Home General ସହରରୁ ଝୁମ୍ପୁଡି ହଟିଲାନି

ସହରରୁ ଝୁମ୍ପୁଡି ହଟିଲାନି

ଭୁବନେଶ୍ୱର : ରାଜଧାନୀକୁ ବସ୍ତିମୁକ୍ତ କରିବା ସହିତ ଝୁମ୍ପୁଡି ହଟାଇବାପାଇଁ ଜାଗା ମିଶନ ଜରିଆରେ ଜମିର ସତ୍ୱାଧିକାର ପ୍ରଦାନ କରାଯାଇଥିଲେ ମଧ୍ୟ ସହରରେ ବସ୍ତି ସଂଖ୍ୟା କମୁନାହିଁ କି ଝୁମ୍ପୁଡି ହଟୁନାହିଁ । ଯେଉଁମାନେ ଆବାସ ଯୋଜାନରେ ଘର ପାଇଛନ୍ତି ସେମାନଙ୍କ ପରିବାର ସେଠାକୁ ସମ୍ପୂର୍ଣ୍ଣ ଭାବେ ଯାଉନଥିବାବେଳେ ଆଗାମୀ ଦିନରେ ଜମି ପାଇବାପାଇଁ ନୂଆ ନୂଆ ବସ୍ତି ବି ଗଢି ଉଠୁଛି ।

ରାଜଧାନୀରେ ବସ୍ତି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସେମାନେ ଘର କରିଥିବା ଜମିର ସାର୍ଟିଫିକେଟ ପ୍ରଦାନ କରାଯାଇଛି । ପ୍ରତ୍ୟେକ ଲୋକଙ୍କୁ ୪୮୪ ବର୍ଗଫୁଟ ଜମିର ପ୍ରମାଣପତ୍ର ମିଳୁଛି । ତେବେ ଏହି ପ୍ରମାଣପତ୍ର ପାଇବାପରେ ଝୁମ୍ପୁଡି ଘରେ ରହୁଥିବା ଲୋକେ ସେହି ଘରକୁ ଭାଙ୍ଗିବାକୁ ନାରାଜ । କାରଣ ଅଧିକାଂଶ ବସ୍ତିରେ ଲୋକେ ନିଜ ଏବଂ ନିଜ ସମ୍ପର୍କୀୟଙ୍କ ନାମରେ ଘର ତିଆରି କରି ସେଠାରେ ରହୁଛନ୍ତି । ବର୍ତ୍ତମାନ ସେମାନଙ୍କୁ ଯେତିକି ଜମି ମିଳିଛି ସେଥିରେ ଘର କରି ରହିବା କଷ୍ଟକର ବୋଲି ସେମାନେ ଖୋଲାଖୋଲି ଭାବେ କହୁଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ୨ଲକ୍ଷରୁ ଅଧିକ ଲୋକଙ୍କୁ ଜମି ପ୍ରମାଣପତ୍ର ଦିଆଯାଇ ସାରିଲାଣି । ହେଲେ ପ୍ରମାଣପତ୍ର ପାଇଥିବା ଲୋକେ ଝୁମ୍ପୁଡି ହରାଇବାକୁ ସାହସ କୁଳାଇ ପାରୁନାହାନ୍ତି । ସେହିଭଳି ଯେଉଁମାନେ ବସ୍ତିରେ ଭଡାରେ ରହି ଜମି ଅଧିକାର ପ୍ରମାଣପତ୍ର ପାଇଛନ୍ତି ସେମାନଙ୍କୁ ଘର ମାଲିକମାନେ ସହଜରେ ଘର ଛାଡୁ ନାହାନ୍ତି । ଫଳରେ ସେମାନେ ପ୍ରମାଣପତ୍ର ସାର୍ଟିଫିକେଟ ଧରି ବୁଲୁଛନ୍ତି ଓ ପୂର୍ବଭଳି ଘରଭଡା ଗଣୁଛନ୍ତି ।

ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜଧାନୀରେ ତିଆରି ହୋଇଥିବା ଆପାର୍ଟମେଣ୍ଟରେ ବସ୍ତି ବାସିନ୍ଦାଙ୍କୁ ଘର ମିଳିଛି । ହେଲେ ବସ୍ତିବାସିନ୍ଦା ଏହି ଘରେ ରହିବାକୁ ନାରାଜ । ସେମାନଙ୍କ ମତରେ ଏତେ ଛୋଟ ଘରେ ରହିବା ସମ୍ଭବପର ନୁହେଁ । ଘର ଏତେ ଛୋଟ ଯେ ସେମାନଙ୍କର ସମସ୍ତ ଆସବାବପତ୍ର ରହିପାରିବ ନାହିଁ । ଫଳରେ ଘର ପାଇଥିବା ଲୋକେ ଏବେ ଅବିବାହିତ ଯୁବକମାନଙ୍କୁ ଘରଭଡା ଦେବାରେ ଲାଗିଛନ୍ତି ।

ଅନ୍ୟ ପକ୍ଷରେ ଜାଗା ମିଶନରେ ଜମି ଅଧିକାର ପ୍ରମାଣପତ୍ର ମିଳିବାପରେ ଏବେ ରାଜଧାନୀରେ ନୂଆ ନୂଆ ବସ୍ତି ଗଢି ଉଠୁଛି । ରାସ୍ତାପାଶ୍ୱର୍ରେ ଥିବା ଜମି, କନଜରଭେନ୍ସି, ସରକାରୀ କୋଠାବାଡି ପାଇଁ ଉଦ୍ଦିଷ୍ଟ ସ୍ଥାନ ଆଦିକୁ ଲୋକେ ରାତାରାତି ଜବରଦଖଲ କରିବା ସହିତ ବସ୍ତିର ନାମକରଣ ବି କରିଦେଉଛନ୍ତି । ସେମାନଙ୍କୁ ଏହି ବେଆଇନ୍‍ କାର୍ଯ୍ୟରେ ସହାୟତା କରୁଛନ୍ତି ଜଳ ଯୋଗାଣ ଓ ବିଦ୍ୟୁତ୍‍ ଯୋଗାଣକାରୀ ସଂସ୍ଥା । ଯିଏ ରାତିରେ ପାଲଟାଣି ଘରଟିଏ କରୁଛି ତାହାକୁ ସକାଳୁ ପାଣି ଓ ବିଜୁଳି ସଂଯୋଗ ମିଳି ଯାଉଛି ।

ଫଳରେ ରାଜଧାନୀରେ ସରକାରୀ ଖାତାରେ ୪୩୬ଟି ବସ୍ତି ଥିବାବେଳେ ବାସ୍ତବରେ କିନ୍ତୁ ଏହି ସଂଖ୍ୟା ହଜାରେକୁ ଟପିଗଲାଣି । ଜବରଦଖଲ ହଟାଇବାପାଇଁ ସାଧାରଣ ପ୍ରଶାସନ, ବିଡିଏ, ବିଏମ୍‍ସି ଆଦିର ସ୍କ୍ୱାଡ୍‍ ଥିବାବେଳେ ଏମାନେ କିନ୍ତୁ ରାତାରାତି ଗଢି ଉଠୁଥିବା ଘରକୁ ହଟାଇ ପାରୁନାହାନ୍ତି । ଓଲଟା କିଛି ବସ୍ତିବାସିନ୍ଦା ନକଲି ରାଜୀବ ଆବସ ପ୍ରମାଣପତ୍ର ଦେଖାଇ ଏମାନଙ୍କୁ ଘଉଡାଇ ଦେଉଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)