୍ଷେତ୍ର ମଧ୍ୟରୁ ୧୮ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ଏଯାବତ୍‍ କିନ୍ତୁ କୌଣସି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିନାହିଁ । ଇତି ମଧ୍ୟରେ ବିଜେଡି ୧୫ଟି ଲୋକସଭା ଆସନ ସହିତ ୭୨ଟି ବିଧାନସଭା ଆସନ ପାଇଁ ତାଲିକା ଘୋଷଣା କରିଛି ।

ଭାଜପା ୧୪୭ଟି ଯାକ ବିଧାନସଭା ଆସନ ସମେତ ଅବଶିଷ୍ଟ ୩ଟି ଲୋକସଭା ଆସନ ଲାଗି କେବେ ପ୍ରାର୍ଥୀ ତାଲିକା ଘୋଷଣା କରିବ ସେଥିଘେନି ସ୍ପଷ୍ଟ ସୂଚନା ମିଳୁନଥିଲେ ବି ପ୍ରଥମ ପର୍ଯ୍ୟାୟରେ ଯେଉଁସବୁ ଆସନ ପାଇଁ ନିର୍ବାଚନ ହେବ ସେସବୁର ପ୍ରାର୍ଥୀମାନଙ୍କ ତାଲିକା ଖୁବ୍‍ଶୀଘ୍ର ପ୍ରକାଶ କରାଯିବ ବୋଲି ଦଳର ନେତାମାନେ କହୁଛନ୍ତି । ଓଡିଶା ପାଇଁ ଏହି ଦଳର ସମସ୍ତ ପ୍ରାର୍ଥୀଙ୍କ ନାମ କେନ୍ଦ୍ରକୁ ପଠାଯାଇ ସାରିଛି । ତେବେ ଠିକଣା ସମୟରେ କେନ୍ଦ୍ରୀୟ ନିର୍ବାଚନ କମିଟି ଠିକଣା ନିଷ୍ପତ୍ତି ନେବେ ବୋଲି ଦଳୀୟ ନେତାମାନେ ଆଶା ରଖିଛନ୍ତି ।

ବିଜେଡି ଅବଶିଷ୍ଟ ୬ଟି ଲୋକସଭା ଓ ୭୫ଟି ବିଧାନସଭା ଆସନ ପାଇଁ ତାହାର ପ୍ରାର୍ଥୀ ତାଲିକା ଚୂଡାନ୍ତ ପାଇଁ ପ୍ରକ୍ରିୟା ଜାରି ରଖିଛି । ବିଶେଷକରି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବରିଷ୍ଠ ନେତା ଭି କେ ପାଣ୍ଡିଆନ ଏବଂ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ତାଲିକା ଚୂଡାନ୍ତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି । ଇତି ମଧ୍ୟରେ ପ୍ରାୟ ସମସ୍ତ ଲୋକସଭା ଓ ତାହା ଅର୍ନ୍ତଗତ ବିଧାନସଭା କ୍ଷେତ୍ରଗୁଡିକର ନେତୃମଣ୍ଡଳୀ, ମନ୍ତ୍ରୀ, ବିଧାୟକ, ପର୍ଯ୍ୟବେକ୍ଷକ, ଦଳୀୟ କର୍ମକର୍ତ୍ତା ଓ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ବୈଠକ ବିଜେଡି ଶେଷ କରିଛି ।

କଂଗ୍ରେସ ନେତୃତ୍ୱରେ ପରିଚାଳିତ ଇଣ୍ଡି ମେଣ୍ଟ ୧୪୭ଟି ଯାକ ଆସନରୁ ପ୍ରାର୍ଥୀ ଦେବ ଏବଂ ବିଧାନସଭାରେ ତାହାର ଆସନ ସଂଖ୍ୟା ୯ ରୁ ୯୦କୁ ବୃଦ୍ଧି କରି ଓଡିଶାରେ ସରକାର ଗଢିବ ବୋଲି ଦଳ ପକ୍ଷରୁ ବାରମ୍ବାର କୁହାଯାଉଛି । ମେଣ୍ଟଭୁକ୍ତ କେତେକ ବାମପନ୍ଥୀ ଦଳ ଇତି ମଧ୍ୟରେ ନିଜ ଆଡୁ ଲଢିବାକୁ ଥିବା ଆସନର ନାମ ଘୋଷଣା କରିଛନ୍ତି । ଏହି ମେଣ୍ଟରେ ଆପ୍‍, ଆରଜେଡି, ସମାଜବାଦୀ ପାର୍ଟି, ସିପିଆଇ, ସିପିଏମ୍‍, ସିପିଆଇଏମଏଲ୍‍, ଶରଦ ପାୱାରଙ୍କ ଏନ୍‍ସିପି, ଜେଏମଏମ ଆଦି ଦଳ ସଦସ୍ୟ ରହିଛନ୍ତି । ଅଧିକାଂଶ ଦଳ କିଛି କିଛି ଆସନ ଦାବି କରୁଛନ୍ତି । ଇଣ୍ଡି ମେଣ୍ଟର ନେତୃତ୍ୱ ନେଉଥିବା କଂଗ୍ରେସ କେତୋଟି ବିଧାନସଭା ଓ ଲୋକସଭା ଆସନରେ ଲଢିବ ଓ ସହଯୋଗୀ ଦଳମାନଙ୍କୁ କେଉଁଠାରେ କେତୋଟି ଆସନ ଛାଡିବ ସେ ସଂକ୍ରାନ୍ତରେ କିଛି ଘୋଷଣା କରାଯାଇନାହିଁ ।

ତେବେ ଭାଜପା ଓ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିବାପରେ କେନ୍ଦ୍ରୀୟ ନେତାଙ୍କ ଅନୁମୋଦନକ୍ରମେ କଂଗ୍ରେସ ଓ ଇଣ୍ଡିମେଣ୍ଟ ପ୍ରାର୍ଥୀ ତାଲିକା ପ୍ରକାଶ କରିବେ ବୋଲି ପୂର୍ବରୁ ସୂଚନା ଦେଇଥିବା ପରିପ୍ରେକ୍ଷୀରେ ଏବେ ସମସ୍ତଙ୍କ ନଜର ଏହା ଉପରେ ରହିଛି । ଇତି ମଧ୍ୟରେ ଏସୟୁସିଆଇ, ସମୃଦ୍ଧ ଓଡିଶା ଓ ଜେଏମଏମ କେତେକ ଆସନ ପାଇଁ ସେମାନଙ୍କର ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବାବେଳେ କଳିଙ୍ଗସେନା ସମେତ ଆଉ କେତେକ ଦଳ ବି ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରୁଛନ୍ତି । ମୋଟାମୋଟି ଭାବେ ଏଥର ଓଡିଶାରେ ଅଧିକାଂଶ ଆସନରେ ବହୁ କୋଣୀୟ ପ୍ରତିଦ୍ୱନ୍ଦିତା ହେବା ଏକ ପ୍ରକାର ନିଶ୍ଚିତ । (ତଥ୍ୟ)